୧୦ କୁଖ୍ୟାତ ଆତଙ୍କବାଦୀ ଗିରଫ: ଦିଲ୍ଲୀର ଜନଗହଳିପୂର୍ଣ୍ଣ ସ୍ଥାନ ଓ ଭିଆଇପିଙ୍କ ଉପରେ ହାମ୍‌ଲା ପାଇଁ ଯୋଜନା କରୁଥିଲେ

ନୂଆଦିଲ୍ଲୀ: କୁଖ୍ୟାତ ଆତଙ୍କବାଦୀ ଆଇଏସ୍‌ଆଇଏସ୍‌ ଦ୍ୱାରା ଅନୁପ୍ରାଣିତ ଏବଂ ସେଇ ଢ଼ାଞ୍ଚାରେ ଗଠିତ ନୂତନ ଆତଙ୍କବାଦୀ ସଂଗଠନ ‘ହରକତ୍‌ ଉଲ୍‌ ହର୍ବ ଇ ଇସ୍‌ଲାମ’ର ୧୦ ଆତଙ୍କବାଦୀଙ୍କୁ ଆଜି ଏନ୍‌ଆଇଏ ଓ ଉତ୍ତର ପ୍ରଦେଶ ଏଟିଏସ୍‌ ପକ୍ଷରୁ ଗିରଫ କରାଯାଇଛି। ଉତ୍ତରଭାରତ ବିଶେଷ କରି ରାଜଧାନୀ ଦିଲ୍ଲୀର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ସେମତ ଦେଶର ଭିଆଇପି ଓ ପ୍ରମୁଖ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପରେ ଆତଙ୍କୀ ହାମ୍‌ଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିବା ସହ ଏମାନେ ସୁଯୋଗ ଅପେକ୍ଷାରେ ରହିଥିଲେ।

ତେବେ, ଏସଂପର୍କରେ ଗୁଇନ୍ଦା ସୂତ୍ରରୁ ବିଶ୍ୱସ୍ତ ଏବଂ ନିର୍ଭରଯୋଗ୍ୟ ସୂଚନା ପାଇବା ପରେ ନ୍ୟାସନାଲ ଇନ୍‌ଭେଷ୍ଟିଗେଟିଭ୍‌ ଏଜେନ୍ସୀ (ଏନ୍‌ଆଇଏ) ଓ ଆଣ୍ଟି ଟେରୋରିଷ୍ଟ ସ୍କାର୍ଡ (ଏଟିଏସ୍‌) ଅଧିକାରୀମାନେ ଆଜି (ବୁଧବାର) ସକାଳୁ ରାଜଧାନୀ ନୂଆଦିଲ୍ଲୀ ସମେତ ଉତ୍ତରପ୍ରଦେଶର ୧୭ଟି ସ୍ଥାନ ଉପରେ ଚଢ଼ାଉ କରି ଏହି ଦୁର୍ଦ୍ଦାନ୍ତ ଆତଙ୍କବାଦୀମାନଙ୍କୁ ଗିରଫ କରିଥିଲେ।


ଏସଂପର୍କରେ ଗଣମାଧ୍ୟମକୁ ସୂଚନା ପ୍ରଦାନ କରି ଏନ୍‌ଆଇଏ ଆଇଜି ଆଲୋକ ମିତ୍ତଲ କହିଛନ୍ତି ଯେ ଗୁଇନ୍ଦା ସୂଚନା ମିଳିବା ପରେ ଦିଲ୍ଲୀ ଓ ଉତ୍ତରପ୍ରଦେଶରେ ଆତଙ୍କବାଦୀ ହାମ୍‌ଲା ଘଟାଇବା ପାଇଁ ଲୁଚି ରହିଥିବା ଏହି ଆତଙ୍କବାଦୀମାନଙ୍କୁ ଖୋଜି ବାହାର କରିବା ପାଇଁ ଏନ୍‌ଆଇଏ ଓ ଏଟିଏସ୍‌ ପକ୍ଷରୁ ମିଳିତ ଭାବେ ବ୍ୟାପକ ତଲାସୀ ଅଭିଯାନ ଆରମ୍ଭ ହୋଇଥିଲା। ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର ୧୭ଟି ସ୍ଥାନରେ ଏନ୍‌ଆଇଏ ଓ ଏଟିଏସ୍‌ ଅଧିକାରୀମାନେ ଚଢ଼ାଉ କରି ଏହି ୧୦ ଜଣ କୁଖ୍ୟାତ ଆତଙ୍କବାଦୀଙ୍କୁ ଗିରଫ କରିଥିଲେ। ଗିରଫ ହେବା ପରେ ଏହି ଆତଙ୍କବାଦୀମାନେ ରାଜଧାନୀ ଦିଲ୍ଲୀର ବିଭିନ୍ନ ଜନଗହଳି ପୂର୍ଣ୍ଣ ସ୍ଥାନ ସେମତ ଦେଶର ଭିଆଇପି ଓ ପ୍ରମୁଖ ରାଜନୈତିକ ବ୍ୟକ୍ତି ବିଶେଷଙ୍କ ଉପରେ ଆତଙ୍କୀ ହାମ୍‌ଲା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରି ସୁଯୋଗ ଅପେକ୍ଷାରେ ରହିଥିଲେ ବୋଲି ସ୍ୱୀକାର କରିଛନ୍ତି।

ସମ୍ବନ୍ଧିତ ଖବର