‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’ କାରଣରୁ ଘଟୁଥିବା ମୃତ୍ୟୁ ଘଟଣାରେ ସରକାରଙ୍କୁ ରିପୋର୍ଟ ମାଗିଲେ ‘ଏନ୍‌ଏଚ୍‌ଆର୍‌ସି’

ନୂଆଦିଲ୍ଲୀ: ସମଗ୍ର ଭାରତରେ ‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’ କାରଣରୁ ଘଟୁଥିବା ମୃତ୍ୟୁ ସଂକ୍ରାନ୍ତରେ ନୋଟିସ୍‌ ଜାରି କରିବା ସହ ଜାତୀୟ ମାନବାଧିକାର କମିସନ୍‌ (ଏନ୍‌ଏଚ୍‌ଆର୍‌ସି) ସାମାଜିକ ନ୍ୟାୟ ଓ ସଶକ୍ତିକରଣ ମନ୍ତ୍ରାଳୟର ସଚିବଙ୍କୁ ପୂର୍ଣ୍ଣାଙ୍ଗ ରିପୋର୍ଟ ମାଗିଛନ୍ତି। ‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’ ହେଉଛି ସହରାଞ୍ଚଳର ଆବର୍ଜନା ଜଳ ନିଷ୍କାସନ ପ୍ରଣାଳୀର ଅଂଶ ବିଶେଷ।

ଅସୁରକ୍ଷିତ, ଭଙ୍ଗା, ନଷ୍ଟ ହୋଇଯାଇ ଥିବା ‘ମ୍ୟାନ୍‌ହୋଲ୍‌’ ଓ ନର୍ଦ୍ଦମାର ଢାଙ୍କୁଣି ସଂକ୍ରାନ୍ତରେ ସ୍ଥାନୀୟ ତଦାରଖ ତଥା ମରାମତି କର୍ତ୍ତୃପକ୍ଷଙ୍କୁ ସୂଚନା ଦେବା ନିମନ୍ତେ ସୁଲଭ ମୂଲ୍ୟରେ ଏକ ଉପକରଣ ପ୍ରସ୍ତୁତି ପାଇଁ କୌଣସି ଲାବରେଟରି କିଂବା ପ୍ରତିଷ୍ଠାନକୁ କାମରେ ଲଗାଇ ହେବ କି, ନାହିଁ, ସେ ବିଷୟରେ ମଧ୍ୟ ସବିସ୍ତୃତ ବିବରଣୀ ପ୍ରଦାନ କରିବାକୁ ‘ଏନ୍‌ଏଚ୍‌ଆର୍‌ସି’ ‘କାଉନ୍‌ସିଲ୍‌ ଫର୍‌ ସାଇଣ୍ଟିଫିକ୍ ଆଣ୍ଡ୍ ଇଣ୍ଡଷ୍ଟ୍ରିଆଲ୍‌ ରିସର୍ଚ’ଙ୍କୁ ରିପୋର୍ଟ ମାଗିଛନ୍ତି। ତଦାରଖ ତଥା ମରାମତି କର୍ତ୍ତୃପକ୍ଷ ସୂଚନା ପାଇ ତୁରନ୍ତ କାର୍ଯ୍ୟ ଆରମ୍ଭ କଲେ ବହୁ ନିରୀହ ପଥଚାରୀ ଏବଂ ସୁଏଜ୍ କର୍ମୀଙ୍କୁ ରକ୍ଷା କରି ହୁଅନ୍ତା ବୋଲି ମତ ରଖିଛନ୍ତି କମିସନ।

Image Courtesy of DNA India

ଆଡ୍‌ଭୋକେଟ୍‌ ତଥା ମାନବ ଅଧିକାରକର୍ମୀ ରାଧାକାନ୍ତ ତ୍ରିପାଠୀଙ୍କ ଛଅ ବର୍ଷ ତଳର ପିଟିସନ୍‌ ବିଚାର କରି ‘ଏନ୍‌ଏଚ୍‌ଆର୍‌ସି’ ଉପରୋକ୍ତ ଆଦେଶ ଜାରି କରିଛନ୍ତି। ‘ମ୍ୟାନ୍‌ହୋଲ୍‌’, ‘ସୁଏଜ୍’ ଏବଂ ‘ପଟ୍‌ହୋଲ୍‌’‌‌ରେ ପଡ଼ି ଏବଂ ସଫେଇ କରିବାକୁ ଯାଇ ଅନେକ ଆକସ୍ମିକ ମୃତ୍ୟୁ ବରଣ କରୁଥିବା କଥା ସେ ଏହି ପିଟିସନ୍‌ରେ ଦର୍ଶାଇଥିଲେ।

ଏହା ମାନବ ଅଧିକାର ଉଲ୍ଲଂଘନ ବୋଲି ଦର୍ଶାଇ ଏଭଳି ତ୍ରୁଟି କରୁଥିବା ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ଏବଂ ମୃତ ବ୍ୟକ୍ତିଙ୍କ ଲାଗି ମୋଟା ଅଙ୍କର କ୍ଷତିପୂରଣ ବ୍ୟବସ୍ଥା କରିବାକୁ ଶ୍ରୀ ତ୍ରିପାଠୀ ନିବେଦନ କରିଥିଲେ।

ଆଦେଶନାମାରେ ‘ଏନ୍‌ଏଚ୍‌ଆର୍‌ସି’ କହିଛନ୍ତି ଯେ, କ୍ଷତିପୂରଣ ଅର୍ଥରାଶି ଓ କାର୍ଯ୍ୟାନୁଷ୍ଠାନ କେବଳ ସାନ୍ତ୍ବନା ଦେବା ଛଡ଼ା ଅକାରଣରେ ଜୀବନ ହରାଇଥିବା ବ୍ୟକ୍ତିଙ୍କର ସ୍ଥାନ ପୂରଣ କରିପାରିବ ନାହିଁ। ବିଜ୍ଞାନ ଓ ପ୍ରଯୁକ୍ତିବିଦ୍ୟା ଏତେ ଅଗ୍ରଗତି କରି ମଧ୍ୟ ମଣିଷ ନର୍ଦ୍ଦମା ସଫା କରିବା ଦୁଃଖର ବିଷୟ। ଏ ଭଳି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସମ୍ପୃକ୍ତ ବିଭାଗ ମଧ୍ୟ ଚିନ୍ତିତ ନୁହେଁ।

ସମ୍ବନ୍ଧିତ ଖବର