ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଏନ୍‌ଏଚ୍‌ଆର୍‌ସିର ନିର୍ଦ୍ଦେଶ: ଗ୍ରାମୀଣ ସ୍ୱାସ୍ଥ୍ୟ ଭିତ୍ତିଭୂମି ସମ୍ପର୍କରେ ରିପୋର୍ଟ ଦିଅ

ନୂଆଦିଲ୍ଲୀ : ଓଡ଼ିଶାର ଗ୍ରାମୀଣ ଅଞ୍ଚଳରେ ସ୍ୱାସ୍ଥ୍ୟଗତ ସୁବିଧା, କୁପୋଷଣ ଓ ସାଧାରଣ ସୁବିଧା ପ୍ରସଙ୍ଗରେ ରିପୋର୍ଟ ଦାଖଲ କରିବା ପାଇଁ ରାଜ୍ୟ ମୁଖ୍ୟ ଶାସନ ସଚିବଙ୍କୁ ଜାତୀୟ ମାନବାଧିକାର ଆୟୋଗ (ଏନ୍‌ଏଚ୍‌ଆର୍‌ସି) ନିର୍ଦ୍ଦେଶ ଦେଇଛନ୍ତି। ଏସବୁ ପ୍ରସଙ୍ଗରେ ନିଆଯାଇଥିବା ପଦକ୍ଷେପ ସମ୍ପର୍କରେ ମଧ୍ୟ ଅବଗତ କରିବା ପାଇଁ ଏନ୍‌ଏଚ୍‌ଆର୍‌ସିଙ୍କ ପକ୍ଷରୁ କୁହାଯାଇଛି। ମାନବାଧିକାର କର୍ମୀ ତଥା ସୁପ୍ରିମ୍‌କୋର୍ଟଙ୍କ ଆଇନଜୀବୀ ରାଧାକାନ୍ତ ତ୍ରିପାଠୀଙ୍କ ଦ୍ୱାରା ଦାଖଲ କରାଯାଇଥିବା ୫ ବର୍ଷ ତଳର ପୁରୁଣା ଏକ ମାମଲାର ଫଇସଲା କରିବା ପରିପ୍ରେକ୍ଷୀରେ ଏନ୍‌ଏଚ୍‌ଆର୍‌ସି ଏହି ନିର୍ଦ୍ଦେଶ ଦେଇଛନ୍ତି। ଆବେଦନକାରୀଙ୍କ ପକ୍ଷରୁ ସ୍ୱାସ୍ଥ୍ୟଗତ ସୁବିଧାର ଅଭାବ ତଥା ସରକାରୀ କର୍ମଚାରୀଙ୍କ ଅବହେଳା ପାଇଁ ବଲାଙ୍ଗୀର ଜିଲ୍ଲାର ୫୦୦ ଗ୍ରାମୀଣ ଆଦିବାସୀ ରୋଗ ଓ କୁପୋଷଣର ଶିକାର ହୋଉଥିବା ଅଭିଯୋଗ କରାଯାଇଥିଲା। ଏନ୍‌ଏଚ୍‌ଆର୍‌ସିଙ୍କ ନିର୍ଦ୍ଦେଶ ସତ୍ତ୍ୱେ ବଲାଙ୍ଗୀର ଜିଲ୍ଲାପାଳ ନିର୍ଦ୍ଧାରିତ ସମୟରେ ରିପୋର୍ଟ ଦାଖଲ କରି ନ ପାରିବାରୁ ଏନ୍‌ଏଚ୍‌ଆର୍‌ସି ରାଜ୍ୟର ମୁଖ୍ୟ ଶାସନ ସଚିବଙ୍କୁ ରିପୋର୍ଟ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଥିଲେ। ତେବେ କରୋନା ମହାମାରୀ ଯୋଗୁଁ ବର୍ତ୍ତମାନ ସୁଦ୍ଧା ରିପୋର୍ଟ ଦାଖଲ ହୋଇପାରି ନ ଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର