ନୂଆଦିଲ୍ଲୀ : ଜାତୀୟ ତଦନ୍ତକାରୀ ସଂସ୍ଥା ବା ଏନଆଇଏକୁ ଅଧିକ କ୍ଷମତା ପ୍ରଦାନ ପାଇଁ ଉଦ୍ଦିଷ୍ଟ ଏନଆଇଏ(ସଂଶୋଧନ) ବିଲ ଆଜି ଲୋକସଭାରେ ପାଶ ହୋଇଛି । ଏହି ବିଲ ସଂସଦରେ ପାଶ ହୋଇ ରାଷ୍ଟ୍ରପତିଙ୍କ ମଂଜୁରୀ ପାଇବା ପରେ ଆଇନରେ ପରିଣତ ହେଲେ ଏନଆଇଏକୁ କେତେକ ବିଶେଷ କ୍ଷମତା ମିଳିବ । ଆତଙ୍କବାଦ ପରି କେତେକ ନିର୍ଦ୍ଦିଷ୍ଟ ତାଲିକାଭୁକ୍ତ ଅପରାଧ ପାଇଁ ଏନଆଇଏ ତଦନ୍ତ କରି ଦଣ୍ଡବିଧାନ କରିପାରିବ । ଏଥିପାଇଁ ସ୍ୱତନ୍ତ୍ର ଏନଆଇଏ କୋର୍ଟ ସ୍ଥାପନର ବ୍ୟବସ୍ଥା ରହିଛି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଏହି ବିଲକୁ ଲୋକସଭାରେ ଆଗତ କରିଥିଲେ ।

Advertisment

ଏହି ଆଇନ ମାଧ୍ୟମରେ ଏନଆଇଏ ପାଖକୁ କେତେକ ସ୍ୱତନ୍ତ୍ର କ୍ଷମତା ଆସିଯିବ । ଏହା ମାଧ୍ୟମରେ ଏନଆଇଏ ଆତଙ୍କବାଦୀ କାର୍ଯ୍ୟକଳାପ ସଂପର୍କରେ ବିଦେଶରେ ମଧ୍ୟ ତଦନ୍ତ କରିପାରିବ । ସେହିପରି କୌଣସି ବ୍ୟକ୍ତିକୁ ଆତଙ୍କବାଦୀ ଘୋଷଣା କରିପାରିବ । ଏବେ ଥିବା ନିୟମ ଅନୁସାରେ ଏକ ସଂଗଠନକୁ ହିଁ ଆତଙ୍କବାଦୀ ଘୋଷଣା କରାଯାଉଥିଲା । ଆହୁରି ମଧ୍ୟ ଏନଆଇଏ ସାଇବରକ୍ରାଇମ ଓ ବେଆଇନ ମାନବ ଚାଲାଣ ସଂପର୍କିତ ମାମଲା ଗୁଡ଼ିକର ତଦନ୍ତ କରିପାରିବ ।