କେରଳ ଏବଂ ପଶ୍ଚିମବଙ୍ଗରେ ଏକାଧିକ ଚଢ଼ଉ ପରେ ୯ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କଲା ଏନଆଇଏ

ନୂଆଦିଲ୍ଲୀ: ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଏକାଧିକ ଚଢ଼ଉ କରିବା ପରେ ପଶ୍ଚିମବଙ୍ଗ ଏବଂ କେରଳର ବିଭିନ୍ନ ସ୍ଥାନରୁ ୯ଜଣ ଅଲ-କାଏଦା ଆତଙ୍କବାଦୀଙ୍କୁ ଗିରଫ କରିଛି। ପଶ୍ଚିମବଙ୍ଗର ମୁର୍ସିଦାବାଦ ଏବଂ କେରଳର ଏର୍ଣ୍ଣାକୁଲମରେ ଏନଆଇଏ ଅଲ-କାଏଦା ମଡ୍ୟୁଲଗୁଡିକ ଉପରେ ଚଢ଼ଉ କରି ଦୁଇ ରାଜ୍ୟରୁ ୯ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ୯ ଅଲ-କାଏଦା ଆତଙ୍କବାଦୀଙ୍କ ମଧ୍ୟରୁ ୩ ଜଣଙ୍କୁ ଏର୍ଣ୍ଣାକୁଲମ ଏବଂ ୬ ଜଣଙ୍କୁ ମୁର୍ସିଦାବାଦରୁ ଗିରଫ କରାଯାଇଛି।

ଗିରଫ ହୋଇଥବା ଆତଙ୍କବାଦୀଙ୍କ ବୟସ ୨୦ମଧ୍ୟରେ ରହିଥିବା ବେଳେ  ସେମାନେ ଶ୍ରମିକ ଭାବରେ କାର୍ଯ୍ୟ କରୁଥିଲେ ବୋଲି କୁହାଯାଉଛି। ଏର୍ଣ୍ଣାକୁଲମରୁ ଗିରଫ ହୋଇଥିବା ୩ଜଣ ହେଲେ ମୁରସିଦ ହସନ, ୟାକୁବ ବିଶ୍ବାସ ଏବଂ ମୋସରାଫ ହୋସେନ। କେରଳ ପୋଲିସ ସୂତ୍ରରୁ ପ୍ରକାଶ ଯେ ଏର୍ନାକୁଲମରୁ ଗିରଫ ହୋଇଥିବା ତିନିଜଣ ପଶ୍ଚିମବଙ୍ଗର ମୂଳ ବାସିନ୍ଦା ଏବଂ ସେମାନେ କେରଳର ସବୁଠାରୁ ବଡ ଅତିଥି ଶ୍ରମିକ ବସ୍ତି ପେରୁମ୍ବାଭୁରରେ ଏବଂ ଆଖପାଖରେ ରହୁଥିଲେ।

9 al qaeda terrorists arrested
indiatoday

ଅନ୍ୟ ପକ୍ଷରେ ପଶ୍ଚିମବଙ୍ଗରୁ ଗିରଫ ହୋଇଥିବା ଅନ୍ୟ ୬ଜଣ ହେଉଛନ୍ତି ମୁର୍ସିଦାବାଦର ନାଜମୁସ୍ ସାକିବ, ଆବୁ ସୁଫିଆନ୍, ମେନୁଲ୍ ମୋଣ୍ଡାଲ୍, ଲିୟୁ ୟେନ୍ ଅହମ୍ମଦ, ଅଲ୍ ମାମୁନ୍ କମଲ ଏବଂ ଅତିତୁର ରେହମାନ। କେରଳ ଏବଂ ପଶ୍ଚିମବଙ୍ଗର ୧୧ଟି ସ୍ଥାନରେ ଏକକାଳୀନ ଚଢ଼ଉ କରିବା ପରେ ଏନଆଇଏ ଶନିବାର ଦିନ ପାକିସ୍ତାନର ଅଲ-କାଏଦା ସହ ସଂପର୍କ ଥିବା ଏହି ୯ଜଣଙ୍କୁ ଗିରଫ କରିଛି। ଅଲ-କାଏଦା ଆତଙ୍କବାଦୀମାନେ ଅସ୍ତ୍ର ବିତରଣ ପାଇଁ କଶ୍ମୀର ଯିବାକୁ ଯୋଜନା କରିଥିଲେ।

ଆତଙ୍କବାଦ ବିରୋଧୀ ଅନୁସନ୍ଧାନକାରୀ ସଂସ୍ଥା କହିଛି ଯେ, ଗିରଫ ସନ୍ଦିଗ୍ଧ ଆତଙ୍କବାଦୀଙ୍କଠାରୁ ଏନଆଇଏ ଡିଜିଟାଲ ଉପକରଣ, ଡକ୍ୟୁମେଣ୍ଟ, ଜିହାଦି ସାହିତ୍ୟ, ତୀକ୍ଷ୍ଣ ଅସ୍ତ୍ରଶସ୍ତ୍ର ଏବଂ ଅନ୍ୟାନ୍ୟ ସାମଗ୍ରୀ ଉଦ୍ଧାର କରିଛି। ପ୍ରାରମ୍ଭିକ ଅନୁସନ୍ଧାନରୁ ଜଣାପଡିଛି ଯେ ସୋସିଆଲ ମିଡିଆ ମାଧ୍ୟମରେ ପାକିସ୍ତାନ ସ୍ଥିତ ଅଲ କାଏଦାର ଆତଙ୍କବାଦୀମାନେ ସେମାନଙ୍କୁ ଉଗ୍ରବାଦୀ ବନାଇଥିଲେ। ପାକିସ୍ତାନରେ ବସିଥିବା ଆତଙ୍କବାଦୀମାନେ ସେମାନଙ୍କୁ ଦିଲ୍ଲୀ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଉପରେ ଆକ୍ରମଣ କରିବାକୁ ଉତ୍ସାହିତ କରିଥିଲେ।

ସମ୍ବନ୍ଧିତ ଖବର