ନୂଆଦିଲ୍ଲୀ : ଗତ କିଛି ସପ୍ତାହ ଧରି ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳରେ ସଂକ୍ରମଣ ବଢ଼ୁଥିବାରୁ ପୁଣିଥରେ କଟକଣା ଏବଂ ନାଇଟ୍ କର୍ଫ୍ୟୁ ଫେରିଛି। ୧୦ଟି ରାଜ୍ୟରେ ନାଇଟ୍ କର୍ଫ୍ୟୁ ଫେରିଛି। ଦିଲ୍ଲୀ, କର୍ଣ୍ଣାଟକ, ଉତ୍ତରପ୍ରଦେଶ, ମଧ୍ୟପ୍ରଦେଶ, ଆସାମ, ହରିୟାଣା, କେରଳ, ଉତ୍ତରାଖଣ୍ଡ, ପୁଡ଼ୁଚେରୀ, ଦାଦ୍ରା ଏବଂ ନଗର ହାଭେଳି , ଡାମନ୍ ଏବଂ ଡ୍ୟୁରେ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଦିଲ୍ଲୀରେ ସଂକ୍ରମଣ ବଢ଼ିବାରୁ ଗତକାଲିଠାରୁ ନାଇଟ୍ କର୍ଫ୍ୟୁ ଆରମ୍ଭ ହୋଇଛି। କର୍ଣ୍ଣାଟକ ସରକାର ମଧ୍ୟ ଆଜିଠାରୁ ୧୦ ଦିନ ପାଇଁ ରାଜ୍ୟରେ ନାଇଟ୍ କର୍ଫ୍ୟୁ ଲାଗୁ କରିଛନ୍ତି। ଉତ୍ତରପ୍ରଦେଶରେ ଡିସେମ୍ବର ୨୫ରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ମଧ୍ୟପ୍ରଦେଶରେ ଡିସେମ୍ବର ୨୩ରୁ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ଏହା ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଜାରି ରହିବ। ଆସାମ ଏବଂ ହରିୟାଣାରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି। ହରିୟାଣା ସରକାର ଡିସେମ୍ବର ୨୫ରୁ ନାଇଟ୍ କର୍ଫ୍ୟୁ ଲାଗୁ କରିବା ସହ ଅନ୍ୟ କେତେକ କଟକଣା ମଧ୍ୟ ଜାରି କରିଛନ୍ତି। କେରଳରେ ଡିସେମ୍ବର ୩୦ରୁ ଜାନୁଆରି ୨ ପର୍ଯ୍ୟନ୍ତ ନାଇଟ୍ କର୍ଫ୍ୟୁ ଲାଗୁ ହେବ ବୋଲି ଘୋଷଣା କରାଯାଇଛି। ଉତ୍ତରାଖଣ୍ଡ, ପୁଡ଼ୁଚେରୀ ଏବଂ ଦାଦ୍ରା ନଗର ହାଭେଳିରେ ମଧ୍ୟ ନାଇଟ୍ କର୍ଫ୍ୟୁ ଲାଗୁ ହୋଇଛି।
ନୂଆଦିଲ୍ଲୀ : ଦିଲ୍ଲୀ ଏବଂ ମୁମ୍ବାଇରେ କରୋନା ସଂକ୍ରମଣରେ ଅଚାନକ ବୃଦ୍ଧି ହୋଇଛି। ଗତ ୨୪ ଘଣ୍ଟାରେ ମୁମ୍ବାଇରେ ୧୩୭୭ ନୂଆ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ ଗତକାଲି ତୁଳନାରେ ୭୦ ପ୍ରତିଶତ ବୃଦ୍ଧି ହୋଇଛି। ଦିଲ୍ଲୀରେ ୪୯୬ ନୂଆ ସଂକ୍ରମଣ ମାମଲା ଚିହ୍ନଟ ହୋଇଛି। ଗତକାଲି ତୁଳନାରେ ଦିଲ୍ଲୀରେ ସଂକ୍ରମଣ ମାମଲାରେ ୫୦ ପ୍ରତିଶତ ବୃଦ୍ଧି ହୋଇଛି। ତେବେ ଜୁନ୍ ୨ ପରେ ଏହା ସର୍ବାଧିକ ସଂକ୍ରମଣ। ଅନ୍ୟପକ୍ଷେ ଦିଲ୍ଲୀରେ ପଜିଟିଭ୍ ହାର ୦.୮୯ ପ୍ରତିଶତ। ମେ’ ୩୧ ପରେ ଏହା ସର୍ବାଧିକ। ଗତକାଲି ଦିଲ୍ଲୀରେ ୩୩୧ ନୂଆ ମାମଲା ଚିହ୍ନଟ ହୋଇଥିଲା। ୬ ମାସ ମଧ୍ୟରେ ଏହା ସର୍ବାଧିକ ଥିଲା।
ଦେଶରେ ମୋଟ୍ ସଂକ୍ରମିତଙ୍କ ସଂଖ୍ୟା ୩,୪୭,୯୯,୬୯୧ରେ ପହଞ୍ଚିଛି। ଅନ୍ୟପକ୍ଷେ ୪,୮୦,୨୯୦ ଜଣଙ୍କ କରୋନାରେ ମୃତ୍ୟୁ ହୋଇଛି। ଦେଶରେ ୧୮୬ ଜଣ ଓମିକ୍ରନ୍ରୁ ସୁସ୍ଥ ହେଲେଣି। ଦେଶରେ ସକ୍ରିୟ ମାମଲା ୭୫,୪୫୬। ଏହା ମୋଟ୍ ସଂକ୍ରମଣ ମାମଲାର ୧ ପ୍ରତିଶତରୁ କମ୍ ରହିଛି। ଦେଶରେ ଆରୋଗ୍ୟ ହାର ୯୮.୪୦ ପ୍ରତିଶତ। ମାର୍ଚ୍ଚ ୨୦୨୦ପରେ ଏହା ସର୍ବାଧିକ। ଗତ ୨୪ ଘଣ୍ଟାରେ ଦେଶରେ ୬,୪୫୦ ଜଣ କରୋନାରୁ ସୁସ୍ଥ ହେବା ସହ ମୋଟ୍ ଆରୋଗ୍ୟଙ୍କ ସଂଖ୍ୟା ୩,୪୨,୪୩,୯୪୫କୁ ବୃଦ୍ଧି ପାଇଛି। ଦେଶରେ ଦୈନିକ ପଜିଟିଭ୍ ହାର ୦.୬୧ ପ୍ରତିଶତ ରହିଛି। ଲଗାତାର ୮୫ ଦିନ ଧରି ଦୈନିକ ପଜିଟିଭ୍ ହାର ୨ ପ୍ରତିଶତ ତଳେ ରହିଛି। ଅନ୍ୟପକ୍ଷେ ସାପ୍ତାହିକ ପଜିଟିଭ୍ ହାର ୦.୬୪ ପ୍ରତିଶତ। ୪୪ ଦିନ ଧରି ସାପ୍ତାହିକ ପଜିଟିଭ୍ ହାର ୧ ପ୍ରତିଶତ ତଳେ ରହିଛି।