ନୂଆଦିଲ୍ଲୀ: ଦିଲ୍ଲୀର ଐତିହାସିକ ଲାଲକିଲ୍ଲାରେ ନଭେମ୍ବର ୧୦ରେ ଘଟିଥିବା ଭୟଙ୍କର ବିସ୍ଫୋରଣ ଏକ ଆତ୍ମଘାତୀ ବୋମା  ଆକ୍ରମଣ ଥିଲା ଏବଂ  ଶକ୍ତିଶାଳୀ ବିସ୍ଫୋରକ କାର୍‌ ସହ ସଂଲଗ୍ନ କରି  କାର୍‌କୁ ଏକ ବୋମାରେ ପରିଣତ କରାଯାଇଥିଲା ବୋଲି ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ) ନିଶ୍ଚିତ କରିଛି। ଏହି ଆକ୍ରମଣରେ ୧୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୩୦ରୁ ଅଧିକ ଲୋକ ଆହତ ହୋଇଛନ୍ତି ଏବଂ  ଏଥିରେ ପାକ୍‌ ଆତଙ୍କୀ ସଂଗଠନ ଜୈସ୍‌ ଦ୍ବାରା ସଂଚାଳିତ ଏକ ‘ଆତଙ୍କୀ ଡାକ୍ତର ମଡ୍ୟୁଲ’ ସଂପୃକ୍ତ। ବିସ୍ଫୋରଣରେ ଅତି ଭୟାନକ ଟ୍ରାଇଏସିଟୋନ ଟ୍ରାଇପେରକ୍ସାଇଡ୍ (ଟିଏଟିପି) ବିସ୍ଫୋରକ ବ୍ୟବହାର ହୋଇଥିବା ଫରେନ୍ସିକ ବିଶେଷଜ୍ଞମାନେ ସନ୍ଦେହ କରୁଛନ୍ତି। ‘ଟିଏଟିପି’କୁ ‘ମଦର ଅଫ୍ ସେଟାନ୍’ (ସୈତାନର ମା’)  ନାମରେ ଜଣାଶୁଣା ଏହା ହିଁ ବିସ୍ଫୋରଣର ମୁଖ୍ୟ କାରଣ ବୋଲି ଅନୁମାନ କରାଯାଉଛି। ବିସ୍ଫୋରଣ ପରେ ବନ୍ଦ ହୋଇଥିବା ଲାଲକିଲ୍ଲା ମେଟ୍ରୋ ଷ୍ଟେସନ ଆଜି ସକାଳେ ପୁନଃ ଚାଲୁ ହୋଇଛି।

Advertisment

ଟିଏଟିପି ବିସ୍ଫୋରକ କ’ଣ?
‘ସୈତାନର ମା’ ନାମରେ ଜଣାଶୁଣା ଏହି  ରାସାୟନିକ ଉପାଦାନଟି ହେଉଛି ଟ୍ରାଇଆସିଟୋନ୍ ଟ୍ରାଇପେରକ୍ସାଇଡ୍ (ଟିଏଟିପି), ଯାହାକୁ ଆସିଟୋନ୍ ପେରକ୍ସାଇଡ୍ ମଧ୍ୟ କୁହାଯାଏ।  ଏହି ବିସ୍ଫୋରକ ଅତ୍ୟଧିକ ଅସ୍ଥିରତା ଏବଂ ଅତିମାତ୍ରାରେ ବିପଜ୍ଜନକ।  ସାମାନ୍ୟ ଉତ୍ତାପ, ଘର୍ଷଣ, ଆଘାତ କିମ୍ବା ସ୍ଥିର-ବିଦ୍ୟୁତ୍ ଯୋଗୁଁ ଏହା ସହଜରେ ବିସ୍ଫୋରଣ ହୋଇପାରେ। 

୬ ରାଜ୍ୟରେ ଚଢ଼ଉ ଜାରି, ଅଲ୍‌ ଫଲାହ ସହ ଜଡ଼ିତ ଆଉ ୨ ଗିରଫ

ଶ୍ରୀନଗର: ଦିଲ୍ଲୀର ଲାଲ୍‌କିଲ୍ଲା ବିସ୍ଫୋରଣ ମାମଲାର ତଦନ୍ତ କରୁଥିବା ଏନ୍ଆଇଏ (ଜାତୀୟ ତଦନ୍ତକାରୀ ସଂସ୍ଥା) ଏହି ମାମଲାରେ ୬ ରାଜ୍ୟରେ ଚଢ଼ଉ ଜାରି ରଖିଛି।  ଆଜି ସକାଳେ ଏନ୍‌ଆଇଏ ଦିଲ୍ଲୀ, ଜମ୍ମୁ-କାଶ୍ମୀର, ପଞ୍ଜାବ, ହରିୟାଣା,  ଉତ୍ତରପ୍ରଦେଶ ଏବଂ ମଧ୍ୟପ୍ରଦେଶରେ ଚଢ଼ଉ କରିଛି।  ଏହି ଚଢ଼ଉ ସମୟ‌ରେ ଏନଆଇଏ ଟିମ୍‌ ନଭେମ୍ବର ୧୦ ତାରିଖ ଆକ୍ରମଣ ପାଇଁ ବ୍ୟବହାର ହୋଇଥିବା ଗାଡ଼ିର ମୂଳ ମାଲିକକୁ ଗିରଫ କରିଛି।  ଅନ୍ୟପକ୍ଷେ କେନ୍ଦ୍ରୀୟ ଦିଲ୍ଲୀରେ ଆତଙ୍କୀ ନିରୋଧ ସଂସ୍ଥା ଦ୍ବାରା ସୁରକ୍ଷା କଡ଼ାକଡ଼ି କରାଯାଇଛି।  ସ୍ବତନ୍ତ୍ର ଅପରେସନ୍‌ ସମୟରେ କୌଣସି ଦାବିଦାର ନଥିବା ୩୪ଟି ଗାଡ଼ିକୁ ସିଜ୍‌ କରାଯାଇଛି।  ଅନ୍ୟପକ୍ଷେ ଦକ୍ଷିଣ କାଶ୍ମୀରର ଏକ ସରକାରୀ ମେଡିକାଲ କଲେଜରେ ପୋଷ୍ଟିଂ ହୋଇଥିବା ହରିୟାଣାର ଜଣେ ମହିଳା ଡାକ୍ତରଙ୍କୁ ଶ୍ରୀନଗରରେ ଅଟକ ରଖାଯାଇଛି।  ହ୍ବାଇଟ୍‌ କଲାର ଟେରର୍‌ ମଡ୍ୟୁଲ୍‌ ମାମଲାରେ ଆଜି ଜମ୍ମୁ କାଶ୍ମୀର ପୁଲିସର ଏକ ଗୁଇନ୍ଦା  ଟିମ୍‌ ଅନନ୍ତନାଗର ମଲକନାଗ ଅଞ୍ଚଳରେ ଏକ ଭଡ଼ା ଘରେ ଚଢ଼ଉ କରିବା ପରେ ଡାକ୍ତର ପ୍ରିୟଙ୍କା ଶର୍ମାଙ୍କୁ ଅଟକ ରଖିଛି। ପ୍ରିୟଙ୍କା ଶର୍ମା   ଜିଏମ୍‌ସି ଅନନ୍ତନାଗରେ କାମ କରୁଥିଲେ।  ତାଙ୍କ ବାସଭବନରୁ ମିଳିଥିବା ଏକ ମୋବାଇଲ ଫୋନ୍‌ ଏବଂ ସିମ କାର୍ଡକୁ ଫରେନ୍ସିକ ପରୀକ୍ଷା କରାଯାଉଛି।

ହରିୟାଣା ଡାକ୍ତର ଶ୍ରୀନଗରରେ ଅଟକ
ନୁହରେ ୩ ଦିନ ଧରି ଅପରେସନ୍‌

ଦିଲ୍ଲୀ ବିସ୍ଫୋରଣ ଘଟଣାର ତଦନ୍ତ କାର୍ଯ୍ୟ‌ ଜୋର୍‌ଦାର ହୋଇଥିବା ବେଳେ ୮ଟି ସ୍ବତନ୍ତ୍ର ଟିମ୍‌ ଏଥିରେ ନିୟୋଜିତ ଅଛନ୍ତି।  ଏହି ବିସ୍ଫୋରଣ ମାମଲାରେ କେନ୍ଦ୍ରୀୟ ସଂସ୍ଥାମାନେ ରବିବାର ନୁହର ହାୟଲ କଲୋନିରୁ ପୁଣି ୨ ଜଣଙ୍କୁ ଗିରଫ କରିଛନ୍ତି।  ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଏକ ବିଶାଳ ଆତଙ୍କୀ ଆର୍ଥିକ ନେଟୱର୍କ  ସହ ଜଡ଼ିତ ମାମଲାର ସମୟରେ ଏହି ୨ ଜଣ ଗିରଫ ହୋଇଛନ୍ତି। ଗିରଫ ହୋଇଥିବା ୨ ବ୍ୟକ୍ତି ହେଉଛି ରିଜୱାନ ଏବଂ ସୋଏବ। ତଦନ୍ତକାରୀ ଦଳ କହିଛନ୍ତି ଯେ ସୋଏବ ପୂର୍ବରୁ ଅଲ୍‌ ଫଲାହ ବିଶ୍ବବିଦ୍ୟାଳୟରେ ଜଣେ ଇଲେକ୍ଟ୍ରିସିଆନ୍‌ ଭାବେ କାମ କରୁଥିଲା।  ଉଭୟ ସୋଏବ ଏବଂ ରିଜୱାନ ଟେରର୍‌ ମଡ୍ୟୁଲ୍‌ ସହ ସିଧାସଳଖ ଜଡ଼ିତ ଥିବା ଜଣାପଡ଼ିଛି।  ମିଳିଥିବା ସୂଚନାନୁଯୀ ବିଶ୍ବବିଦ୍ୟାଳୟ ସହ ଜଡ଼ିତ ଏବଂ ୩ ସନ୍ଦିଗ୍ଧଙ୍କ ସହ କଥାବାର୍ତ୍ତା କରିଥିବା ୨୦୦ ଜଣଙ୍କୁ ଏବେ ଯାଞ୍ଚ କରାଯାଉଛି।  ଇତି ମଧ୍ୟରେ ଅନ୍ୟ ଏକ ଘଟଣାରେ ଡାକ୍ତର ଉମର ଦିଲ୍ଲୀ ବିସ୍ଫୋରଣର ୧୦ ଦିନ ପୂର୍ବର ନୁହ ଜିଲ୍ଲାର ହିଦାୟତ କଲୋନିରେ ଯେଉଁ ଘରେ ରହୁଥିଲା ସେହି ଘର ସିଲ୍‌ କରାଯାଇଛି। ରବିବାର ଡାକ୍ତର ଉମର ରହୁଥିବା ଏହି ଘର ବାହାରେ ବ୍ୟାପକ ପୁଲିସ ମୁତୟନ କରାଯାଇଥିଲା। ଏହି ଘରଟି ଅଫ୍‌ସନା ନାମକ ଜଣେ ମହିଳାଙ୍କର।  ‌ତେବେ ମିଳିଥିବା ସୂଚନାନୁଯାୟୀ ଏବେ ପୁଲିସ ହାଜତରେ ଥିବା ସୋଏବ ହେଉଛି ଅଫସନାଙ୍କ ଭିଣୋଇ ଯିଏ କି ଉମର ପାଇଁ ଘର ଠିକ୍‌ କରି ଦେଇଥିଲା। ମାମଲାରେ ଗିରଫ ହୋଇଥିବା ଅନ୍ୟ ଜଣେ ବ୍ୟକ୍ତି ରିଜୱାନ ହେଉଛି ଅଫ୍‌ସନାର ଭାଇ।   ନୁହରେ ୩ ଦିନ ଧରି ଅପରେସନ୍‌ ଜାରି ରହିଛି ଏବଂ କେନ୍ଦ୍ରୀୟ ବାହିନୀ ସେଠାରେ କ୍ୟାମ୍ପ ପକାଇଛନ୍ତି।