ଭାରତରେ ଯୌନକର୍ମୀଙ୍କ ଦୁର୍ଦ୍ଦଶା ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ରିପୋର୍ଟ ମାଗିଲା ଜାତୀୟ ମାନବ ଅଧିକାର କମିସନ୍
ନୂଆଦିଲ୍ଲୀ: ଭାରତରେ ଯୌନକର୍ମୀଙ୍କ ଦୁର୍ଦ୍ଦଶା ପ୍ରତିକାର ଲାଗି ନିଆଯାଇଥିବା ପଦକ୍ଷେପ ଉପରେ ଜାତୀୟ ମାନବ ଅଧିକାର କମିସନ୍ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ମାଗିଛି।
Sambad is now on WhatsApp
Join and get latest news updates delivered to you via WhatsApp
ସିଭିଲ୍ ରାଇଟ୍ସ୍ ଓକିଲ ତଥା ଜଣାଶୁଣା ସାମାଜିକ କର୍ମୀ ରାଧାକାନ୍ତ ତ୍ରିପାଠୀ ଦାଏର କରିଥିବା ପିଟିସନ୍ ଆଧାରରେ ଜାତୀୟ ମାନବ ଅଧିକାର କମିସନ୍ ଏହି ଆଦେଶ ଜାରି କରିବା ସହ ଚାରି ସପ୍ତାହ ମଧ୍ୟରେ ସବିଶେଷ ରିପୋର୍ଟ ତଲବ କରିଛି।
କରୋନାଭାଇରସ୍ ମହାମାରୀ ସମୟରେ ଯୌନକର୍ମୀଙ୍କ ଭୟାବହ ପରିସ୍ଥିତି ପ୍ରସଙ୍ଗରେ ଉଲ୍ଲେଖ କରି ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, ସମଗ୍ର ଦେଶରେ ସେମାନେ ପାଞ୍ଚ ମାସ ହେବ ଖାଦ୍ୟ, ଆଶ୍ରୟ, ସ୍ବାସ୍ଥ୍ୟସେବା, ଜୀବିକା ଭଳି ଅତ୍ୟାବଶ୍ୟକ ଅଧିକାରରୁ ବଞ୍ଚିତ ହୋଇ ଦୟନୀୟ ପରିସ୍ଥିତିରେ ଅଛନ୍ତି। ସରକାର ସେମାନଙ୍କର ମୌଳିକ ମାନବିକ ଅଧିକାର ସୁନିଶ୍ଚିତ କରିବାରେ ବିଫଳ ହୋଇଛି।
ବିଭିନ୍ନ ଆକଳନସୂତ୍ରରୁ ଜଣାପଡ଼ିଛି ଯେ, ଦେଶରେ ପାଞ୍ଚ ନିୟୁତରୁ ଅଧିକ ଯୌନକର୍ମୀ ଅଛନ୍ତି। ଲକ୍ଡାଉନ୍ ଯୋଗୁଁ ସେମାନେ କୁଆଡ଼େ ଯାଇ ନ ପାରି ଭାରତର ବିଭିନ୍ନ ସହରରେ ଅଟକି ରହିଯାଇଛନ୍ତି। ଫଳରେ ଆୟର ପନ୍ଥା ସମ୍ପୂର୍ଣ୍ଣ ରୂପେ ହରାଇ ଦୈନନ୍ଦିନ ଗୁଜୁରାଣ ମେଣ୍ଟାଇବା ଲାଗି ବି ସେମାନେ ସମର୍ଥା ନୁହନ୍ତି। ଏହାଛଡ଼ା ନଗରାଞ୍ଚଳର ରେଡ୍-ଲାଇଟ୍ ଅଞ୍ଚଳରେ ଅଣଓସାରିଆ ରାସ୍ତା ଓ ଛୋଟ ଛୋଟ କୋଠରିରେ ଏକାଧିକ ଯୌନକର୍ମୀ ରହୁଥିବାରୁ କୋଭିଡ୍-୧୯ର ପ୍ରମୁଖ ଗାଇଡ୍ଲାଇନ୍ ଲୌକିକ ଦୂରତ୍ବ ବଜାୟ ରଖିବା ସମ୍ଭବ ହେଉନାହିଁ।
ଶ୍ରୀ ତ୍ରିପାଠୀ କହିଛନ୍ତି ଯେ, କେନ୍ଦ୍ର ସରକାର ପେଶାଦାର ଯୌନକର୍ମୀଙ୍କୁ ଅବହେଳା କରୁଛନ୍ତି ଓ ସେମାନଙ୍କ ଦୁର୍ଦ୍ଦଶା ପ୍ରଶମନ ପାଇଁ କୌଣସି ପ୍ୟାକେଜ୍ ଘୋଷଣା ଘୋଷଣା କରୁନାହାନ୍ତି।