ନୂଆଦିଲ୍ଲୀ: ଭାରତରେ ଆତଙ୍କବାଦୀ ସଂଗଠନ ଆଇଏସ୍ (ଇସ୍ଲାମିକ୍ ଷ୍ଟେଟ୍) ସକ୍ରିୟ ଅଛି କି ନାହିଁ କିମ୍ବା ଆଗକୁ କୌଣସି ବଡ଼ଧରଣର ଆତ୍ମଘାତୀ ଆକ୍ରମଣ ଯୋଜନା ଅଛି କି ନାହିଁ, ତାହା ଜାଣିବା ଲାଗି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ଏବେ ଆଇଏସ୍ର ଚେର ଖୋଜିବ। ଏଥିପାଇଁ ଗତକାଲି ଗିରଫ ହୋଇଥିବା ୧୦ ସନ୍ଦିଗ୍ଧଙ୍କୁ ୧୨ ଦିନ ରିମାଣ୍ଡରେ ନେଇଛି ଏନ୍ଆଇଏ। ଦିଲ୍ଲୀର ପଟିଆଲା ହାଉସ୍ କୋର୍ଟ ଆଇଏସ୍ଆଇଏସ୍ର ଭାରତ ଶାଖା ହରକତ୍-ଉଲ୍-ହର୍ବ-ଏ-ଇସ୍ଲାମ୍ର ଏହି ୧୦ ଜଣଙ୍କୁ ରିମାଣ୍ଡରେ ନେବା ଲାଗି ଏଜେନ୍ସିକୁ ଅନୁମତି ଦେଇଛନ୍ତି। ଗତକାଲି ଦିଲ୍ଲୀ ଓ ଉତ୍ତର ପ୍ରଦେଶରେ ମୋଟ ୧୭ଟି ଜାଗାରେ ମାରାଥନ୍ ଚଢ଼ଉ ପରେ ଏହି ୧୦ ଜଣଙ୍କୁ ଗିରଫ କରାଯାଇଥିଲା। ଆଜି ସେମାନଙ୍କୁ ଏନ୍ଆଇଏ ପଟିଆଲା ହାଉସ୍ କୋର୍ଟରେ ହାଜର କରିଥିଲା। ମାମଲା ଅତ୍ୟନ୍ତ ସାଙ୍ଘାତିକ ହୋଇଥିବାରୁ ଏମାନଙ୍କୁ ଜେରା କରିବା ଲାଗି ଅତିକମ୍ରେ ୧୫ ଦିନ ହେପାଜତକୁ ନେବା ପାଇଁ ଏଜେନ୍ସି ଆବେଦନ କରିଥିଲା। ତେବେ କୋର୍ଟ ୧୨ ଦିନ ରିମାଣ୍ଡରେ ନେବା ଲାଗି ଅନୁମତି ଦେଇଛନ୍ତି। ଗିରଫ ହୋଇଥିବା ଏହି ସନ୍ଦିଗ୍ଧମାନେ ଦେଶର ରାଜନେତା ଓ ଦିଲ୍ଲୀର ସରକାର ପ୍ରତିଷ୍ଠାନଗୁଡ଼ିକ ସମେତ ଉତ୍ତର ପ୍ରଦେଶର ବିଭିନ୍ନ ଜନଗହଳିପୂର୍ଣ୍ଣ ଜାଗାରେ ବଡ଼ଧରଣ ବିସ୍ଫୋରଣ ଘଟାଇବା ପାଇଁ ପ୍ରସ୍ତୁତି ଚଳାଇଥିଲେ। କିନ୍ତୁ ସେମାନଙ୍କ ସମସ୍ତ ଯୋଜନା ପଣ୍ଡ କରି ଏନ୍ଆଇଏ ସମସ୍ତଙ୍କୁ କାବୁ କରିନେଇଥିଲା। ସେମାନଙ୍କୁ ଆଜି ବ୍ୟାପକ ସୁରକ୍ଷା ବ୍ୟବସ୍ଥା ସହ ସ୍ବତନ୍ତ୍ର ବିଚାରପତି ଅଜୟ ପାଣ୍ଡେଙ୍କ ଅଦାଲତରେ ହାଜର କରାଯାଇଥିଲା। ସମସ୍ତଙ୍କ ମୁହଁରେ କପଡ଼ା ଘୋଡ଼ାଯାଇଥିଲା। ଏମିତି କି ବନ୍ଦ କୋଠରିରେ ଶୁଣାଣି କରିବା ଲାଗି ଅଦାଲତ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ଆଜି ସନ୍ଦିଗ୍ଧମାନଙ୍କୁ କୋର୍ଟଚାଲାଣ କରାଯିବା ସମୟରେ ୫ ଜଣଙ୍କ ପରିବାର ଲୋକ ତଥା ପିତାମାତା ସେମାନଙ୍କୁ ଦେଖା କରିବା ପାଇଁ ଅନୁମତି ମାଗିବା ପରେ ସେମାନଙ୍କୁ କୋର୍ଟ ଅନୁମତି ଦେଇଥିଲେ। ଉଲ୍ଲେଖଯୋଗ୍ୟ, ରାଜଧାନୀ ଦିଲ୍ଲୀରେ ସିରିଜ୍ ବିସ୍ଫୋରଣ ଘଟାଇବା ପାଇଁ ଆଇଏସ୍ (ଇସ୍ଲାମିକ୍ ଷ୍ଟେଟ୍) ବଡ଼ ଷଡ଼୍ଯନ୍ତ୍ର କରିଥିଲା।
ଭାରତରେ ଆଇଏସ୍ ଚେର ଖୋଜିବ ଏନ୍ଆଇଏ
ସନ୍ଦିଗ୍ଧ ୧୦ ଆତଙ୍କୀଙ୍କୁ ୧୨ ଦିନ ରିମାଣ୍ଡରେ ନେଲା
/sambad/media/post_attachments/wp-content/uploads/2018/12/Untitled-12-23.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)