ସାମାଜିକ କର୍ମୀ ଆଦିତ୍ୟ ଦାସ ମୃତ୍ୟୁ ମାମଲାରେ ପୁଲିସ କମିସନର୍‌ଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବ ଅଧିକାର କମିସନ

ନୂଆଦିଲ୍ଲୀ: ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ମାମଲାରେ ଗ୍ରହଣ କରାଯାଇଥିବା କାର୍ଯ୍ୟାନୁଷ୍ଠାନ ସଂକ୍ରାନ୍ତ ରିପୋର୍ଟ ଚାରି ସପ୍ତାହ ମଧ୍ୟରେ ଦାଖଲ କରିବାକୁ ଜାତୀୟ ମାନବ ଅଧିକାର କମିସନ ଭୁବନେଶ୍ବର ପୁଲିସ କମିସନଙ୍କୁ ନୋଟିସ୍ କରିଛନ୍ତି । ନିହତ ଆଦିତ୍ୟ ଦାସଙ୍କ ଶବ ରେଳ ଧାରଣା ଉପରୁ ଉଦ୍ଧାର କରାଯାଇଥିଲା।

ଏ ସଂକ୍ରାନ୍ତରେ ଜୁଲାଇ ୨୪ ତାରିଖ ଦିନ ଜାତୀୟ ମାନବ ଅଧିକାର କମିସନରେ ସୁପ୍ରିମ୍ କୋର୍ଟ ଓକିଲ ତଥା ସମାଜସେବୀ ରାଧାକାନ୍ତ ତ୍ରିପାଠୀ ଅଭିଯୋଗ କରିଥିଲେ। ଏହାକୁ ବିଚାର କରି ଜାତୀୟ ମାନବ ଅଧିକାର କମିସନ ଆଦେଶ ଜାରି କରିବା ସହ ପୁଲିସ କମିସନର୍‌ଙ୍କୁ ତାଗିଦ କରିଛନ୍ତି  ଯେ, ନିର୍ଦ୍ଧାରିତ ସମୟସୀମା ମଧ୍ୟରେ ରିପୋର୍ଟ ନ ମିଳିଲେ, କମିସନ୍ ମାନବ ଅଧିକାର ଆଇନ, ୧୯୯୩ର ୟୁ/ଏସ୍ ୧୩ ଅନୁସାରେ ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କୁ ବ୍ୟକ୍ତିଗତ ଭାବେ ହାଜର ହେବାକୁ ବାଧ୍ୟ କରିବ।

ଜୁଲାଇ ୭ ତାରିଖ ଦିନ ଲିଙ୍ଗରାଜ ‌ ଷ୍ଟେସନ ନିକଟ ରେଳଧାରଣା ଉପରେ ମାନବ ଅଧିକାର କର୍ମୀ ତଥା ସାମାଜିକ କର୍ମୀ ଆଦିତ୍ୟ ଦାସଙ୍କ ମୃତ୍ୟୁ ଘଟଣାରେ  ଆବେଦନକାରୀ ଦର୍ଶାଇଛନ୍ତି ଯେ, ପୁଲିସ ଏ ପର୍ଯ୍ୟନ୍ତ ତାଙ୍କ ମୃତ୍ୟୁର କାରଣ ଜାଣି ପାରି ନାହିଁ। ସେ ଆହୁରି ମଧ୍ୟ କହିଛନ୍ତି, ଅପରାଧୀଙ୍କ ଗିରଫଦାରୀ, ସତ୍ୟ ଉନ୍ମୋଚନ ଓ ମୃତ୍ୟୁ ରହସ୍ୟ ଖୋଲିବାରେ ପୁଲିସ, ଗୁଇନ୍ଦା ଏବଂ ରାଜ୍ୟ ଆଇନଶୃଙ୍ଖଳ‌ା ବ୍ୟବସ୍ଥାର ଭୂମିକା ଥିବାରୁ ଏଥିରେ ବିଳମ୍ବ ହେବା  ସନ୍ଦେହ ସୃଷ୍ଟି କରୁଛି।

ଏହି ଘଟଣାର ତଦନ୍ତ ଭାର ସିବିଆଇ ବା ସିବି-ସିଆଇଡିଙ୍କୁ କିଂବା କୌଣସି ସ୍ବାଧୀନ ବ‌ିଶେଷଜ୍ଞ ଟିମ୍‌ଙ୍କୁ ଦେବା ପାଇଁ ସେ ଜାତୀୟ ମାନବ ଅଧିକାର କମିସନଙ୍କୁ ଅନୁରୋଧ କରିଛନ୍ତି। ଅପରାଧୀମାନଙ୍କୁ ତୁରନ୍ତ ଧରିବା ବ୍ୟବସ୍ଥା କରିବା, ତାଙ୍କ ପରିବାରକୁ ୫୦ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଅର୍ଥ ପ୍ରଦାନ ଏବଂ ସେମାନଙ୍କର ସୁରକ୍ଷା ବ୍ୟବସ୍ଥା କରିବାକୁ ସେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର