ନୂଆଦିଲ୍ଲୀ: ନକ୍ସଲଙ୍କୁ ପାଣ୍ଠି ଯୋଗାଣ ସହ ଅନ୍ୟ ସହାୟତା ଯୋଗାଇବା ଅଭିଯୋଗରେ ଜାତୀୟ ଅନୁସନ୍ଧାନ ଏଜେନ୍ସି (ଏନଆଇଏ) ଆଜି ବଡଧରଣର ଚଢ଼ାଉ କରୁଛି | ଉତ୍ତରପ୍ରଦେଶର ପ୍ରୟାଗରାଜ, ବାରାଣାସୀ, ଚାନ୍ଦଲି, ଆଜମଗଡ ଏବଂ ଦେଓରିଆ ଜିଲ୍ଲାର ୮ଟି ସ୍ଥାନରେ ଚଢ଼ାଉ ଚାଲିଛି। ସୂତ୍ରରୁ ମିଳିଥିବା ସୂଚନା ମୁତାବକ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏହି ଚଢ଼ାଉ ଜାରି ରହିଛି | ନକ୍ସଲ କାର୍ଯ୍ୟକଳାପ ସହ ଜଡିତ କିଛି ମାମଲାର ଅଧିକ ତଦନ୍ତ ପାଇଁ ଏନଆଇଏ ଟିମ୍ ଉତ୍ତରପ୍ରଦେଶରେ ପହଞ୍ଚିଛି। କୁହାଯାଉଛି ଯେ ନକ୍ସଲଙ୍କୁ ପାଣ୍ଠି ଯୋଗାଣକୁ ନେଇ ଭଗତ ସିଂ ଛାତ୍ର ମୋର୍ଚ୍ଚା ସଦସ୍ୟ ତଥା ବିଏଚୟୁ ଛାତ୍ରୀ ଆକାଂକ୍ଷାଙ୍କୁ ମଧ୍ୟ ପଚରାଉଚରା କରାଯାଉଛି।
ସୂଚନାନୁସାରେ, ଏନଆଇଏ ଟିମ୍ ଆଜି ସକାଳୁ ଏହି ଚଢ଼ାଉ ଜାରି ରଖିଥିବାବେଳେ ଜନବାଦୀ କ୍ରାନ୍ତି ଦଳର ରାଷ୍ଟ୍ରୀୟ ମହାସଚିବ ଡ.ରାମନାଥ ଚୌହାନଙ୍କ ଘରେ ମଧ୍ୟ ଚଢ଼ାଉ କରାଯାଇଛି | କୁହାଯାଉଛି ଯେ ଛତିଶଗଡ଼, ଓଡିଶା, ଝାଡ଼ଖଣ୍ଡ ସମେତ ଅନ୍ୟ କିଛି ରାଜ୍ୟରେ ନକ୍ସଲ କାର୍ଯ୍ୟକଳାପ ପାଇଁ ପାଣ୍ଠି ଯୋଗାଣ ସହ ଅନ୍ୟ ସାହାଯ୍ୟ ଉତ୍ତରପ୍ରଦେଶର ଏହି ସବୁ ଜିଲ୍ଲାରୁ ମିଳୁଥିବାର ସୁରାକ ମିଳିଥିଲା | ଏହାପରେ ଏନଆଇଏ ପକ୍ଷରୁ ଏହା ଉପରେ ନଜର ରଖାଯାଇଥିଲା | ଆଉ ଆଜି ଏନଆଇଏ ଟିମ ଚଢ଼ାଉ କରିଥିଲା | ତେବେ ଏନଆଇଏ ଚଢ଼ାଉକୁ ନେଇ ସ୍ଥାନୀୟ ପୁଲିସ ମୁହଁ ଖୋଲୁନଥିବାବେଳେ କଣ ସବୁ ମିଳିଛି ସେନେଇ ସୂଚନା ମିଳିନାହିଁ |