ନୂଆଦିଲ୍ଲୀ: ନୂଆଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଶକ୍ତିଶାଳୀ ବିସ୍ଫୋରଣରେ ୧୨ ଜଣଙ୍କ ମୃତ୍ୟୁ ଘଟଣା ସାରା ଦେଶକୁ ସ୍ତବ୍ଧ କରିଛି। ଏହି ଘଟଣାର ତଦନ୍ତ ତ୍ବରାନ୍ବିତ ହୋଇଥିବା ବେଳେ ଏବେ ଏହାକୁ ନେଇ ଅନେକ ଲିଙ୍କ୍ର ପର୍ଦ୍ଦାଫାସ ହେବାରେ ଲାଗିଛି। ଏନ୍ଆଇଏ ସମେତ ବିଭିନ୍ନ ତଦନ୍ତକାରୀ ସଂସ୍ଥା ଏବେ ଫରିଦାବାଦ ସ୍ଥିତ ଅଲ୍ ଫଲାହ ବିଶ୍ବବିଦ୍ୟାଳୟ ଉପରେ ସେମାନଙ୍କ ଫୋକସ୍ ରଖିଛନ୍ତି। ମାମଲାରେ ଡାକ୍ତର ଏବଂ ପ୍ରଫେସରଙ୍କ ସମେତ ଅନେକ ଅଭିଯୁକ୍ତ ଏହି ଅନୁଷ୍ଠାନର ପୂର୍ବତନ ଛାତ୍ର କିମ୍ବା ଅନୁଷ୍ଠାନରେ କାର୍ଯ୍ୟରତ ଥିବା ଜଣାପଡ଼ିଛି। ଏବେ ଏହି ଦିଗକୁ ତଦନ୍ତକାରୀ ଦଳ ଭଲଭାବେ ତଦନ୍ତ କରୁଛନ୍ତି। ସନ୍ଦିଗ୍ଧ ଆତ୍ମଘାତୀ ଆକ୍ରମଣକାରୀ ଡାକ୍ତର ମହମ୍ମଦ ଉମର ନବି ବିଶ୍ବବିଦ୍ୟାଳୟର ମେଡିକାଲ କଲେଜରେ ଜଣେ ସହକାରୀ ପ୍ରଫେସର ଥିଲା। ଗିରଫ ହୋଇଥିବା ଅନ୍ୟ ୨ ଜଣ ଡାକ୍ତର ତଥା ଡାକ୍ତର ମୁଜାମିଲ ସକିଲ ଏବଂ ଶାହିନ ସାହିଦ ମଧ୍ୟ ଏହି ବିଶ୍ବବିଦ୍ୟାଳୟରେ କାର୍ଯ୍ୟ କରିଥିଲେ। ଉଭୟଙ୍କୁ ଅସ୍ତ୍ରଶସ୍ତ୍ର ଏବଂ ପ୍ରଚୁର ପରିମାଣର ଗୋଳାବାରୁଦ ସହ ଗିରଫ କରାଯାଇଥିଲା।
ତଦନ୍ତକାରୀ ଅଧିକାରୀଙ୍କ କହିବା ଅନୁଯାୟୀ ବିଶ୍ବବିଦ୍ୟାଳୟ ପରିସରର ଲାବ୍ରୋଟୋରି ଏବଂ ମେଡିକାଲ ଭିତ୍ତିଭୂମି ଆଇଇଡି ପ୍ରସ୍ତୁତି ପାଇଁ ଅପବ୍ୟବହାର କରାଯାଇଥିଲା କି ନାହିଁ ସେ ଦିଗରେ ତଦନ୍ତ କରାଯାଉଛି। ତଦନ୍ତକାରୀ ସଂସ୍ଥା ଏଯାବତ ୨୯୦୦ କିଲୋଗ୍ରାମ ବିସ୍ଫୋରକ, ଅତ୍ୟାଧୁନିକ ରାଇଫଲ ପ୍ରସ୍ତୁତି ସାମଗ୍ରୀ ଜବତ କରିଛି। ସେହିପରି ସନ୍ଦିଗ୍ଧଙ୍କ ଦ୍ବାରା ବ୍ୟବହାର କରାଯାଉଥିବା ଯୋଗାଯୋଗ ଉପକରଣ ମଧ୍ୟ ପୁଲିସ ଜବତ କରିଛି।
ଉଲ୍ଲେଖଯୋଗ୍ୟ, ଅଲ୍ ଫଲା ବିଶ୍ବବିଦ୍ୟାଳୟ ଦିଲ୍ଲୀର ଜାମିଆ ମିଲିଆ ଇସଲାମିଆଠାରୁ ମାତ୍ର ୩୦ କିମି ଦୂରରେ। ଅଲ୍ ଫଲାହ ଚାରିଟେବଲ ଟ୍ରଷ୍ଟ୍ ଦ୍ବାରା ଏହା ପରିଚାଳନା କରାଯାଉଛି ଏବଂ ନୂଆଦିଲ୍ଲୀ ଓ ଖଲାର ଜାମିଆ ନଗରରେ ଏହାର ପଂଜୀକରଣ କରାଯାଇଛି। ୧୯୯୫ରେ ପ୍ରତିଷ୍ଠା ହୋଇଥିବା ଏହି ଟ୍ରଷ୍ଟ୍ ଉଚ୍ଚ ଶିକ୍ଷା ବାଦ୍ ‘ଫଲା ୱାଟର ଏଡ୍’, ‘ଫଲା ଫୁଡ୍ ଏଡ୍’, ‘ଫଲା ୱିଣ୍ଟର ଏଡ୍’ ଇତ୍ୟାତି ପରିଚାଳନା କରୁଥିଲା। ଅଲ ଫଲା ମେଡିକାଲ କଲେଜ ଏବେ ତଦନ୍ତର ମୁଖ୍ୟ କେନ୍ଦ୍ରବିନ୍ଦୁରେ ପରିଣତ ହୋଇଛି। ଅଲ ଫଲା ବିଶ୍ବବିଦ୍ୟାଳୟର ଧୌଜ କ୍ୟାମ୍ପସ୍ ଅଧୀନରେ ଏହା କାର୍ଯ୍ୟକ୍ଷମ। ବିଶ୍ବବିଦ୍ୟାଳୟ ୭୦ ଏକର ବ୍ୟାପୀ ଅଞ୍ଚଳରେ ପରିବ୍ୟାପ୍ତ। ପ୍ରଥମେ ୧୯୯୭ରେ ଏହା ଏକ ଇଞ୍ଜିନିୟରିଂ କଲେଜ ଭାବେ ଆରମ୍ଭ ହୋଇଥିଲା। ୨୦୧୩ରେ ଅଲ ଫଲାହକୁ ଏ ଶ୍ରେଣୀ ନାକ୍ (ନ୍ୟାସନାଲ ଆସେସମେଣ୍ଟ ଆଣ୍ଡ ଆକ୍ରିଡିଏସନ୍ କାଉନସିଲ) ସ୍ବିକୃତୀ ମିଳିଥିଲା। ୨୦୧୪ରେ ହରିୟାଣା ସରକାର ଅଲ ଫଲାହକୁ ବିଶ୍ବବିଦ୍ୟାଳୟ ମାନ୍ୟତା ପ୍ରଦାନ କରିଥିଲେ। ମେଡିକାଲ କଲେଜରେ ୨୦୧୯ରେ ଏମବିବିଏସ୍ କୋର୍ସ ଏବଂ ୨୦୨୩ରେ ପୋଷ୍ଟଗ୍ରାଜୁଏଟ୍ କୋର୍ସ ଯୋଡ଼ି ହୋଇଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/11/13/untitled-5-2025-11-13-06-21-41.jpg)