ନୂଆଦିଲ୍ଲୀ: ୨୬/୧୧ ଆକ୍ରମଣର ମାଷ୍ଟରମାଇଣ୍ଡ ତହବୁର ରାଣାକୁ ରବିବାର ତୃତୀୟ ଦିନ ପାଇଁ ଜାତୀୟ ତଦନ୍ତକାରୀ ଏଜେନ୍ସି (ଏନ୍ଆଇଏ) ଜେରା କରିଛି। ୨୦୦୮ ମୁମ୍ବାଇ ଆତଙ୍କବାଦୀ ଆକ୍ରମଣର ଅଭିଯୁକ୍ତ ରାଣାର ସ୍ୱର ନମୁନା ନିଆଯିବ ବୋଲି ଜଣାପଡ଼ିଛି। ନଭେମ୍ବର ୨୦୦୮ ଆକ୍ରମଣ ସମୟରେ ତହବୁର ଫୋନ୍ରେ ନିର୍ଦ୍ଦେଶ ଦେଉଥିଲା କି ନାହିଁ ତାହା ସ୍ବର ନମୁନା ପରୀକ୍ଷଣରୁ ଏନ୍ଆଇଏ ଜାଣିବାକୁ ପାଇବ। ନମୁନା ନେବା ପାଇଁ ରାଣାର ସମ୍ମତି ଆବଶ୍ୟକ ହେବ। ସେ ମନା କଲେ ଏହି ମାମଲାରେ ଏନ୍ଆଇଏ କୋର୍ଟ ଯାଇପାରେ ବୋଲି ଜଣାପଡ଼ିଛି।
ଏକ ରିପୋର୍ଟ ଅନୁଯାୟୀ, ଶନିବାର ଏନ୍ଆଇଏର ପଚରାଉଚରା ବେଳେ ଅନେକ ଗୁରୁତ୍ବପୂର୍ଣ୍ଣ ତଥ୍ୟ ହାସଲ ହୋଇଥିଲା। ଏହା ସହିତ ରାଣାର ନିର୍ଦ୍ଦେଶରେ ଆତଙ୍କବାଦୀ ଡେଭିଡ୍ ହେଡ୍ଲି ପାଇଁ ଯେଉଁ ବ୍ୟକ୍ତି ଜଣକ ଅପରେସନ୍ ଏବଂ ଲଜିଷ୍ଟିକ୍ସରେ ସହାୟତା କରିଥିଲା, ତା’ସହ ରାଣାର ମୁହାଁମୁହିଁ ଜେରା କରିବାକୁ ଏନ୍ଆଇଏ ଯୋଜନା କରିଛି। ଏଜେନ୍ସି ଅନୁଯାୟୀ, ଆତଙ୍କବାଦୀ ଷଡ୍ଯନ୍ତ୍ର ବିଷୟରେ ଉକ୍ତ ବ୍ୟକ୍ତି (ରାଣାର ନିର୍ଦ୍ଦେଶରେ ସହାୟତା ଯୋଗାଇଥିବା ବ୍ୟକ୍ତି) ଅବଗତ ନଥିଲା। ରାଣାର ନିର୍ଦ୍ଦେଶକ୍ରମେ ସେ ହେଡ୍ଲି ପାଇଁ ପରିବହନ, ରହିବା ଓ ଅଫିସ୍ ବ୍ୟବସ୍ଥା କରୁଥିଲା। ଡେଭିଡ୍ ହେଡଲି ମୁମ୍ବାଇ ଆକ୍ରମଣର ଅନ୍ୟତମ ମାଷ୍ଟରମାଇଣ୍ଡ ଥିଲା।
ସୂଚନାଯୋଗ୍ୟ, ଏପ୍ରିଲ ୧୦ ତାରିଖରେ ଏକ ସ୍ୱତନ୍ତ୍ର ବିମାନ ଯୋଗେ ତହବୁର ରାଣାକୁ ଆମେରିକାରୁ ଭାରତ ଅଣାଯାଇଥିଲା। ତାକୁ ୧୮ ଦିନିଆ ଏନ୍ଆଇଏ ହେପାଜତକୁ ପଠାଇ ଦିଆଯାଇଛି। ଅଣ୍ଡରୱାର୍ଲ୍ଡ ଡନ୍ ଦାଉଦ ଇବ୍ରାହିମ ଏବଂ ତା’ର ନେଟୱର୍କ ‘ଡି କମ୍ପାନି’ ସହ ରାଣାଙ୍କ ସମ୍ଭାବ୍ୟ ଲିଙ୍କ୍ ନେଇ ମଧ୍ୟ ତଦନ୍ତକାରୀ ସଂସ୍ଥା ଅନୁସନ୍ଧାନ କରୁଛି। ଏ ବାବଦରେ ବି ରାଣାକୁ ଜେରା ହେଉଛି। ପାକିସ୍ତାନର ଗୁଇନ୍ଦା ସଂସ୍ଥା ଆଇଏସ୍ଆଇ ଏବଂ ଆତଙ୍କବାଦୀ ସଂଗଠନ ଲସ୍କର-ଏ-ତୋଏବା (ଏଲଇଟି) ସହ ରାଣାର ପ୍ରତ୍ୟକ୍ଷ ଏବଂ ପରୋକ୍ଷ ସମ୍ପର୍କ ନେଇ ମଧ୍ୟ ତନାଘନା ଜାରି ରହିଛି। ତଦନ୍ତକାରୀମାନେ ବିଶ୍ୱାସ କରୁଛନ୍ତି ଯେ ମୁମ୍ବାଇ ଆକ୍ରମଣ ଯୋଜନା ୨୦୦୫ ମସିହାରୁ ଆରମ୍ଭ ହୋଇଥିଲା।
୩ଟି ଜିନିଷ ଦାବି କରିଛି ରାଣା: କୁରାନ, ପେନ୍ ଓ ପେପର୍
ନୂଆଦିଲ୍ଲୀ: ନୂଆଦିଲ୍ଲୀର ସିଜିଓ କମ୍ପ୍ଲେକ୍ସ ସ୍ଥିତ ଏନ୍ଆଇଏର ମୁଖ୍ୟ କାର୍ଯ୍ୟାଳୟ ଭିତରେ ଥିବା ଏକ ଅତ୍ୟନ୍ତ ସୁରକ୍ଷିତ କୋଠରୀରେ ଆତଙ୍କବାଦୀ ତହବୁର ରାଣାକୁ ରଖାଯାଇଛି। ରାଣା ଏବେ ତା’ର ସ୍ବାସ୍ଥ୍ୟକୁ ନେଇ ନାନା ବାହାନା କରୁଥିବା ଏବଂ ତା’ର ସ୍ମୃତି ବିଭ୍ରାଟ ସମସ୍ୟା ରହିଥିବା କହିଛି। ରାଣାର ଅନୁରୋଧକ୍ରମେ ତା’କୁ କୁରାନର ଏକ କପି ପ୍ରଦାନ କରାଯାଇଛି ଏବଂ ରାଣା ଦୈନିକ ପାଞ୍ଚ ଥର ନମାଜ ପଢ଼ୁଥିବା ଦେଖିବାକୁ ମିଳିଛି। ରାଣା ନିଜକୁ ଜଣେ ଧାର୍ମିକ ବ୍ୟକ୍ତି ବୋଲି ପ୍ରତିପାଦିତ କରିବାକୁ ଚାହୁଛି। କୁରାନ ବ୍ୟତୀତ ରାଣା ପେନ୍ ଓ ପେପର୍ ମାଗିଥିଲା ଏବଂ ତାହା ମଧ୍ୟ ତାକୁ ଯୋଗାଇ ଦିଆଯାଇଛି। ତେବେ ସେ ପେନ୍ ଦ୍ବାରା ଯେଭଳି ନିଜକୁ କ୍ଷତି ପହଞ୍ଚାଇବା ପାଇଁ ପଦକ୍ଷେପ ନେଇପାରିବ ନାହିଁ ତାହା ଉପରେ ତୀକ୍ଷ୍ଣ ନଜର ରଖାଯାଇଛି। ଏହାବ୍ୟତୀତ ସେ ଅନ୍ୟ କୌଣସି ଦାବି କରିନାହିଁ ବୋଲି ଜଣାପଡ଼ିଛି। ଅଦାଲତଙ୍କ ନିର୍ଦ୍ଦେଶ ଅନୁଯାୟୀ, ରାଣାକୁ ପ୍ରତି ବିକଳ୍ପ ଦିନରେ ଦିଲ୍ଲୀ ଆଇନ ସେବା ପ୍ରାଧିକରଣ (ଡିଏଲ୍ଏସ୍ଏ) ଦ୍ୱାରା ପ୍ରଦାନ କରାଯାଇଥିବା ଜଣେ ଓକିଲଙ୍କୁ ଭେଟିବାକୁ ଅନୁମତି ଦିଆଯାଉଛି ଏବଂ ପ୍ରତି ୪୮ ଘଣ୍ଟାରେ ଡାକ୍ତରୀ ପରୀକ୍ଷା କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/04/14/2uMZVKFPh9kts5EvnH7m.jpg)