ମୋଦୀଙ୍କ ରାଲିରେ ବିସ୍ଫୋରଣ କରିଥିବା ୪ ଦୋଷୀଙ୍କୁ ଫାଶୀଦଣ୍ଡ ଶୁଣାଇଲେ ଏନଆଇଏ କୋର୍ଟ

ନୂଆଦିଲ୍ଲୀ: ବିହାର ପାଟନାର ଗାନ୍ଧୀ ମଇଦାନରେ ଆଠ ବର୍ଷ ପୂର୍ବେ ହୋଇଥିବା ବିସ୍ଫୋରଣ ମାମଲାରେ ଦୋଷୀ ସାବ୍ୟସ୍ତ ହୋଇଥିବା ୯ ଜଣଙ୍କ ମଧ୍ୟରୁ ୪ ଜଣଙ୍କୁ କୋର୍ଟ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଛନ୍ତି | ସୋମବାର ଏନଆଇଏ କୋର୍ଟ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଅନସାରୀଙ୍କୁ ମୃତ୍ୟୁଦଣ୍ଡରେ ଦଣ୍ଡିତ କରିଥିବାବେଳେ ଦୁଇ ଦୋଷୀ ଓମାର ସିଦ୍ଦିକି, ଅଜହରୁଦ୍ଦିନଙ୍କୁ ଆଜୀବନ କାରାଦଣ୍ଡରେ ଦଣ୍ଡିତ କରାଯାଇଛି | ସେହିପରି ଅହମ୍ମଦ ହୁସେନ୍, ଫିରୋଜ ଅସଲାମଙ୍କୁ ୧୦ ବର୍ଷ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି ।

ଏହା ବ୍ୟତୀତ ଇଫତିକର ଆଲାମକୁ ସାତ ବର୍ଷ ପାଇଁ ଦଣ୍ଡିତ କରାଯାଇଛି। ସୂଚନା ଥାଉ କି ଅକ୍ଟୋବର ୨୭, ୨୦୧୩ରେ ଗାନ୍ଧୀ ମଇଦାନରେ ବିଜେପିର ଏକ ସମାବେଶକୁ ସମ୍ବୋଧିତ କରିବା ପାଇଁ ବର୍ତ୍ତମାନର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପାଟନାକୁ ଆସିଥିଲେ | ଆଉ ଏହି ସମୟରେ ସିରିଏଲ ବୋମା ବିସ୍ଫୋରଣ ଘଟିଥିଲା। ଏହି ଘଟଣାରେ ୬ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୮୯ ଜଣ ଆହତ ହୋଇଥିଲେ । ଏହି ମାମଲାର ମୁଖ୍ୟ ଅଭିଯୁକ୍ତ ତଥା ଷଡଯନ୍ତ୍ରକାରୀ ହାୟଦର ଅଲି ସମେତ ଦଶଜଣଙ୍କ ବିରୋଧରେ ଏନଆଇଏ ପକ୍ଷରୁ କୋର୍ଟରେ ଚାର୍ଜସିଟ୍ ଦାଖଲ କରାଯାଇଥିଲା।

ଏହି ଘଟଣାରେ ଏନଆଇଏ ଦ୍ୱାରା ଅନୁସନ୍ଧାନ ପରେ, ୨୧ ଅଗଷ୍ଟ ୨୦୧୪ରେ ହାୟଦର ଅଲି, ନୋମାନ ଅନସାରୀ, ମୁଜିବୁଲ୍ଲା ଅନସାରୀ, ଇମତିଆଜ ଆଲାମ, ଅହମ୍ମଦ ହୁସେନ୍, ଫାକରୁଦ୍ଦିନ, ଫିରୋଜ ଅସଲମ, ଇମତିଆଜ ଅନସାରୀ, ଇଫତିକର ଆଲାମ, ଅଝରୁଦ୍ଦିନ କୁରେସି ଏବଂ ଜଣେ ନାବାଳକଙ୍କ ବିରୋଧରେ ଚାର୍ଜସିଟ ଦାଖଲ କରାଯାଇଥିଲା। ତେବେ ଫାକରୁଦ୍ଦିନଙ୍କୁ ନିର୍ଦ୍ଦୋଷରେ ଖଲାସ କରି ଅନ୍ୟ ସମସ୍ତ ଅଭିଯୁକ୍ତଙ୍କୁ କୋର୍ଟ ଦୋଷୀ ସାବ୍ୟସ୍ତ କରିଥିଲେ |

ସମ୍ବନ୍ଧିତ ଖବର