ଶ୍ରୀନଗର ଜେଲରେ ଏନଆଇଏର ତଲାସୀ; ମିଳିଲା ପାକିସ୍ତାନୀ ଜାତୀୟ ପତାକା, ହିଜବୁଲ ମୁଜାହିଦ୍ଦିନ ପୋଷ୍ଟର

ଶ୍ରୀନଗର: ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନଆଇଏ ) ପକ୍ଷରୁ ସୋମବାରଦିନ ଶ୍ରୀନଗରର ସେଣ୍ଟ୍ରାଲ ଜେଲରେ ବ୍ୟାପକ ତଲାସୀ କରାଯାଇଥିଲା । ତଲାସୀରୁ ଯେଉଁ ସାମଗ୍ରୀ ମିଳିଛି ତାହା ଦେଖି ଏନଆଇଏ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଛି । ତଲାସୀ ବେଳେ ପ୍ରାୟ ୨୫ଟି ମୋବାଇଲ ଫୋନ, ପାକିସ୍ତାନୀ ଜାତୀୟ ପତାକା, ଆତଙ୍କବାଦୀ ସଂଗଠନ ହିଜବୁଲ ମୁଜାହିଦ୍ଦିନ ପୋଷ୍ଟର,ସିମ୍‌ କାର୍ଡ, ୫ଟି ପେନ ଡ୍ରାଇଭ୍‌, ମେମୋରୀ କାର୍ଡ, ଆଦି ମିଳିଛି ।

କାଶ୍ମୀର ଜେଲଗୁଡ଼ିକରେ ଆତଙ୍କବାଦୀ ଓ ବେଆଇନ କାର୍ଯ୍ୟକଳାପ ଚାଲିଥିବାନେଇ ପୂର୍ବରୁ ବି ଅନେକ ପ୍ରମାଣ ମିଳିଥିଲା । ଜେଲର କେତେକ କର୍ମଚାରୀ ବନ୍ଦୀ ଆତଙ୍କବାଦୀମାନଙ୍କୁ ସହାୟତା କରୁଥିବା ସୂଚନା ମିଳିଥିଲା । ଏଥିପାଇଁ ଏନଆଇଏ ପକ୍ଷରୁ ବିଗତ ବହୁ ଦିନ ଧରି ଜେଲ ଗୁଡିକ ଉପରେ ନଜର ରଖାଯାଇଥିଲା । ସୋମବାରଦିନ ଏନଆଇଏ, ସିଆରପିଏଫ, ମାଜିଷ୍ଟ୍ରେଟ୍‌, ଏନଏସଜି ଏବଂ ଜାମ୍ମୁ ଓ କାଶ୍ମୀର ପୁଲିସ ପକ୍ଷରୁ ମିଳିତଭାବେ ଶ୍ରୀନଗରର ସେଣ୍ଟ୍ରାଲ ଜେଲରେ ଚଢାଉ କରାଯାଇଥିଲା । ଚଢାଉ ବେଳେ ଏସବୁ ସାମଗ୍ରୀ ମିଳିଥିଲା ।

ଏହି ଶ୍ରୀନଗରର ସେଣ୍ଟ୍ରାଲ ଜେଲରେ ଅନେକ ଆତଙ୍କବାଦୀ ଓ ହୁରିୟାତ ନେତାଙ୍କୁ ରଖାଯାଇଛି । କିନ୍ତୁ ଜେଲରେ ରହି ମଧ୍ୟ ଏମାନେ କାଶ୍ମୀର ଉପତ୍ୟାକାରେ ହିଂସାକୁ ନିୟନ୍ତ୍ରଣ କରୁଛନ୍ତି, ଆରାମରେ ପାକିସ୍ତାନରେ ଥିବା ଆତଙ୍କବାଦୀ ସଂଗଠନଗୁଡ଼ିକ ସହ ସଂପର୍କ ରଖିପାରୁଛନ୍ତି । ଏସବୁ ଜଣାପଡିବା ପରେ ଏନଆଇଏ ଓ ଭାରତୀୟ ସେନା ଅଧିକ ସତର୍କ ହୋଇପଡିଛନ୍ତି ।

ସମ୍ବନ୍ଧିତ ଖବର