ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ ପାଇଁ ତାଲିବାନ ସହ ଲିଙ୍କ୍‌ ଥିବା ବ୍ୟକ୍ତିଙ୍କ ନିକଟରୁ ଏନଆଇଏକୁ ମିଳିଲା ଧମକପୂର୍ଣ୍ଣ ଇ-ମେଲ୍‌

ମୁମ୍ବାଇ: ଜାତୀୟ ଅନୁସନ୍ଧାନ ଏଜେନ୍‌ସି (ଏନଆଇଏ) ମୁମ୍ବାଇ କାର୍ଯ୍ୟାଳୟକୁ ଗୁରୁବାର ଦିନ ଏକ ଇମେଲ ଆସିଛି। ଏନଆଇଏକୁ ଆସିଥିବା ଏହି ଇ-ମେଲରେ ଧମକ ମିଳିଛି ଯେ ଜଣେ ବ୍ୟକ୍ତି ଦେଶର ଆର୍ଥିକ ରାଜଧାନୀ ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିବେ। ଏଥିସହ ଇ-ମେଲରେ ଦାବି କରାଯାଇଛି ଯେ ତାଲିବାନ ସହିତ ସଂପୃକ୍ତ ଥିବା ଜଣେ ବ୍ୟକ୍ତି ମୁମ୍ବାଇରେ ଏହି ଆକ୍ରମଣ କରିବେ।

ଏହି ଧମକପୂର୍ଣ୍ଣ ଇ-ମେଲ ମିଳିବା ପରେ ମୁମ୍ବାଇ ମହାନଗର ପୁଲିସ ଏବଂ ମହାରାଷ୍ଟ୍ର ଆତଙ୍କବାଦ ନିରୋଧୀ ସ୍କାର୍ଡ (ଏଟିଏସ)କୁ ସତର୍କ କରାଇ ଦିଆଯାଇଛି।

ପୁଲିସ ସୂତ୍ରରୁ ହସ୍ତଗତ ହୋଇଥିବା ରିପୋର୍ଟ ଅନୁଯାୟୀ, ଧମକ ବାର୍ତ୍ତା ପଠାଇବା ପାଇଁ ବ୍ୟବହୃତ ଇ-ମେଲ ଠିକଣାରେ ‘ସିଆଇଏ’ ଉଲ୍ଲେଖ ଥିଲା ଏବଂ ପ୍ରେରକ ଦାବି କରିଥିଲେ ଯେ ତାଲିବାନ ସହିତ ସମ୍ପର୍କ ଥିବା ଜଣେ ବ୍ୟକ୍ତି ମୁମ୍ବାଇରେ ଆତଙ୍କବାଦୀ ଆକ୍ରମଣ କରିବେ। ପ୍ରେରକଙ୍କ ଆଇପି (ଇଣ୍ଟରନେଟ୍‌ ପ୍ରୋଟୋକଲ) ଠିକଣା ପାକିସ୍ତାନରୁ ଠାବ କରାଯାଇଛି ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି।

ଏହି ଘଟଣାର ତଦନ୍ତ ଆରମ୍ଭ କରାଯାଇଛି। ଇ-ମେଲର ସତ୍ୟତା ନେଇ ପୁଲିସ ସନ୍ଦେହରେ ଅଛି। କାରଣ ଏହିପରି ଏକ ଇ-ମେଲ ପୂର୍ବରୁ ମଧ୍ୟ ଅନୁସନ୍ଧାନ ଏଜେନ୍‌ସିକୁ ଆସିଥିଲା। ଉଲ୍ଲେଖଯୋଗ୍ୟ, ଜାତୀୟ ତଦନ୍ତକାରୀ ଏଜେନ୍‌ସି ଏନଆଇଏ ଗତ ମାସରେ ମଧ୍ୟ ସମାନ ଧରଣର ଏକ ଇ-ମେଲ୍‌ ପାଇଥିଲା।

ସମ୍ବନ୍ଧିତ ଖବର