ନୂଆଦିଲ୍ଲୀ: ମଙ୍ଗଳବାର ଦିନ ଦିଲ୍ଲୀରେ ରହୁଥିବା ନାଇଜେରିଆର ଅନ୍ୟ ଜଣେ ବ୍ୟକ୍ତି ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ନୂତନ ଆକ୍ରାନ୍ତଙ୍କୁ ମିଶାଇ ଦେଶରେ ଆକ୍ରାନ୍ତଙ୍କ ସଂଖ୍ୟା ୮ରେ ପହଞ୍ଚିଛି। ଏହା ପୂର୍ବରୁ କେରଳରେ ଆଜି ଆଉ ଜଣେ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହେବାରୁ ସେଠାରେ ଆକ୍ରାନ୍ତଙ୍କ ସଂଖ୍ୟା ୫ରେ ପହଞ୍ଚିଥିଲା।
ସୂଚନା ମୁତାବକ, ଦିଲ୍ଲୀରେ ରହୁଥିବା ଏବଂ ବିଦେଶ ଭ୍ରମଣର କୌଣସି ଇତିହାସ ନଥିବା ନାଇଜେରିଆର ୩୫ବର୍ଷ ବୟସ୍କ ବ୍ୟକ୍ତି ମଙ୍କିପକ୍ସ ଦ୍ବାରା ଆକ୍ରାନ୍ତ ହୋଇଛନ୍ତି। ସଂକ୍ରମଣ ପରେ ଚିକିତ୍ସା ପାଇଁ ରୋଗୀଙ୍କୁ ଦିଲ୍ଲୀ ସରକାରଙ୍କ ଦ୍ୱାରା ପରିଚାଳିତ ଏଲଏନଜେପି ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ତାଙ୍କର ନମୁନା ପୁଣେର ନ୍ୟାସନାଲ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଭାଇରୋଲୋଜି (ଏନଆଇଭି)କୁ ପଠାଯାଇଥିବା ବେଳେ ଏବେ ସେ ମଙ୍କିପକ୍ସ ଭୂତାଣୁ ଦ୍ବାରା ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି।
ସବୁଠାରୁ ବଡ଼ ଚିନ୍ତାର ବିଷୟ ହେଉଛି ଦେଶରେ ଗତକାଲି ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇସାରିଛି। ଧୀରେ ଧୀରେ ସଂକ୍ରମଣ ବୃଦ୍ଧି ପାଇବା ପରେ ସାରା ଦେଶରେ ଭୟର ବାତାବରଣ ସୃଷ୍ଟି ହେବାକୁ ଲାଗିଛି।
ଉଲ୍ଲେଖଯୋଗ୍ୟ, ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବା ପରେ ମଙ୍କିପକ୍ସକୁ ନେଇ ଭୟ ବଢ଼ିଛି। ନିକଟରେ ୟୁଏଇରୁ କେରଳ ଫେରିଥିବା ଜଣେ ଯୁବକଙ୍କର ଗତ ଶନିବାର ଦିନ ମୃତ୍ୟୁ ହୋଇଥିଲା। ଦେଶରେ ପ୍ରଥମ ମଙ୍କିପକ୍ସ ମୃତ୍ୟୁ ହେବାପରେ କେନ୍ଦ୍ର ସରକାର ଯୁଦ୍ଧ କାଳୀନ ଭିତ୍ତିରେ ପଦକ୍ଷେପ ଗ୍ରହଣ କରିଛନ୍ତି। ମଙ୍କିପକ୍ସ ମାମଲାର ଯାଞ୍ଚ ପାଇଁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ଏକ ସ୍ବତନ୍ତ୍ର ଟାସ୍କ ଫୋର୍ସ ଗଠନ କରିଛି। ନିତି ଆୟୋଗ ସଦସ୍ୟ (ସ୍ବାସ୍ଥ୍ୟ)ଭିକେ ପଲ୍ ଏହି ଟାସ୍କ ଫୋର୍ସର ମୁଖ୍ୟ ଏବଂ ଏହାର ସଦସ୍ୟମାନଙ୍କ ମଧ୍ୟରେ ମନ୍ତ୍ରାଳୟର ଅଧିକାରୀ ଅଛନ୍ତି। ଦେଶର ପ୍ରମୁଖ ଡାକ୍ତରଖାନା ଏବଂ ଗବେଷଣା ଅନୁଷ୍ଠାନର ପ୍ରତିନିଧି ମଧ୍ୟ ଏଥିରେ ଅଛନ୍ତି। ଦେଶରେ ମଙ୍କିପକ୍ସ ସଂକ୍ରମଣର ଉତ୍ତମ ମୁକାବିଲା ଦିଗରେ ଏହି ଟାସ୍କ ଫୋର୍ସ ସହଯୋଗ କରିବ। ଟାସ୍କ ଫୋର୍ସ ମଧ୍ୟ ଆବଶ୍ୟକ ସ୍ଥଳେ ରାଜ୍ୟମାନଙ୍କୁ ପରାମର୍ଶ ଦେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/08/ସ-8.jpg)