ମୁନ୍ଦ୍ରା ଅଦାନି ପୋର୍ଟରୁ ଡ୍ରଗ୍‌ ଜବତ ମାମଲା: ବିଭିନ୍ନ ସହରରେ ଏନ୍‌ଆଇଏ ଚଢ଼ଉ

ନୂଆଦିଲ୍ଲୀ : ଗୁଜରାଟର ମୁନ୍ଦ୍ରା ଅଦାନି ବନ୍ଦରରୁ ବିପୁଳ ପରିମାଣର ଡ୍ରଗ୍‌ ଜବତ ଘଟଣାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନ୍‌ଆଇଏ)) ଶନିବାର ଦିନ ଚେନ୍ନାଇ, କେଏମ୍ବାଟୁର ଓ ବିଜୟୱାଡ଼ାର ବିଭିନ୍ନ ସ୍ଥାନରେ ଚଢ଼ଉ କରିଛି। ସନ୍ଦେହ ପରିସରକୁ ଆସିଥିବା ଅଭିଯୁକ୍ତଙ୍କ ଠିକଣାରେ ଏଭଳି ଚଢ଼ଉ ହୋଇଛି। ଚଢ଼ଉରେ ଡ୍ରଗ୍‌ ଚୋରାଚାଲାଣ ଓ ବିତରଣ ସଂକ୍ରାନ୍ତ କେତେକ ଗୁରୁତ୍ବପୂର୍ଣ୍ଣ ଦସ୍ତାବିଜ ଓ ସାମଗ୍ରୀ ମିଳିଛି। ସେପ୍‌ଟେମ୍ବର ୧୬ ତାରିଖରେ ମୁନ୍ଦ୍ରା ଅଦାନି ବନ୍ଦରରୁ ରାଜସ୍ବ ଗୁଇନ୍ଦା ନିର୍ଦ୍ଦେଶାଳୟ ପ୍ରାୟ ୩ ହଜାର କେଜି ହେରୋଇନ୍‌ ଜବତ କରିଥିଲା। ବିଶ୍ବ ବଜାର‌‌େର ଏହାର ମୂଲ୍ୟ ୨୧ ହଜାର କୋଟି ଟଙ୍କାରୁ ଅଧିକ ‌େହବ ବୋଲି କୁହାଯାଉଛି। ଏହା ପଛରେ ବଡ଼ ଧରଣର ଅନ୍ତର୍ଜାତୀୟ ରୢାକେଟ୍‌ର ହାତ ଥିବା ଜଣାପଡ଼ିଛି।

ଗତମାସ ୧୬ ତାରିଖରେ ମୁନ୍ଦ୍ରା ଅଦାନି ବନ୍ଦରର ଦୁଇଟି ଟି କଣ୍ଟେନରରୁ ଏହି ହେରୋଇନ ଜବତ ହୋଇଥିଲା ଏବଂ ଏହି ଡ୍ରଗ୍‌ର ସଂପୂର୍ଣ୍ଣ ପ୍ରକ୍ରିୟାକରଣ ହୋଇନଥିଲା। ଆଫଗାନିସ୍ତାନରୁ ଇରାନ୍‌ର ବନ୍ଦର ଆବ୍ବାସ ପୋର୍ଟ ଦେଇ ଭାରତକୁ ଆସିଥିବା ଜଣାପଡ଼ିଛି। ଗୃହ ମନ୍ତ୍ରାଳୟର ନିର୍ଦ୍ଦେଶକ୍ରମେ ଏନ୍‌ଆଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା ଏବଂ କେତେକ ସନ୍ଦିଗ୍ଧଙ୍କ ସଂପର୍କରେରେ ତଥ୍ୟ ହାସଲ କରିଥିଲା। ଆଜି ଏକକାଳୀନ ୩ ସହରରେ ବଡ଼ ଧରଣର ଚଢ଼ଉ ହୋଇଥିବାରୁ ଭାରତରେ ଡ୍ରଗ୍ ଚୋରାଲାଣ ସଂକ୍ରାନ୍ତ ନେଟ୍‌ୱର୍କର ଫର୍ଦ୍ଦଫାସ ହେବା ଆଶା କରାଯାଉଛି । ଏନ୍‌ଆଇଏ ଏହି ମାମଲାରେ ଶୁକ୍ରବାର ପୂର୍ବତନ ଶିରୋମଣି ଅକାଳୀ ଦଳ (ଏସ୍‌ଏଡି) ନେତା ଅନୱାର ମସିହଙ୍କ ଘରେ ଚଢ଼ାଉ କରିଥିଲା। ପୂର୍ବତନ ପଞ୍ଜାବ ସର୍ବୋର୍ଡିନେଟ ସିଲେକ୍ସନ ବୋର୍ଡ ସଦସ୍ୟ ମସିହ ୧୯୪ କେଜି ହେରୋଇନ ଜବତ ଘଟଣାରେ ଆଗରୁ ଅଭିଯୁକ୍ତ ଅଛନ୍ତି। ଶୁକ୍ରବାର ଦୁଇ ଅଧିକାରୀ ମସିହଙ୍କ ଘରେ ପହଞ୍ଚିଥିଲେ। ଉକ୍ତ ୩୦୦୦ କେଜି ଜବତ ହେରୋଇନ ମାମଲାରେ ତାଙ୍କର ସମ୍ପୃକ୍ତି ଥିବା ଅସମର୍ଥିତ ସୂତ୍ରରୁ ଜଣାପଡ଼ିଛି। ତେବେ ଚଢ଼ଉ ବେଳେ ଅଧିକାରୀମାନେ ମିଡିଆ ଆଗ‌ରେ ପ୍ରକାଶ କରି ନ ଥିଲେ। ବଲିଉଡ୍‌ ସୁପର୍‌ଷ୍ଟାର୍‌ ଶାହାରୁଖ ଖାନ୍‌ଙ୍କ ପୁଅ ଆର୍‌ୟନଙ୍କୁ ଡ୍ରଗ୍‌ ମାମଲାରେ ଜେଲ ପଠାଯିବାର ଗୋଟିଏ ଦିନ ପରେ ଆଜି ଏନ୍‌ଆଇଏର ବଡ଼ ଧରଣର ତଲାସୀ ଅଭିଯାନ ବେଶ୍‌ ଚର୍ଚ୍ଚାରେ ରହିଛି। ତେବେ ଆର୍‌ୟନ ମାମଲା ସହ ଏହାର କୌଣସି ସଂପର୍କ ନାହିଁ।

ସମ୍ବନ୍ଧିତ ଖବର