ସିଙ୍ଗୁ ହତ୍ୟା ଘଟଣା : ନିହଙ୍ଗ ଶିଖ୍ ସରବଜିତ ସିଂ ଗିରଫ

ନୂଆଦିଲ୍ଲୀ : ଦିଲ୍ଲୀ-ହରିୟାଣା ସିଙ୍ଗୁ ସୀମାରେ ଜଣେ ୩୫ ବର୍ଷୀୟ ବ୍ୟକ୍ତିର ହାତକୁ ଅତ୍ୟନ୍ତ ନିର୍ମମଭାବେ କାଟି ହତ୍ୟା କରିଥିବା ନିହଙ୍ଗ ଶିଖ ସରବଜିତ ସିଂ ଆଜି ହରିୟାଣା ପୁଲିସ ନିକଟରେ ଆତ୍ମସମର୍ପଣ କରିଛି । ତାକୁ ପୁଲିସ ଗିରଫ କରିବା ସହ ତାର ଡାକ୍ତରୀ ପରୀକ୍ଷା କରିଛି । ଆସନ୍ତା କାଲି କୋର୍ଟ ଚାଲାଣ କରିବ । ପୁଲିସ ନିକଟରେ ଆତ୍ମସମର୍ପଣ କରିଥିବା ସରବଜିତ ସିଂ ଏହି ଘଟଣା ପାଇଁ ନିଜକୁ ଦାୟୀ କରିଛି ।

ଏକ ଶିଖ ନିହଙ୍ଗ ଦଳ ନିରବେର ଖାଲସା-ଉଡନା ଦଳ ପକ୍ଷରୁ ଏହି ହତ୍ୟା ଘଟଣା ସଂପର୍କରେ ସ୍ବୀକାର କରିଛି । ସରବଜିତ ଏହି ଦଳର ସଦସ୍ୟ । ଉଡନା ଦଳର ଜଣେ ସଦସ୍ୟ ବଲଓ୍ବିନ୍ଦର ସିଂ କହିଛନ୍ତି ଯେ ଉକ୍ତ ବ୍ୟକ୍ତି କିଛି ଦିନ ତଳେ ସେବା କରିବାକୁ ତାଙ୍କ ନିକଟକୁ ଆସିଥିଲା । ସେବା କରି ସେ ସମସ୍ତଙ୍କ ଭରସାର ପାତ୍ର ହୋଇଯାଇଥିଲା । କିନ୍ତୁ ଆଜି ସକାଳେ ପ୍ରକାଶ ପ୍ରାର୍ଥନା ( ଭୋର ୩ଟା ସମୟରେ) ସେ ପବିତ୍ର ଗ୍ରନ୍ଥର ଅପମାନ କରିଥିଲା । ଯଦି କୌଣସି ବ୍ୟକ୍ତି ଧର୍ମଗ୍ରନ୍ଥର ଅପମାନ କରେ ତେବେ ତାହାର ପରିଣତି ଏପରି ହେବ । ଆମେ କୌଣସି ପୁଲିସ ନିକଟରେ ଅଭିଯୋଗ କରିବୁ ନାହିଁ ବୋଲି ସେ କହିଛନ୍ତି ।

ଅନ୍ୟପକ୍ଷରେ ଏହି ହତ୍ୟା ଘଟଣାକୁ ସଂଯୁକ୍ତ କିଷାନ ମୋର୍ଚ୍ଚା (ଏସକେଏମ) ପକ୍ଷରୁ ନିନ୍ଦା କରାଯାଇଛି । ପୁଲିସ ପକ୍ଷରୁ କରାଯାଉଥିବା ତଦନ୍ତରେ ସବୁ ପ୍ରକାରର ସହଯୋଗ କରାଯିବ ବୋଲି ମୋର୍ଚ୍ଚା ପକ୍ଷରୁ କୁହାଯାଇଛି ।

ସମ୍ବନ୍ଧିତ ଖବର