ମୁନ୍ଦ୍ରା ବନ୍ଦରରୁ ଡ୍ରଗ୍ସ ଜବତ ମାମଲା : ଏନଆଇଏର ଖୋଳତାଡ଼

ନୂଆଦିଲ୍ଲୀ :  ମୁନ୍ଦ୍ରା ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍ସ ଜବତ ଘଟଣାକୁ ନେଇ ଖୋଳତାଡ଼ ଆରମ୍ଭ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ଏନଆଇଏ । ଏନଆଇଏ ପକ୍ଷରୁ ଶନିବାରଦିନ ଚେନ୍ନାଇ, କୋଏମ୍ବାଟୁର, ବିଜୟଓ୍ବାଡ଼ା ଆଦି ଦେଶର କେତେକ ସ୍ଥାନରେ ଚଢଉ କରାଯାଇଛି । ଏହି ଚଢଉ ସମୟରେ କେତେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ପ୍ରମାଣ ହାତରେ ଲାଗିଥିବା ଏନଆଇଏ କହିଛି । କେନ୍ଦ୍ର ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶ ପରେ ଏନଆଇଏ ଏହି ମାମଲାର ତଦନ୍ତ କରୁଛି ।

ଗତ ମାସରେ ଭାରତର ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପକ୍ଷରୁ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ଦୁଇଟି କଣ୍ଟେନରରେ ୨୧ ହଜାର କୋଟି ଟଙ୍କା ମୂଲ୍ୟର ପ୍ରାୟ ୩ ହଜାର କିଲୋଗ୍ରାମ ହେରୋଇନ ଚିହ୍ନଟ କରାଯାଇଥିଲା । ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନର କାନ୍ଦାହାରରୁ ପାକିସ୍ତାନ ଦେଇ ଆସିଥିବା ଜଣାପଡ଼ିଛି । ଭାରତର କେନ୍ଦ୍ରୀୟ ପରୀକ୍ଷାଗାରରେ କରାଯାଇଥିବା ନମୁନା ପରୀକ୍ଷଣରୁ ଜଣାପଡ଼ିଛି ଯେ ଏସବୁ ହେରୋଇନ ଅତି ଉଚ୍ଚ ମାନର । କାନ୍ଦାହାର ତାଲିବାନର ଗଡ଼ ହୋଇଥିବାରୁ ଏତେ ବଡ଼ ପରିମାଣର ହେରୋଇନ ତାଲିବାନ ହିଁ ପଠାଇଥାଇପାରେ ବୋଲି ସଂଦେହ କରାଯାଉଛି । ଏଥିରେ ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସଆଇ ମଧ୍ୟ ସଂପୃକ୍ତ ଥିବା କୁହାଯାଉଛି ।

ସମ୍ବନ୍ଧିତ ଖବର