ନୂଆଦିଲ୍ଲୀ: ଆତଙ୍କବାଦୀଙ୍କ ସହିତ ସଂପର୍କ ରଖିବା ଅଭିଯୋଗରେ ଧରାପଡ଼ିଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କୁ ଅଧିକ ତଦନ୍ତ ଲାଗି ଦିଲ୍ଲୀ ଅଣାଯିବ। ତାଙ୍କର ଆତଙ୍କବାଦୀ ଲିଙ୍କ ନେଇ ଅଧିକ ଖୋଳତାଡ଼ ଲାଗି ଗୃହ ମନ୍ତ୍ରାଳୟ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ)କୁ ଦାୟିତ୍ବ ଦେଇଛି। ଜାନୁଆରି ୧୬ ତାରିଖ ଦିନ ଗୃହ ମନ୍ତ୍ରାଳୟ ଏନଆଇଏକୁ  ଡିଏସପି ଦେବିନ୍ଦର ସିଂହଙ୍କ ଗିରଫଦାରୀ ଏବଂ ବିଭିନ୍ନ ଆତଙ୍କବାଦୀ ସଂଗଠନ ସହିତ ତାଙ୍କର କି ପ୍ରକାର ସଂପର୍କ ରହିଛି ତାହାର ପୁଙ୍ଖାନୁପୁଙ୍ଖ ଅନୁସନ୍ଧ‌ାନ କରିବାକୁ ନିର୍ଦ୍ଦେଶ ଦେଇଛି । ମିଳିଥିବା ସୂଚନା ଅନୁସାରେ, ଡିଏସପି ଦେବିନ୍ଦର ସିଂହଙ୍କ ଘରୁ ଜବତ ହୋଇଥିବ‌ା ଅସ୍ତ୍ରଶସ୍ତ୍ରକୁ ଆଇଏନଆଇ ନିଜ କବଜାକୁ ନେବ ଏବଂ ତାହାର ଯାଞ୍ଚ କରିବ। ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀଦ ଏବଂ ତାର ସହଯୋଗୀଙ୍କୁ ଘରେ ରଖିବା ସହ ସେମାନଙ୍କୁ ଜମ୍ମୁ ପଠାଉଥିବା ବେଳେ ଗିରଫ ହୋଇଥିବା ଦେବିନ୍ଦର ସିଂଙ୍କ ଘରେ ଚଢ଼ାଉ କରିଥିବା ସମୟରେ  ଜମ୍ମୁକଶ୍ମୀର ପୁଲିସକୁ  ଏକେ-୪୫ ରାଇଫଲ୍, ପିସ୍ତଲ ଓ ଗ୍ରେନେଡ୍ ଆଦି ଅସ୍ତ୍ରଶସ୍ତ୍ର ମିଳିଥିଲା।

Advertisment

publive-image

ଗତ ଶୁକ୍ରବାର  ଦେବିନ୍ଦର ସିଂହ  ୩ ଆତଙ୍କବାଦୀ ତଥା ଶୀର୍ଷ ହିଜବୁଲ ମୁଜାହିଦ୍ଦିନ କମାଣ୍ଡର ନବୀଦ ଏବଂ ତା’ର ଅନ୍ୟ ୨ ସହଯୋଗୀ ଇରଫାନ୍‌ ଏବଂ ରଫିକୁ ସୁରକ୍ଷା ଦେଇ ଦକ୍ଷିଣ କାଶ୍ମୀରର ସୋପିଆନ୍‌ରୁ ଶ୍ରୀନଗରର ବାଦାମୀ ବାଗ୍ କ୍ୟାଣ୍ଟନ୍‌ମେଣ୍ଟ୍‌ ନିକଟସ୍ଥ ତାଙ୍କ ବାସଭବନକୁ ନେଇଥିଲେ। ‌ନିଜ ବାସଭବନ‌ରେ ଡିଏସ୍‌ପି ସେମାନଙ୍କୁ ସାରାରାତି ଆଶ୍ରୟ ଦେଇଥିଲେ। ଶନିବାର ଦିନ ସକାଳେ ସେମାନେ ଜମ୍ମୁ ଅଭିମୁଖେ ବାହାରିଥିଲେ। ଜମ୍ମୁରୁ ଡିଏସ୍‌ପି ସେମାନଙ୍କୁ ଦିଲ୍ଲୀ ପଠାଇଥାନ୍ତେ। କିନ୍ତୁ ଡିଏସ୍‌ପିଙ୍କ ସହ ଏହି ୩ ଆତଙ୍କବାଦୀ ଜମ୍ମୁ-ଶ୍ରୀନଗର ରାଜପଥରେ ଏକାଠି ଧରା ପଡ଼ିବାପରେ ସେମାନଙ୍କୁ ଗିରଫ କରାଯାଇଥିଲା। ଏମାନଙ୍କୁ ଖସାଇ ଦେବା ପାଇଁ ୧୨ଲକ୍ଷ ଟଙ୍କାର ଡିଲ୍‌ କରିଥିଲେ ଦେବିନ୍ଦର ସିଂହ । ଏହାପରେ ସେ ଚାକିରିରୁ ବହିଷ୍କୃତ ହୋଇଛନ୍ତି । ପୁଲିସରେ ଥାଇ ବି ଦେଶକୁ ସୁରକ୍ଷା ନ ଦେଇ ଆତଙ୍କବାଦୀଙ୍କୁ ସହଯୋଗ କରିଥିବାରୁ ତାଙ୍କୁ ପୁଲିସ ଚାକିରିରୁ ବିଦା କରାଯାଇଛି।

ଆତଙ୍କବାଦୀଙ୍କ ସହିତ ସଂପର୍କ ଅଭିଯୋଗରେ ଧରାପଡ଼ିଥିବା ଜମ୍ମୁ ଓ କଶ୍ମୀର ପୁଲିସ ଅଧିକାରୀ (ଡିଏସ୍‌ପି) ଦେବିନ୍ଦର ସିଂହଙ୍କ ଠାରୁ ଅନେକ ବିସ୍ଫୋରକ ତଥ୍ୟ ମିଳିଛି। ସେ ଦୁର୍ଦାନ୍ତ ଆତଙ୍କବାଦୀମାନଙ୍କୁ ନିଜ ସରକାରୀ ଘରେ ଆଶ୍ରୟ ଦେଉଥିଲେ। ସେମାନଙ୍କୁ ନିରାପଦରେ ରାଜ୍ୟ ବାହାରକୁ ଯିବାରେ ସହାୟତା କରୁଥିଲେ। ଏପରିକି ଆଗାମୀ ସାଧାରଣତନ୍ତ୍ର ଦିବସ ପୂର୍ବରୁ ଆତଙ୍କବାଦୀମାନଙ୍କୁ ଦିଲ୍ଲୀ ପଠାଇବା ଲାଗି ମଧ୍ୟ ଯୋଜନା କରିଥିଲେ। ଏହି ଯୋଜନା ପଛରେ ତାଙ୍କର ଉଦ୍ଦେଶ୍ୟ କଣ ଥିଲା ସେସଂପର୍କରେ ଗତକାଲିଠାରୁ ଏକ ମିଳିତ ଟିମ୍ ପଚରାଉଚରା ଚଳାଇଛି। ତେବେ ସବୁଠାରୁ ବିସ୍ଫୋରକ ତଥ୍ୟ ହେଲା ଯେ ସଂସଦ ଆକ୍ରମଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ଫାଶୀଦଣ୍ଡ ପାଇଥିବା ଅଫଜଲ ଗୁରୁ ସହିତ ମଧ୍ୟ ତାଙ୍କର ସଂପର୍କ ଥିଲା ବୋଲି କୁହାଯାଉଛି।