ଭୀମା କୋରେଗାଓଁ ମାମଲାରେ ଆଠଜଣଙ୍କ ନାମରେ ଚାର୍ଜସିଟ୍‌ ଦାଖଲ କଲା ‘ଏନ୍ଆଇଏ’

ମୁମ୍ବାଇ: ଶୁକ୍ରବାର ଦିନ ‘ଏନ୍‌ଆଇଏ’ ଭୀମା କୋରେଗାଓଁ ମାମଲାରେ ସାମାଜିକ କର୍ମୀ ଗୌତମ ନବଲକ୍ଷ, ଦିଲ୍ଲୀ ବିଶ୍ବବିଦ୍ୟାଳୟର ସହକାରୀ ପ୍ରଫେସର ହାନି ବାବୁ ଏବଂ ଜନଜାତି ନେତା ଫାଦର୍‌ ଷ୍ଟାନ୍ ସ୍ବାମୀଙ୍କ ସମତେ ଆଠଜଣଙ୍କ ନାଁରେ ଅଭିଯୋଗଫର୍ଦ୍ଦ ବା ଚାର୍ଜସିଟ୍‌ ଦାଖଲ କରିଛି। ୨୦୧୮ ଜାନୁଆରି ୧ ତାରିଖରେ ଭୀମା କୋରେଗାଓଁରେ ସେମାନେ ଉତ୍ତ୍ୟକ୍ତ ଜନତାଙ୍କୁ ହିଂସାକାଣ୍ଡ ଭିଆଇବାକୁ ଉସ୍‌କାଇଥିବା ଅଭିଯୋଗ ହୋଇଥିଲା ବୋଲି ସରକାରୀ ଅଧିକାରୀମାନେ କହିଛନ୍ତି।

‘ଏନ୍‌ଆଇଏ’ ମୁଖପାତ୍ର ତଥା ଏଜେନ୍‌ସିର ପୋଲିସ୍ ଡେପୁଟି ଇନ୍‌ସପେକ୍ଟର୍ ଜେନେରାଲ୍ ସୋନିଆ ନାରଙ୍ଗ କହିଛନ୍ତି, ମୁମ୍ବାଇସ୍ଥିତ ଏକ ‘ଡେଜିଗ୍‌ନେଟେଡ୍‌ କୋର୍ଟ’ରେ ଏହି ଅଭିଯୋଗଫର୍ଦ୍ଦ ଦାଖଲ କରାଯାଇଛି। ତଦନ୍ତ ଚାଲିଥିବା ସମୟରେ ଆଠଜଣ ଲୋକଙ୍କୁ ଗିରଫ କରାଯାଇଥିଲା।

Image Courtesy of The Tribune

ଅଭିଯୋଗଫର୍ଦ୍ଦରେ ଉଲ୍ଲେଖ ହୋଇଥିବା ଅନ୍ୟ ବ୍ୟକ୍ତିମାନେ ହେଉଛନ୍ତି, ଗୋଆ ମ୍ୟାନେଜ୍‌ମେଣ୍ଟ୍‌ ଇନ୍‌ଷ୍ଟିଚ୍ୟୁଟ୍‌ର ପ୍ରଫେସର୍ ଆନନ୍ଦ ତେଲ୍‌ତୁମ୍ବଡ଼େ ଏବଂ ଜ୍ୟୋତି ଜଗତାପ, ‘ଭୀମା କୋରେଗାଓଁ ଶୌର୍ଯ୍ୟ ଦିନ ପ୍ରେରଣା ଅଭିଯାନ ଦଳ’ର କର୍ମୀ ସାଗର ଗୋର୍ଖେ ଏବଂ ରମେଶ ଗୈଚୋର।

ମିଳିନ୍ଦ ତେଲ୍‌ତୁମଡ଼େଙ୍କୁ ମଧ୍ୟ ‘ଏନ୍‌ଆଇଏ’ ଅଭିଯୁକ୍ତ କରିଛି, କିନ୍ତୁ ସେ ଫେରାର ହୋଇଯାଇଛନ୍ତି। ଏ ବର୍ଷ ଜାନୁଆରି ୨୪ ତାରିଖରେ ‘ଏନ୍‌ଆଇଏ’ ଏହି ମାମଲା ହାତକୁ ନେଇଥିଲା।

୨୦୧୮ ଜାନୁଆରି ୧ ତାରି‌ଖରେ ପୁଣେ ନିକଟରେ ‘କୋରେଗାଓଁ ସଂଗ୍ରାମ’ର ୨୦୦ ବାର୍ଷିକୀ ପାଳନ ସମୟରେ ସଂଗଠିତ ସଂଘର୍ଷ ଏବଂ ସେଥିରେ ଜଣେ ବ୍ୟକ୍ତିଙ୍କ ମୃତ୍ୟୁ ଏବଂ ଅନ୍ୟ କେତେକ ବ୍ୟକ୍ତି ଆହତ ହେବା ଘଟଣା ସହ ଏହି ମାମଲା ସମ୍ପୃକ୍ତ।

ସମ୍ବନ୍ଧିତ ଖବର