ଖୁଣ୍ଟରେ ବାନ୍ଧି ନାଇଜେରୀୟ ଯୁବକଙ୍କୁ ମାଡ଼, ସାମ୍ନାକୁ ଆସିଲା ଭିଡିଓ

ନୂଆଦିଲ୍ଲୀ: ଚୋରି ଅଭିଯୋଗରେ ଜଣେ ନାଇଜେରୀୟ ଯୁବକଙ୍କୁ ମରଣାନ୍ତକ ଆକ୍ରମଣ କରାଯାଉଥିବାର ଏକ ଭିଡିଓ ଏବେ ସାମ୍ନାକୁ ଆସିଛି । ଉକ୍ତ ଭିଡିଓର ଦୃଶ୍ୟ ମୁତାବକ ଯୁବକ ଜଣକ ରାସ୍ତା କଡ଼ରେ ଥିବା ଏକ ଷ୍ଟ୍ରିଟ୍‌ ଲାଇଟ୍‌ ଖୁଣ୍ଟିରେ ବନ୍ଧା ଯାଇଥିବା ବେଳେ ଭିଡ଼ ଭିତରୁ କେତେକ ଲୋକେ ତାଙ୍କୁ ଲୁହା ରଡ୍‌ ଓ ଠେଙ୍ଗାରେ ମାଡ଼ ମାରୁଥିଲେ । ଯୁବକ ଜଣକ ଚୋରି କରିବା ବେଳେ ଧରା ପଡିଥିବାରୁ ଏଭଳି ଅବସ୍ଥା ଭୋଗିବାକୁ ପଡିଥିଲା ବୋଲି କୁହାଯାଉଛି । ଏଭଳି ଅମାନବୀୟ କାଣ୍ଡର ତଦନ୍ତ ପୋଲିସ୍‌ ଖୁବ୍‌ ଶୀଘ୍ର କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ବୋଲି କୁହାଯାଇଛି ।

ଆଫ୍ରକୀୟ ଛାତ୍ର ଓ ବ୍ୟବସାୟୀ ସମୁହ ବସବାସ କରୁଥିବା ଦକ୍ଷିଣ ଦିଲ୍ଲୀର ମାଲବୀୟ ନଗର ଅଞ୍ଚଳରେ ସେପ୍ଟେମ୍ବର ମାସରେ ଏହି ଘଟଣା ଘଟିଥିଲା । ଦିଲ୍ଲୀ ପୋଲିସର ଜଣେ ମୁଖପାତ୍ର କହିଛନ୍ତି ଯେ, ଗତ ମାସ ୨୪ ତାରିଖରେ ଉକ୍ତ ଘଟଣାକୁ ନେଇ ଥାନାରେ ଅଭିଯୋଗ ହୋଇଥିଲା । ତେବେ ଭିଡିଓ ଭାଇରାଲ ହେବାପରେ ପୋଲିସ ଏହାକୁ ଗୁରୁତର ସହ ନେଇଛି । ଏ ନେଇ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି ।

ସୂଚନାଯୋଗ୍ୟ, ଗତ କିଛି ଦିନ ଭିତରେ ଆଫ୍ରିକୀୟ ନାଗରୀକଙ୍କ ପ୍ରତି ଏଭଳି ଅମାନବୀୟ ଆଚରଣ ବୃଦ୍ଧି ପାଇବାରେ ଲାଗିଛି । ବର୍ଷ ଆରମ୍ଭରେ ଗ୍ରେଟର ନୋଏଡା ଅଞ୍ଚଳରେ ୨ ଜଣ ଆଫ୍ରିକୀୟ ଛାତ୍ରଙ୍କୁ ଆକ୍ରମଣ ଭଳି ଘଟଣା ପୋଲିସ ପାଇଁ ସେତେବେଳେ ଚିନ୍ତା ବଢାଇ ଦେଇଥିଲା ।

 

ସମ୍ବନ୍ଧିତ ଖବର