ଅନୁଗୁଳ ଏସ୍.ପି.ଙ୍କୁ ସମନ୍‌ କଲେ ଏନ୍‌ଏଚ୍‌ଆରସି

ନୂଆଦିଲ୍ଲୀ : ଦୁର୍ଷ୍କମ ଓ ଯୌନ ନିର୍ଯାତନା ମାମଲା ଗୁଡ଼ିକରେ ରିପୋର୍ଟ ଦାଖଲ କରିପାରିନଥିବାରୁ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚଆରସି) ଅନୁଗୁଳ ଏସ୍.ପି.ଙ୍କୁ ସର୍ତ୍ତମୂଳକ ସମନ୍‌ କରିଛନ୍ତି। । ସୁପ୍ରିମକୋର୍ଟର ଆଇନଜୀବୀ ଓ ମାନବାଧିକାରୀ କର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ବାରା ଅନୁଗୁଳ ଜିଲ୍ଲାରେ ଭିନ୍ନ ଭିନ୍ନ ତିନୋଟି ଦୁର୍ଷ୍କମ ଓ ଯୌନ ନିର୍ଯାତନା ମାମଲା ସମ୍ପର୍କରେ ଏନ୍‌ଏଚଆରସିରେ ପିଟିସନ ଦାଖଲ କରାଯାଇଥିଲା। ରାଜ୍ୟ ସରକାରଙ୍କ ଦ୍ବାରା ମଧ୍ୟ ଏହି ମାମଲାରେ ଏନ୍‌ଏଚଆରସିରେ ଜବାବ ଦାଖଲ କରାଯାଇଥିଲା। ହେଲେ ଆବେଦନକାରୀ ଏନ୍‌ଏଚଆରସି‌େର ପ୍ରତିଜବାବ ଦାଖଲ କରି ଏହି ମାମଲାରେ ଅନୁଗୁଳ ଏସ୍.ପି.ଙ୍କ ଦ୍ବାରା ଏଫ୍.ଆଇ.ଆର. ରୁଜୁ କରାଯାଇଥିବା ସ୍ବୀକାର କରିଥିବା ବେଳେ ପୀଡ଼ିତା‌ମାନଙ୍କ କ୍ଷତିପୂରଣ, କାଉନ୍‌ସିଲିଂ, ମେଡିକାଲ ଚିକିତ୍ସା ତଥା ନିର୍ଭୟା ଯୋଜନା ଅନ୍ତର୍ଗତ କ୍ଷତିପୂରଣ ପ୍ରଦାନକୁ ନେଇ କିଛି ବି ଉଲ୍ଲେଖ କରିନଥିବା ଅଭିଯୋଗ କରିଥିଲେ। ଏହି ମାମଲା ଗୁଡ଼ିକ ତଦନ୍ତ କରାଯାଇ ନିର୍ଭୟା ଯୋଜନା ଅନ୍ତର୍ଗତ ପୀଡ଼ିତାଙ୍କୁ ୧ ଲକ୍ଷ ଟଙ୍କାର କ୍ଷତିପୂରଣ ପ୍ରଦାନ ପାଇଁ ଆବେଦନକାରୀଙ୍କ ପକ୍ଷରୁ ଦାବି କରାଯାଇଥିଲା। ଏନ୍‌ଏଚଆରସି ଏହି ମାମଲାରେ ଆଜି ଅନୁଗୁଳୁ ଏସ୍.ପି.ଙ୍କୁ ଏପ୍ରିଲ ୨୨ ସୁଦ୍ଧା ନଥିପତ୍ର ଦାଖଲ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ନଚେତ ଏପ୍ରିଲ ୨୯ରେ ନଥିପତ୍ର ଦାଖଲ ପାଇଁ ତାଙ୍କୁ ବ୍ୟକ୍ତିଗତ ଭାବେ ହାଜଲ ହେବାକୁ ପଡ଼ିବ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର