ଶ୍ରୀନଗର: କଶ୍ମୀରର ଆତଙ୍କବାଦୀ ସଂଗଠନ ହିଜ୍ବୁଲ ମୁଜାହିଦ୍ଦିନ ଘାଟିରେ ପୁଣି ସୁରକ୍ଷା ବାହିନୀ ଉପରେ ଆତ୍ମଘାତୀ ଆକ୍ରମଣ କରାଯିବ ବୋଲି ଆଜି ଧମକ ଦେଇଛି। ପୁଲ୍ୱାମା ଆତ୍ମଘାତୀ ଆକ୍ରମଣ ପରି ବଡ଼ ଆକ୍ରମଣ କରାଯିବ ଏବଂ ସ୍ଥାନୀୟ ଯୁବକଙ୍କୁ ନେଇ ଏହି ଆକ୍ରମଣ ହେବ ବୋଲି ହିଜ୍ବୁଲ ଆଜି ଏକ ଅଡିଓ ବାର୍ତ୍ତା ଜାରି କରି କହିଛି। ହିଜ୍ବୁଲ ପ୍ରତି ସ୍ଥାନୀୟ ବିଚ୍ଛିନ୍ନତାବାଦୀଙ୍କ ପୂର୍ଣ୍ଣ ସମର୍ଥନ ଥିବାରୁ ଏବେ କଶ୍ମୀରରେ ସୁରକ୍ଷା କଡ଼ାକଡ଼ି କରାଯାଇଛି। ଦକ୍ଷିଣ କଶ୍ମୀରରେ ସେନା ମୁତୟନ ବଢ଼ିଥିବା ବେଳେ ସର୍ବାଧିକ ସମ୍ବେଦନଶୀଳ ପୁଲୱାମା ଅଂଚଳରେ କଠୋର ଯାଞ୍ଚ ବ୍ୟବସ୍ଥା ଗ୍ରହଣ କରାଯାଇଛି। ହିଜ୍ବୁଲ କହିଛି ଯେ ଏବେ କଶ୍ମୀର ଉପତ୍ୟକାରେ ସ୍ଥାନୀୟ ଯୁବକଙ୍କ ପାଇଁ ‘ କର ବା ମର’ ସ୍ଥିତି ସୃଷ୍ଟି ହୋଇଥିବାରୁ ସେମାନେ ଆତ୍ମଘାତୀ ଆକ୍ରମଣ ପାଇଁ ତୟାର ରହିଛନ୍ତି। ତେବେ ପ୍ରଥମ ଥର ପାଇଁ କଶ୍ମୀରର ଆତଙ୍କବାଦୀ ଗୋଷ୍ଠୀ ହିଜବୁଲ୍ ଏଭଳି ଧମକ ଦେଇଥିବାରୁ ଏହାକୁ ପୁଲିସ ପ୍ରଶାସନ ଗମ୍ଭୀରତାର ସହ ନେଇଛି। ଗତ ୧୪ ତାରିଖ ଦିନ ପାକ୍ ଆତଙ୍କବାଦୀ ଗୋଷ୍ଠୀ ଜୈସ୍ ଏ ମହମ୍ମଦ ପୁଲ୍ୱାମାରେ କରିଥିବା ଆତ୍ମଘାତୀ ଆକ୍ରମଣରେ ୪୧ ଯବାନ ସହିଦ ହୋଇଯାଇଛନ୍ତି। ପୂର୍ବରୁ ୪୦ ଜଣ ଯବାନ ସହିଦ ହୋଇଥିଲେ ଏବଂ ଗୁରୁତର ଆହତ ହୋଇଥିବା ଆଉ ଜଣେ ଯବାନ ଆଜି ଆଖି ବୁଜିଦେଇଛନ୍ତି। ପୁଲୱାମା ଆକ୍ରମଣର ସମସ୍ତ ତଦନ୍ତ ଭାରତ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍ଆଇଏ) ହାତକୁ ନେଇଛି।
ହିଜବୁଲ୍ ମୁଜାହିଦ୍ଦିନ୍ କମାଣ୍ଡର ରିୟାଜ୍ ନାଇକୋ ଆତ୍ମଘାତୀ ଆକ୍ରମଣ ଧମକ ଦେଇ ସୋସିଆଲ ମିଡିଆରେ ୧୭ ମିନିଟ୍ର ଏକ ଅଡିଓ ମେସେଜ୍ ଜାରି କରିଥିବାରୁ ଏହାର ତଦନ୍ତ ଆରମ୍ଭ ହୋଇଛି। ଏଥିରେ ରିୟାଜ୍ କହିଛି ଯେ ଏବେ କଶ୍ମୀରରେ ଯାହା ଘଟୁଛି ତାହା କେବଳ ଲୋକମାନଙ୍କ ପ୍ରତି ହୋଇଥିବା ଅତ୍ୟାଚାରର ଫଳ। ଭାରତ ସରକାରଙ୍କୁ ଉଦ୍ଦେଶ୍ୟ କରି ସେ କହିଛନ୍ତି ଯେତେଦିନ ପର୍ଯ୍ୟନ୍ତ କଶ୍ମୀରରୁ ସେନା ହଟିନାହିଁ, ସେ ପର୍ଯ୍ୟନ୍ତ ଆକ୍ରମଣ ହେଉଥିବ ଏବଂ ସରକାର କେବଳ କଫିନ୍ରେ ସୈନିକଙ୍କ ଶରୀର ଭର୍ତ୍ତି କରିବାକୁ ବାଧ୍ୟ ହେବ। ଆମେ ମରିବାକୁ ପ୍ରସ୍ତୁତ ଅଛୁ କିନ୍ତୁ ତୁମକୁ ବଞ୍ଚିବାକୁ ଦେବୁନାହିଁ ବୋଲି ସେ କହିଛି। ଆତ୍ମସମର୍ପଣ ଅପେକ୍ଷା ଆମେ ମରିବାକୁ ପସନ୍ଦ କରୁ ବୋଲି ନାଇକୋ କହିଛି। ଦକ୍ଷିଣ କଶ୍ମୀରର ମୋଷ୍ଟ୍ ୱାଣ୍ଟେଡ୍ ଆତଙ୍କବାଦୀ ନାଇକୋ କଶ୍ମୀର ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନଥିବାରୁ ଭାରତ ସରକାରଙ୍କୁ ଦାୟୀ କରିଛି। ସ୍ବତନ୍ତ୍ର କଶ୍ମୀର ଦାବି କରୁଥିବା ରିୟାଜ୍ ଏବେ ପୁଲୱାମା ଜିଲ୍ଲାରେ ହିଁ ଆତ୍ମଗୋପନ କରିଥିବା ସନ୍ଦେହ କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2019/02/Hizbul.jpg)
