ଏନକାଉଣ୍ଟରର ତଦନ୍ତ କରିବାକୁ ହାଇଦ୍ରାବାଦରେ ପହଞ୍ଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ

ହାଇଦ୍ରାବାଦ: ଏନକାଉଣ୍ଟରର ତଦନ୍ତ କରିବାକୁ ହାଇଦ୍ରାବାଦରେ ପହଁଚିଲେ ଜାତୀୟ ମାନବାଧିକାର କମିଶନଙ୍କ ଟିମ୍ । ଏହି ଟିମ୍ ଏନକାଉଂଟର ସ୍ଥଳକୁ ଯାଇ ଅଧିକ ତଦନ୍ତ କରିବେ । ଏହାପରେ ଜାତୀୟ ମାନବାଧିକାର କମିଶନର ସଦସ୍ୟ ଅଭିଯୁକ୍ତଙ୍କ ମୃତଦେହ ରଖାଯାଇଥିବା ମେହବୁବନଗର ହସ୍ପିଟାଲକୁ ବି ଗସ୍ତ କରିବେ । ହାଇଦ୍ରାବାଦ ମହିଳା ଡାକ୍ତର ଗଣଦୁଷ୍କର୍ମ ଓ ହତ୍ୟା ଘଟଣାରେ ୪ ଅଭିଯୁକ୍ତଙ୍କୁ ଗତକାଲି ଭୋରରୁ ଏନକାଉଂଟର କରାଯାଇଥିଲା । ସେପଟେ ଏହି ମାମଲାରେ ମୃତଦେହକୁ ସଂରକ୍ଷିତ କରି ରଖିବା ପାଇଁ ନିଦେ୍ର୍ଦଶ ଦେଇଛନ୍ତି ତେଲେଙ୍ଗାନା ହାଇକୋର୍ଟ ।

The Guwahati Times

ଆସନ୍ତା ୯ ତାରିଖ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ ମୃତଦେହକୁ ସଂରକ୍ଷିତ ରଖିବା ପାଇଁ କହିଛନ୍ତି ହାଇକୋର୍ଟ । ଏଥିସହ ପୋଷ୍ଟମର୍ଟମର ଭିଡିଓକୁ ସିଡି କିମ୍ବା ପେନଡ୍ରାଇଭରେ ମେହବୁବନଗରର ପ୍ରିନିସପାଲ ଡିଷ୍ଟ୍ରିକ୍ଟ ଜଜଙ୍କୁ ଦେବା ପାଇଁ ହାଇକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । କିଛି ମାନବାଧିକାର କର୍ମୀ ଏବଂ ମହିଳା ସଂଗଠନ କରିଥିବା ଆବେଦନ ଉପରେ ଶୁଣାଣି କରି ଏହି ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ ।

ଆସନ୍ତା ୯ ତାରିଖରେ ଏହି ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଏଠାରେ ସୂଚନା ଥାଉ କି ହାଇଦ୍ରାବାଦର ମହିଳା ଡାକ୍ତରଙ୍କ ସହ ଗଣଦୁଷ୍କର୍ମ ଓ ହତ୍ୟା ମାମଲାରେ ଗିରଫ ହୋଇଥିବା ୪ଅଭିଯୁକ୍ତଙ୍କୁ ନେଇ ପୁଲିସ ଘଟଣାସ୍ଥଳକୁ ଯାଇଥିବା ବେଳେ ସେଠାରୁ ସେମାନେ ଫେରାର ହେବା ପାଇଁ ଉଦ୍ୟମ କରିଥିଲେ । ଘଟଣାର ରିକ୍ରିଏସନ ପାଇଁ ପୁଲିସ, ଅଭିଯୁକ୍ତଙ୍କୁ ନେଇ ଘଟଣାସ୍ଥଳକୁ ଯାଇଥିଲା । ସେହି ସମୟରେ ଅଭିଯୁକ୍ତମାନେ ପୁଲିସର ବନ୍ଧୁକ ଛଡାଇ ତାଙ୍କୁ ଆକ୍ରମଣ କରିବା ସହ ସେଠାରୁ ଖସି ପଳାଇବାକୁ ଉଦ୍ୟମ କରିଥିଲେ । ଫଳରେ ପୁଲିସ ଆତ୍ମରକ୍ଷା ପାଇଁ ପ୍ରତିଆକ୍ରମଣ କରିଥିଲା ଯେଉଁଥିରେ ୪ଅଭିଯୁକ୍ତଙ୍କ ମୃତୁ୍ୟ ହୋଇଯାଇଥିଲା ।

ସମ୍ବନ୍ଧିତ ଖବର