ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ସଂପର୍କ ମାମଲାରେ ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର, ବାବର ଖାଲସା ବିରୋଧରେ ଚାର୍ଜସିଟ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ : କୁଖ୍ୟାତ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୋଇ, ଗୋଲ୍ଡି ବ୍ରାର, ବାବର ଖାଲସା ଇଣ୍ଟରନ୍ୟାସନାଲ (ବିକେଆଇ) ଏବଂ ଅନ୍ୟ କେତେକ ଖଲିସ୍ତାନ ସମର୍ଥକ ଆତଙ୍କବାଦୀ ସଂଗଠନ ଏବଂ ଅନ୍ୟ ୧୨ ଜଣଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଶୁକ୍ରବାର ଚାର୍ଜସିଟ୍ ଦାଖଲ କରିଛି । ୩ଟି ଆତଙ୍କବାଦୀ-ଗ୍ୟାଙ୍ଗଷ୍ଟର ସଂପର୍କ ମାମଲାର ତଦନ୍ତ କରୁଛି ଏନଆଇଏ । ଚାର୍ଜସିଟରେ ଅପରାଧିକ ସିଣ୍ଡିକେଟର ସଦସ୍ୟ ଏବଂ ଡ୍ରଗ୍ସ ଚୋରା ଚାଲାଣକାରୀଙ୍କ ମଧ୍ୟରେ ବିକେଆଇ ଏବଂ ଅନ୍ୟ ଖଲିସ୍ତାନ ସମର୍ଥକ ସଂଗଠନ ସହ ଲିଙ୍କଥିବା ଜଣାପଡିଛି । ଏନଆଇଏ କାର୍ଯ୍ୟାନୁଷ୍ଠାନରେ ୭ଟି ରାଜ୍ୟର ୭୪ଟି ସ୍ଥାନରେ ଚଢ଼ାଉ କରି ୭ଟି ସମ୍ପତ୍ତି ଜବତ କରିବା ସହ ୬୨ଟି ବ୍ୟାଙ୍କ ଆକାଉଣ୍ଟକୁ ଫ୍ରିଜ୍ କରାଯାଇଛି ।

ଏନଆଇଏର ଚାର୍ଜସିଟରେ ଗ୍ୟାଙ୍ଗଷ୍ଟର ମାଫିଆଙ୍କ ସହ ଜଡିତ ଅନେକ ଖୁଲାସା ହୋଇଛି । ଲରେନ୍ସ ବିଷ୍ଣୋଇ ୨୦୧୫ ରୁ ଜେଲରେ ଅଛନ୍ତି ଏବଂ କାନାଡାର ଗୋଲ୍ଡି ବ୍ରାରଙ୍କ ସହ ମିଶି ବିଭିନ୍ନ ରାଜ୍ୟର ଜେଲରୁ ନିଜର ଆତଙ୍କବାଦୀ ଅପରାଧ ସିଣ୍ଡିକେଟ ଚଳାଉଛନ୍ତି । ନଭେମ୍ବର ମାସରେ ଫରିଦକୋଟରେ ଡେରା ସଚ୍ଚା ସୌଦା ଅନୁଗାମୀ ପ୍ରଦୀପ କୁମାରଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି। ମୋହାଲିସ୍ଥିତ ପଞ୍ଜାବ ଷ୍ଟେଟ୍ ଇଣ୍ଟେଲିଜେନ୍ସ ମୁଖ୍ୟାଳୟରେ ଆରପିଜି ଆକ୍ରମଣ ମାମଲାରେ ଲରେନ୍ସ ବିଷ୍ଣୋଇଙ୍କ ସିଣ୍ଡିକେଟ୍ ସଂପୃକ୍ତ ଥିଲା । ଏନଆଇଏ ତଦନ୍ତ ଅନୁଯାୟୀ, ଗୋଲ୍ଡି ବ୍ରାର ସହ ଖଲିସ୍ତାନୀ ଆତଙ୍କବାଦୀ ଲଖବୀର ସିଂହ ଓରଫ ଲାଣ୍ଡାର ସହ ସିଧାସଳଖ ସମ୍ପର୍କ ରହିଛି ।

 

ସମ୍ବନ୍ଧିତ ଖବର