ନୂଆଦିଲ୍ଲୀ: ଦେଶରେ କିନ୍ନରମାନଙ୍କ ଦୁର୍ଦ୍ଦଶାର ପ୍ରତିକାର ଲାଗି ଗ୍ରହଣ କରାଯାଇଥିବା ପଦକ୍ଷେପ ସଂକ୍ରାନ୍ତରେ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବିକ ଅଧିକାର କମିସନ୍ ରିପୋର୍ଟ ମାଗିଛି।
ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠି ଫାଇଲ୍ କରିଥିବା ପିଟିସନ୍ ଆଧାରରେ ଜାତୀୟ ମାନବିକ ଅଧିକାର କମିସନ ଏହି ଆଦେଶ ଜାରି କରିଛି। ନିର୍ଦ୍ଧାରିତ ସମୟ ମଧ୍ୟରେ ରିପୋର୍ଟ ନ ମିଳିଲେ ସମ୍ପୃକ୍ତ ସରକାରୀ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ଆଦେଶ ଦିଆଯିବ ବୋଲି ସତର୍କ କରାଇ ଦିଆଯାଇଛି।
କରୋନାଭାଇରସ୍ ମହାମାରୀ ସମୟରେ କିନ୍ନରମାନଙ୍କ ଦୁର୍ଦ୍ଦଶା ଉପରେ ଚିନ୍ତାବ୍ୟକ୍ତ କରି ଶ୍ରୀଯୁକ୍ତ ତ୍ରିପାଠୀ ଏ କଥା ଉଠାଇଛନ୍ତି। ସେ ସମୟରେ କିନ୍ନରମାନେ ଜୀବନର ମୌଳିକ ଆବଶ୍ୟକତାରୁ ବଞ୍ଚିତ ହୋଇଥିଲେ। କିନ୍ନର ବ୍ୟକ୍ତିବିଶେଷଙ୍କର ଅଧିକାର ସୁରକ୍ଷିତ ରଖିବା ନିମନ୍ତେ ସୁପ୍ରିମ୍ କୋର୍ଟ ଦେଇଥିବା ‘ଏନ୍ଏଏଲ୍ଏସ୍ଏ’ ପ୍ରଣୟନ କରିବାରେ ରାଜ୍ୟମାନେ ବିଫଳ ହୋଇଥିବା କଥା ସେ କହିଛନ୍ତି।
Image Courtesy of FirstPostଭାରତରେ କରୋନାଭାଇରସ୍ ମହାମାରୀ ସଂକ୍ରମଣ ସମୟରେ କିନ୍ନରମାନେ ନିରବରେ ଭୀଷଣ ଦୁର୍ଦ୍ଦଶା ସହିଛନ୍ତି। ନାଚତାମସା କରିବା, ଛୋଟମୋଟ କାମ କରିବା କି, ଛୋଟଧରଣର ବ୍ୟବସାୟ କରିବା ସେମାନଙ୍କ ପକ୍ଷେ ଅସମ୍ଭବ ହୋଇପଡ଼ିଥିଲା। ଜୀବିକାର ଉତ୍ସ ସମ୍ପୂର୍ଣ୍ଣରୂପେ ବନ୍ଦ ହୋଇଯାଇଥିଲା ବେଳେ ସେମାନଙ୍କ ବଞ୍ଚିବା ନିମନ୍ତେ ରାଜ୍ୟ କିଛି କରି ନ ଥିଲା ବୋଲି ତ୍ରିପାଠୀ ଉଲ୍ଲେଖ କରିଛନ୍ତି।
ସେ ଆହୁରି ଦର୍ଶାଇଛନ୍ତି ଯେ, ରାଜ୍ୟ ଅବହେଳାର ସରବ୍ୟ ହୋଇଥିବା ଏହି ଦୁର୍ଭାଗ୍ୟ ପୀଡ଼ିତଙ୍କ ନିମନ୍ତେ ସାମାଜିକ କଲ୍ୟାଣ ଯୋଜନା ଲାଭ ମରିଚିକା ପାଲଟି ଯାଇଥିଲା। ସାମାଜିକ ବାସନ୍ଦ ଏବଂ ଜନସାଧାରଣଙ୍କ ଭିନ୍ନ ମନୋଭାବ ଯୋଗୁଁ କିନ୍ନର ସମ୍ପ୍ରଦାୟ ଅସ୍ବାସ୍ଥ୍ୟକର ପରିବେଶରେ ରହିଥିଲେ। କେନ୍ଦ୍ର କି, ରାଜ୍ୟ ଯୋଜନାରେ ସେମାନଙ୍କୁ ବାସଗୃହ କିଂବା ଶୌଚାଳୟ ମିଳିନାହିଁ। ସେମାନେ ଖାଦ୍ୟ, ପାନୀୟ ଜଳ, ସ୍ବାସ୍ଥ୍ୟ ସେବା, ରୋଜଗାର, ପ୍ରାଥମିକ ଶିକ୍ଷା ଆଦି ଅଧିକାରରୁ ବଞ୍ଚିତ। ଭୂମିହୀନଙ୍କ ପାଇଁ ଥିବା ଯୋଜନାରୁ ମଧ୍ୟ ଏମାନେ ବଞ୍ଚିତ। ସରକାରୀ ଅଧିକାରୀମାନେ ଏ ପରିସ୍ଥିତିର ନିର୍ବାକ ଦର୍ଶକ ସାଜିଛନ୍ତି।
ରାଜ୍ୟ ସରକାରଙ୍କ ନିଷ୍କ୍ରିୟତା ଓ ରାଜ୍ୟ ପ୍ରଶାସନିକ ବିଫଳତା ହିଁ କିନ୍ନରମାନଙ୍କ ମାନବିକ ଅଧିକାର ଉଲ୍ଲଂଘନ ପାଇଁ ଦାୟୀ ବୋଲି ତ୍ରିପାଠୀ ଅଭିଯୋଗ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/08/tg.jpg)