ଆଫଗାନିସ୍ତାନରୁ ଆସୁଥିବା ଡ୍ରଗ୍ସ ପଛରେ ପାକିସ୍ତାନୀ ଆତଙ୍କବାଦୀ ଲିଙ୍କ୍

ମୁନ୍ଦ୍ରା ବନ୍ଦର ଡ୍ରଗ୍ସ ଜବତ ମାମଲାରେ ଚାର୍ଜସିଟ୍ ଦାଖଲ କଲା ଏନଆଇଏ

ନୂଆଦିଲ୍ଲୀ : ଗତ ବର୍ଷ ଗୁଜୁରାଟର ମୁନ୍ଦ୍ରା ବନ୍ଦରରୁ ଜବତ ହୋଇଥିବା ରେକର୍ଡ ୨୯୯୮ କିଲୋଗ୍ରାମ ଡ୍ରଗ୍ସ ମାମଲାର ୧୬ ଜଣଙ୍କ ନାଁରେ ଚାର୍ଜସିଟ୍ ଦାଖଲ କରିଛି ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏ । ଏହି ଚାର୍ଜସିଟରେ ଏନଆଇଏ ପକ୍ଷରୁ କେତେକ ସାଂଘାତିକ ଷଡ଼ଯନ୍ତ୍ର ସଂପର୍କରେ ସଂକେତ ଦିଆଯାଇଛି ।

ଏହି ଚାର୍ଜସିଟରେ ଦର୍ଶାଇଛି ଯେ ଏସବୁ ନିଶାଦ୍ରବ୍ୟ ଆଫଗାନିସ୍ତାନରୁ ଆସୁଥିଲା ଓ ଏଗୁଡ଼ିକୁ  ଦିଲ୍ଲୀର ଏକ ଗୋଦାମରେ ରଖାଯାଇଥିଲା । ଏସବି ଡ୍ରଗ୍ସ ଦିଲ୍ଲୀ ଓ ପଞ୍ଜାବରେ ବିତରଣ କରାଯାଇଥାନ୍ତା । ଏଥିରୁ ମିଳିବାକୁ ଥିବା ଅର୍ଥ ପାକିସ୍ତାନ ଯାଇ ଭାରତ ବିରୋଧୀ ଆତଙ୍କବାଦୀ କାର୍ଯ୍ୟକଳାପରେ ବ୍ୟବହାର ହୋଇଥାନ୍ତା । ପୂର୍ବରୁ ଏପରି ଅନେକ ଥର ନିଶା କାରବାର ହୋଇଆସୁଛି । ଏସବୁ ଅର୍ଥ ପଛରେ ଆଫଗାନିସ୍ତାନର କିଛି ସଂଗଠନ, ପାକିସ୍ତାନର କିଛି ସଂଗଠନ ସଂପୃକ୍ତ ଥିବା ଜଣାଯାଇଛି ।

ଚାର୍ଜସିଟରେ ନାଁ ଥିବା ୧୬ ଜଣଙ୍କ ମଧ୍ୟରୁ ୧୦ ଜଣ ଗିରଫ ହୋଇଥିବାବେଳେ ଆଉ ୬ ଜଣ ଫେରାର ଅଛନ୍ତି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଅଧିକାଂଶ ଆଫଗାନିସ୍ତାନର ହୋଇଥିବାବେଳେ କିଛି ବ୍ୟକ୍ତି ଭାରତର ତାମିଲନାଡ଼ୁ ଓ ଉତ୍ତରପ୍ରଦେଶର ବୋଲି ଜଣାପଡ଼ିଛି । ଅଭିଯୁକ୍ତମାନଙ୍କ ମଧ୍ୟରୁ ଜଣେ ବ୍ୟକ୍ତି ଇରାନ ନାଗରିକ ଥିବା ଜଣାଯାଇଛି ।

ସୂଚନାଯୋଗ୍ୟ ଯେ ୨୦୨୧ ସେପ୍ଟେମ୍ବର ମାସରେ ମୁନ୍ଦ୍ରା ବନ୍ଦରରେ ଜବତ ହୋଇଥିବା ଏକ କଣ୍ଟେନରରୁ ରେକର୍ଡ ୨୯୯୮ କିଲୋଗ୍ରାମ ନାର୍କୋଟିକ୍ସ ଡ୍ରଗ୍ସ ଜବତ ହୋଇଥିଲା । ଏହାର ମୂଲ୍ୟ ପ୍ରାୟ ୩ ହଜାର କୋଟି ଟଙ୍କା ହେବା ଅଟକଳ କରାଯାଉଛି ।

ସମ୍ବନ୍ଧିତ ଖବର