ମୁଣ୍ଡକାଟ ଘଟଣା : ଉଦୟପୁର ଗଲା ଏନଆଇଏ ଦଳ

ନୂଆଦିଲ୍ଲୀ : ରାଜସ୍ଥାନର ଉଦୟପୁରରେ ଜଣେ ଦୋକାନୀଙ୍କ ମୁଣ୍ଡକାଟ କରି ହତ୍ୟା ମାମଲାକୁ ନେଇ ସାରା ଦେଶରେ ପ୍ରବଳ ପ୍ରତିକ୍ରିୟା ପ୍ରକାଶ ପାଇଛି । ସମଗ୍ର ରାଜସ୍ଥାନରେ ସ୍ଥିତି ବିସ୍ଫୋରକ ରହିଥିବାରୁ ପୁଲିସ ଓ ପ୍ରଶାସନକୁ ସତର୍କ ରଖାଯାଇଛି ।

ଅନ୍ୟପକ୍ଷରେ ହତ୍ୟାକରିଥିବା ଅଭିଯୋଗରେ ୨ ଜଣଙ୍କୁ ଗିରଫ କରାଯାଇଛି । ବିଶ୍ବର କୁଖ୍ୟାତ ଆତଙ୍କବାଦୀ ସଂଗଠନ ଆଇଏସ ସହିତ ସେମାନଙ୍କର ସଂପର୍କ ଥିବା ସଂଦେହ କରାଯାଉଛି । ସ୍ଥିତିର ଗୁରୁତ୍ବ ଦୃଷ୍ଟିରୁ ଉଦୟପୁରକୁ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ)ର ଦଳକୁ ପଠାଯାଇଛି । ହତ୍ୟାକାଣ୍ଡ ପରେ ଆତଙ୍କବାଦୀମାନେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ହତ୍ୟା ଧମକ ଦେଇଥିବାରୁ ତାହାକୁ ଏନଆଇଏ ଗୁରୁତ୍ବର ସହ ନେଇଛି ।

ଗଣମାଧ୍ୟମ ସୁତ୍ରରୁ ଜଣାପଡ଼ିଛି ଯେ ମୁଣ୍ଡକାଟ କରିଥିବା ରିଆଜ ଅଟାରି ସହ ଆଇଏସର ସଂପର୍କ ରହିଛି । ରାଜସ୍ଥାନରେ କିଛି ଦିନ ତଳେ ଗିରଫ ହୋଇଥିବା ଆଇଏସ ଆତଙ୍କବାଦୀ ମୁଜିବ ଅବାସି ସହ ରିଆଜର ସଂପର୍କ ଥିବା ଜଣାପଡ଼ିଛି । ୨୦୨୧ରେ ଉଭୟଙ୍କ ମଧ୍ୟରେ ଏକାଧିକ ଥର କଥାବାର୍ତ୍ତା ହୋଇଥିବା ଜଣାପଡ଼ିଛି ।

ରିଆଜର କେତେକ ଫେସବୁକ ଫଟୋରେ ସେ ନିଜର ଅଙ୍ଗୁଳିକୁ ଏକ ନିର୍ଦ୍ଦିଷ୍ଟ ଆକୃତି କରୁଥିବା ଦେଖାଯାଇଛି । ସାଧାରଣତଃ ଆଇଏସ ଆତଙ୍କବାଦୀମାନେ ଏପରି କରିଥାନ୍ତି । ଏଥିରୁ ଆଇଏସ ସହ ତାହାର ସିଧାସଳଖ ସଂପର୍କ ଥିବା ସଂଦେହ କରାଯାଉଛି ।

 

 

ସମ୍ବନ୍ଧିତ ଖବର