ଜମ୍ମୁ କାଶ୍ମୀରର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ଚଢ଼ଉ

ନୂଆଦିଲ୍ଲୀ: ଆତଙ୍କବାଦୀମାନଙ୍କୁ ପାଣ୍ଠି ଯୋଗାଣ କରୁଥିବା ସଂଗଠନ ଓ ବ୍ୟକ୍ତିଙ୍କ ବିରୋଧରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ବଡ଼ଧରଣର କାର୍ଯ୍ୟାନୁଷ୍ଠାନ ନେଇଛି। ଜମ୍ମୁ କାଶ୍ମୀରର ୪୦ରୁ ଅଧିକ ସ୍ଥାନରେ ଏନଆଇଏ ପକ୍ଷରୁ ଚଢ଼ଉ କରାଯାଇଛି। ନିଷିଦ୍ଧ ଘୋଷିତ ଜମାତ-ଏ-ଇସଲାମୀ ସଂଗଠନର କେତେକ ବରିଷ୍ଠ ସଦସ୍ୟଙ୍କ ଘର ଏଥିରେ ସାମିଲ ରହିଛି। ଜମ୍ମୁ କାଶ୍ମୀରରେ ନିଜକୁ ପୃଥକବାଦୀ ବା ବିଚ୍ଛିନ୍ନତାବାଦୀ ଭାବେ କାର୍ଯ୍ୟ କରୁଥିବା ବ୍ୟକ୍ତିଙ୍କ ବିରୋଧରେ ଏନଆଇଏ ଗତ କିଛିଦିନ ହେଲା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଛି। ଗତମାସକ ମଧ୍ୟରେ ଏନଆଇଏର ଏହା ତୃତୀୟ ଚଢ଼ଉ।

ଆଜିର ଚଢ଼ଉରେ ଏନଆଇଏକୁ ଜମ୍ମୁ କାଶ୍ମୀର ପୁଲିସ, ସିଆରପିଏଫ୍‌ ସହଯୋଗ କରିଥିଲେ। ଡୋଡା, କିସ୍ତୱାର, ରମ୍ବାନ, ଅନନ୍ତନାଗ, ବଡ଼ଗାମ, ରଜୌରୀ, ସୋଫିଆନ ଆଦି ସ୍ଥାନରେ ଚଢ଼ଉ ହୋଇଛି। ଗୃହ ମନ୍ତ୍ରାଳୟ ପକ୍ଷରୁ ଗତମାସରେ ଏକ ସମୀକ୍ଷା ବୈଠକ ହୋଇଥିଲା। ଏଥିରେ ଜମ୍ମୁ କାଶ୍ମୀରରେ ପ୍ରଭାବ ବିସ୍ତାର କରୁଥିବା ଜମାତ-ଏ-ଇସଲାମୀ ସଂଗଠନ ଉପରେ ଆଲୋଚନା ହୋଇଥିଲା। ୨୦୧୯ ମସିହାରୁ ଏହି ସଂସ୍ଥାକୁ ନିଷିଦ୍ଧ କରାଯାଇଛି। ଯୁବକମାନେ ଯେପରି ଏହି ସଂଗଠନର ମୋହରେ ନପଡ଼ିବେ ସେଥିପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଲାଗି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ନିରାପତ୍ତା ବାହିନୀକୁ ନିର୍ଦ୍ଦେଶ ଦେଇଥିଲେ। ଗତମାସ ୧୦ ତାରିଖରେ ଆତଙ୍କବାଦୀଙ୍କୁ ପାଣ୍ଠି ଯୋଗାଣ ମାମଲାରେ ଏନଆଇଏ ୬ ଜଣ ଲୋକଙ୍କୁ ଗିରଫ କରିଥିଲା। ଜମ୍ମୁ କାଶ୍ମୀରର ବିଭିନ୍ନ ସ୍ଥାନରୁ ଏମାନଙ୍କୁ ଗିରଫ କରାଯାଇଥିଲା। ଏଥିସହିତ ଗତମାସରେ ଆତଙ୍କବାଦୀଙ୍କ ସହ ସଂପର୍କ ଥିବା ସୂଚନା ମିଳିବା ପରେ ଜମ୍ମୁ କାଶ୍ମୀର ସରକାରରେ କାର୍ଯ୍ୟରତ ୧୧ ଜଣ କର୍ମଚାରୀଙ୍କୁ ଚାକିରିରୁ ବିଦା କରାଯାଇଥିଲା। ସେମାନଙ୍କ ମଧ୍ୟରେ ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନର ପ୍ରତିଷ୍ଠାତା ସୟେଦ ସଲାହୁଦିନଙ୍କ ଦୁଇ ପୁଅ ଥିଲେ।

ସମ୍ବନ୍ଧିତ ଖବର