ବିନା ୱାରେଣ୍ଟରେ ସାମାଜିକ ତଥା ଆଦିବାସୀ ଅଧିକାର କର୍ମୀ ଷ୍ଟେନ୍‌‌ ସ୍ବାମୀଙ୍କୁ ଗିରଫ କଲା ଏନ୍‌ଆଇଏ

ରାଞ୍ଚି:  ସାମାଜିକ ତଥା ଆଦିବାସୀ ଅଧିକାର କର୍ମୀ ଷ୍ଟେନ୍‌ ସ୍ବାମୀଙ୍କୁ ନେସ୍‌ନାଲ୍‌ ଇନ୍‌ଭେଷ୍ଟିଗେସନ୍‌ ଏଜେନ୍ସି(ଏନ୍‌ଆଇଏ) ଗୁରୁବାର ଦିନ ରାଞ୍ଚିର ନମକୁମ ଅଞ୍ଚଳରେ ଥିବା ତାଙ୍କ ବାସଭବନରୁ ଗିରଫ କରିଛି। ସ୍ବାମୀଙ୍କ ସହଯୋଗୀମାନେ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ତାଙ୍କୁ ଗିରଫ କରିବା ପୂର୍ବରୁ ଏନ୍‌ଆଇଏ କୌଣସି ୱାରେଣ୍ଟ୍‌ ଜାରି କରିନାହିଁ। ବିନା ୱାଣ୍ଟେରେ ଏନ୍‌ଆଇଏ ସ୍ବାମୀଙ୍କୁ ଧରି ନେଇ ଅଟକ ରଖିଛି ବୋଲି ଜାଣିବାକୁ ମିଳିଛି।

ପୁଣେରେ ୨୦୧୮ ମସିହା ଭୀମା-କୋରେଗାଓଁ ହିଂସା ମାମଲାର ଅନ୍ୟତମ ଅଭିଯୁକ୍ତ ୮୩ ବର୍ଷିୟା ଷ୍ଟେନ୍‌ ସ୍ବାମୀଙ୍କ  ବାସଭବନରେ ପୂର୍ବରୁ ୨୦୧୮ ମସିହା ଅଗଷ୍ଟ ୨୮ ଓ ୨୦୧୯ ମସିହା ଜୁନ୍‌ ୧୨ ତାରିଖରେ ଦୁଇ ଥର ଚଢ଼ାଉ ହୋଇଥିଲା।

Times of India

ବିଶେଷ ସୂତ୍ରରୁ ଜାଣିବାକୁ ମିଳିଛି ଯେ ଏନଆଇଏ ଟିମ୍ ସ୍ଥାନୀୟ ପୁଲିସ୍‌କୁ ସୂଚନା ନ ଦେଇ ସ୍ବାମୀଙ୍କ ବାସଭବନରେ ପହଞ୍ଚିଥିଲା। ସ୍ବାମୀଙ୍କର ଜଣେ ସହଯୋଗୀ ଅଭିଯୋଗ ଆଣି କହିଛନ୍ତି ଯେ ଏନଆଇଏ ଟିମ୍‌ର ସଦସ୍ୟମାନେ ତାଙ୍କ ସହ ଦୁର୍ବ୍ୟବହାର କରିବା ସହ ତାଙ୍କୁ ବଳପୂର୍ବକ ଉଠାଇ ନେଇଛନ୍ତି। ଯଦିଓ ସେ ପୂର୍ବରୁ ସବୁବେଳେ ତଦନ୍ତରେ ସହଯୋଗ କରି ଆସିଛନ୍ତି।

ସିପିଆଇ (ଏମ୍-ଏଲ୍) ରାଜ୍ୟ ସଚିବ ଜନାର୍ଦ୍ଦନ ପ୍ରସାଦ ଏବଂ ବାଗୋଦର ବିଧାୟକ ବିନୋଦ ସିଂ  ଏନଆଇଏର ଏପରି କାର୍ଯ୍ୟକୁ ନିନ୍ଦା କରି କହିଛନ୍ତି, ‘ସ୍ବାମୀ କୌଣସି ବି ପ୍ରଶ୍ନକୁ କେବେ ଏଡ଼େଇ ଯାଇନାହାନ୍ତି। ତଦନ୍ତରେ ସେ ସବୁବେଳେ ସହଯୋଗ କରି ଆସିଛନ୍ତି। ଏନଆଇଏର ଏପରି ବ୍ୟବହାର ନିନ୍ଦାଜନକ।’ ଆଉ କିଛି ସ୍ବାମୀଙ୍କ ସହଯୋଗୀ କ୍ଷୋଭ ପ୍ରକାଶ କରି କହିଛନ୍ତି କି କରୋନା ପରିସ୍ଥିତିରେ ଜଣେ ବୃଦ୍ଧ ବ୍ୟକ୍ତିଙ୍କୁ ଏପରି ଜବରଦସ୍ତ ଟେକି ନେବା କ’ଣ ଏମିତି ଆବଶ୍ୟକ ପଡ଼ିଗଲା ତାହା ଆମେ ଜାଣି ପାରୁନାହିୁଁ।’

ସମ୍ବନ୍ଧିତ ଖବର