ପୁଲଓ୍ଵାମା ଆକ୍ରମଣ ଘଟଣାର ଚାର୍ଜସିଟ ଦାଖଲ କଲା ଏନଆଇଏ,ମାସୁଦ ଆଝାର ମୁଖ୍ୟ ଅଭିଯୁକ୍ତ

ନୂଆଦିଲ୍ଲୀ : ୨୦୧୯ରେ ହୋଇଥିବା ପୁଲଓ୍ଵାମା ଆତଙ୍କବାଦୀ ଆକ୍ରମଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା (ଏନଆଇଏ) ଆଜି ନିଜର ଚାର୍ଜସିଟ ଦାଖଲ କରିଛି । ପ୍ରାୟ ୫ ହଜାର ପୃଷ୍ଠାର ଏହି ଚାର୍ଜସିଟରେ ପାକିସ୍ତାନ ଭିତ୍ତିକ ଆତଙ୍କବାଦୀ ସଂଗଠନ ଜୈସ-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଆଝାର, ତା ଭାଇ ଅବଦୁଲ ରୌଫ ଅସଗରକୁ ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ଦର୍ଶାଯାଇଛି । ଏଥିରେ ମଧ୍ୟ ମୃତ ଆତଙ୍କବାଦୀ ଉମର ଫାରୁକ ଓ ଆତ୍ମଘାତି ଆତଙ୍କବାଦୀ ଆଦିଲ ଅହମ୍ମଦ ଦରକୁ ଏହି ଆକ୍ରମଣ ପାଇଁ ଦାୟୀ କରାଯାଇଛି । ପୁଲଓ୍ଵାମା ଆକ୍ରମଣ ପରେ ଗିରଫ ହୋଇଥିବା ୬ ଜଣଙ୍କୁ ମଧ୍ୟ ଏହି ଆକ୍ରମଣରେ ସଂପୃକ୍ତି ଥିବା ଦର୍ଶାଯାଇଛି ।

ଏନଆଇଏ ପକ୍ଷରୁ ଦାଖଲ ଏହି ଚାର୍ଜସିଟରେ ଆତଙ୍କବାଦୀଙ୍କ ଟେଲିଫୋନ କଲ ବିବରଣୀ, ଫୋରେନସିକ ତଥ୍ୟକୁ ପ୍ରମାଣ ଭାବେ ଦର୍ଶାଯାଇଛି । ଏହି ଆକ୍ରମଣ ପାଇଁ ଖଣି ଅଞ୍ଚଳରୁ ବିସ୍ଫୋରକ ସଂଗ୍ରହ କରାଯାଇଥିଲା ବୋଲି ଏନଆଇଏ କହିଛି । ସୂଚନାଯୋଗ୍ୟ ଗତ ବର୍ଷ ପୁଲୱାମାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ସିଆରପିଏଫର ୪୦ ଯବାନ ସହିଦ ହୋଇଯାଇଥିଲେ। ଏହାକୁ ନେଇ ଦେଶବ୍ୟାପୀ ଆଲୋଡ଼ନ ସୃଷ୍ଟି ହୋଇଥିଲା । ପୁଲୱାମାର ପ୍ରତିଶୋଧ ନେଇ ଭାରତ ବିମାନ ଆକ୍ରମଣ ଦ୍ବାରା ବାଲାକୋଟ ସ୍ଥିତ ଜୈସ ଆତଙ୍କବାଦୀ ଶିବିରକୁ ଧ୍ବସ୍ତ କରିଥିଲା ।

ସମ୍ବନ୍ଧିତ ଖବର