ନାଇଜେରିଆ : ଜେଲ ଉପରେ ଆତଙ୍କବାଦୀ ଆକ୍ରମଣ, ଫେରାର ହୋଇଗଲେ ଶହ ଶହ କଏଦୀ

ଆବୁଜା : ଆଫ୍ରିକୀୟ ଦେଶ ନାଇଜେରିଆରେ ଆତଙ୍କବାଦୀ ସଂଗଠନ ବୋକୋ ହାରାମର ହିଂସାକାଣ୍ଡ ବଢିଯାଇଛି । ମଙ୍ଗଳବାର ରାତିରେ ବୋକୋ ହାରାମର ସଦସ୍ୟମାନେ ରାଜଧାନୀ ଆବୁଜାଠାରେ ଥିବା ଏକ ଜେଲ ଉପରେ ଆକ୍ରମଣ କରି ସେଠାରେ ବନ୍ଦୀ ଥିବା ନିଜର ସଦ୍ୟମାନଙ୍କୁ ଛଡ଼ାଇନେଇଛନ୍ତି ।

ମିଳିଥିବା ସୂଚନା ଅନୁସାରେ ବୋକୋ ହାରାମ ପକ୍ଷରୁ ମଙ୍ଗଳବାର ରାତିରେ ଜେଲ ଉପରେ ଆକ୍ରମଣ କରାଯାଇଥିଲା । ଏହି ଆକ୍ରମଣରେ ଜେଲର ଜଣେ ସୁରକ୍ଷା ଅଧିକାରୀ ନିହତ ହେବା ସହ ଆଉ ୩ ଜଣ ଆହତ ହୋଇଛନ୍ତି । ଏହି ଜେଲରେ ପ୍ରାୟ ୯୦୦ ଜଣ କଏଦୀ ଥିଲେ । ଏହି ଆକ୍ରମଣ ପରେ ଜେଲରେ ଥିବା କଏଦୀମାନେ ଫେରାର ହୋଇଯାଇଥିଲେ । ଫେରାର କଏଦୀଙ୍କ ମଧ୍ୟରେ ପ୍ରାୟ ୨ ଶହରୁ ଅଧିକ ବୋକୋ ହାରାମ ସଦସ୍ୟ ମଧ୍ୟ ଫେରାର ହୋଇଯାଇଛନ୍ତି । ସେମାନଙ୍କୁ ଧରିବାକୁ ନାଇଜେରିଆ ପୁଲିସ ଓ ସେନା ପକ୍ଷରୁ ସ୍ବତନ୍ତ୍ର ଅଭିଯାନ ଆରମ୍ଭ କରାଯାଇଛି । ଇତି ମଧ୍ୟରେ ସେନା ପକ୍ଷରୁ କେତେକ ଫେରାର କଏଦୀଙ୍କୁ ପୁଣି ଗିରଫ କରାଯାଇଛି ।

ଜେଲରେ ବନ୍ଦୀଥିବା ନିଜର ସଦସ୍ୟମାନଙ୍କୁ ଛଡ଼ାଇବାକୁ ହିଁ ବୋକୋ ହାରାମ ପକ୍ଷରୁ ଏହି ଆକ୍ରମଣ କରାଯାଇଥିଲା ବୋଲି କୁହାଯାଉଛି । ଆକ୍ରମଣରେ ଜେଲର କେତେକ ଅଂଶ କ୍ଷତିଗ୍ରସ୍ତ ହୋଇଥିବାବେଳେ ଜେଲ ପରିସରରେ ଥିବା କେତେକ ଗାଡ଼ିକୁ ନିଆଁ ଲଗାଇଦିଆଯାଇଛି ।

ସମ୍ବନ୍ଧିତ ଖବର