ବାୟୁସେନା ଅଧିକାରୀ ହତ୍ୟା ମାମଲାରେ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି : ଏନଆଇଏ କୋର୍ଟ

ନୂଆଦିଲ୍ଲୀ : ଚାରିଜଣ ବାୟସେନା ଅଧିକାରୀଙ୍କ ହତ୍ୟାମାମଲାରେ କୁଖ୍ୟାତ ବିଚ୍ଛିନ୍ନତାବାଦୀ ନେତା ତଥା ଜମ୍ମୁ ଓ କଶ୍ମୀର ମୁକ୍ତି ସାମୁଖ୍ୟ (ଜେକେଏଲଏଫ)ର ମୁଖ୍ୟ ୟାସିନ ମଲ୍ଲିକ ବିରୁଦ୍ଧରେ ଯଥେଷ୍ଟ ପ୍ରମାଣ ରହିଛି ବୋଲି ଜମ୍ମୁର ସ୍ୱତନ୍ତ୍ର ଏନଆଇଏ କୋର୍ଟ ଆଜି କହିଛନ୍ତି । ଏହି ଘଟଣାରେ ମଲ୍ଲିକ ଓ ଅନ୍ୟ ୬ ଜଣଙ୍କ ବିରୁଦ୍ଧରେ ଅଭିଯୋଗପତ୍ର ଦାଖଲ ପାଇଁ ଏନଆଇଏକୁ କୋର୍ଟ ଅନୁମତି ଦେଇଛନ୍ତି । ଆସନ୍ତା ୧୬ ତାରିଖରେ ମଧ୍ୟ ଏହି ମାମଲାର ଶୁଣାଣି ଜାରି ରହିବ । ଦିଲ୍ଲୀର ତିହାର ଜେଲରେ ଥିବା ୟାସିନକୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କୋର୍ଟରେ ହାଜର କରାଯାଇଥିଲା ।
୧୯୯୦ ଜାନୁୟାରୀ ୨୫ରେ ୪ ଜଣ ବାୟୁସେନା ଅଧିକାରୀ ଶ୍ରୀନଗରର ଏକ ବସଷ୍ଟପରେ ବସକୁ ଅପେକ୍ଷା କରିଥିବାବେଳେ ୟାସିନ ମଲ୍ଲିକଙ୍କ ସମେତ କେତେକ ଆତଙ୍କବାଦୀ ସେମାନଙ୍କୁ ନିର୍ମମଭାବେ ଗୁଳିକରି ହତ୍ୟା କରିଥିଲେ । ଏହି ଘଟଣାରେ ଜମ୍ମୁର ଟାଡା ଅଦାଲତରେ ଏକ ମାମଲା ରୁଜ୍ଜୁ ହୋଇଥିଲେ ମଧ୍ୟ ମାମଲାଟି ଏପର୍ଯ୍ୟନ୍ତ ଅଟକି ରହିଥିଲା । ସେହିବର୍ଷ ଅଗଷ୍ଟ ଓ ସେପ୍ଟେମ୍ବର ମାସରେ ସିବିଆଇ ୟାସିନ ମଲ୍ଲିକ ବିରୋଧରେ ଚାର୍ଜସିଟ ଦାଖଲ କରିଥିଲା । କିନ୍ତୁ ଏହି ମାମଲାର ବିଚାର ଉପରେ ଜମ୍ମୁ ଓ କଶ୍ମୀର ହାଇକୋର୍ଟ ଗତ ୧୯୯୫ ମସିହାରେ ରୋକ ଲଗାଇଥିଲେ । ଏହି ମାମଲାକୁ ଜମ୍ମୁ ବଦଳରେ ଶ୍ରୀନଗରରେ ଚଳାଇବାକୁ ୨୦୦୮ରେ ୟାସିନ ଆବେଦନ କରିଥିଲେ ମଧ୍ୟ କୋର୍ଟ ତାହାକୁ ଅଗ୍ରାହ୍ୟ କରିଦେଇଥିଲେ ।

ସମ୍ବନ୍ଧିତ ଖବର