ନୂଆଦିଲ୍ଲୀ: ଖାଲିସ୍ତାନୀ ଆତଙ୍କବାଦୀ ଗୁରପତୱନ୍ତ ସିଂ ପନ୍ନୁ ଏବଂ ତା'ର ନିଷିଦ୍ଧ ସଂଗଠନ ଶିଖ୍ ଫର୍ ଜଷ୍ଟିସ୍ (ଏସ୍ଏଫଜେ) ସହ ସଂପୃକ୍ତ ପଞ୍ଜାବର ୪ଟି ଠିକଣାରେ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଶୁକ୍ରବାର ଚଢ଼ାଉ କରିଛି। ଏନଆଇଏ ଟିମ୍ ମୋଗାର କେତେକ ସ୍ଥାନ, ଭଟିଣ୍ଡାର ଦୁଇଟି ସ୍ଥାନ ଏବଂ ମୋହାଲିର ଗୋଟିଏ ସ୍ଥାନରେ ଚଢଉ କରିଛି। ତଦନ୍ତକାରୀ ସଂସ୍ଥା ଅଧିକ ପଚରାଉଚରା ପାଇଁ ଡିଜିଟାଲ ଡିଭାଇସ୍ ସମେତ ଅନେକ ଆପତ୍ତିଜନକ ସାମଗ୍ରୀ ଜବତ କରିଛି। 

Advertisment

ସୂଚନାଯୋଗ୍ୟ ଯେ ଗୁରପତୱନ୍ତ ସିଂ ପନ୍ନୁ ଭାରତ ସରକାର ଏବଂ କିଛି ଭାରତୀୟ ଅଧିକାରୀଙ୍କ ବିରୋଧରେ ଆମେରିକାର ଏକ ଅଦାଲତରେ ମାମଲା ଦାୟର କରିଛି। ଏହା ପରେ ଆମେରିକୀୟ ଅଦାଲତ ଭାରତ ସରକାର, ଏନଏସଏ ଅଜିତ ଡୋଭାଲ ଓ ଆଉ କେତେକ ଅଧିକାରୀଙ୍କ ବିରୋଧରେ ସମନ ଜାରି କରିଛି । ଆମେରିକୀୟ ଅଦାଲତ ଦ୍ୱାରା ଭାରତକୁ ପଠାଯାଇଥିବା ସମନର ଜବାବରେ ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛନ୍ତି, ଏହି ମାମଲା ସମ୍ପୂର୍ଣ୍ଣ ଅଯଥା ଏବଂ ସରକାରଙ୍କ ନୀତି ବିରୋଧୀ। ଆମେ ଏହି ଘଟଣାର ଗମ୍ଭୀରତାର ସହ ଅନୁସନ୍ଧାନ କରୁଛୁ । ଉଚ୍ଚସ୍ତରୀୟ ତଦନ୍ତ ମଧ୍ୟ ଆରମ୍ଭ ହୋଇଛି ଏବଂ ସମସ୍ତ ଦିଗ ଉପରେ ତୀକ୍ଷ୍ଣ ନଜର ରଖାଯାଇଛି।