ପଟିୟାଲା : ପଞ୍ଜାବର ପଟିୟାଲା ଜିଲ୍ଲା ସ୍ଥିତ ସନୌରରେ ଆଜି କର୍ଫ୍ୟୁ ଉଲ୍ଲଂଘନ କରି ଏକ ‘ନିହଙ୍ଗ’ ଶିଖ୍ ଗୋଷ୍ଠୀ ବର୍ବର କାଣ୍ଡ ଘଟାଇଛନ୍ତି। ସେମାନେ ପୁଲିସ ବାହିନୀ ଉପରେ ଆକ୍ରମଣ କରିବା ସହ ଅତ୍ୟନ୍ତ ନୃଶଂସ ଭାବେ ଜଣେ ଏଏସ୍ଆଇଙ୍କ ହାତ ତାଙ୍କ କଚଟିରୁ କାଟି ଅଲଗା ଦେଇଛନ୍ତି। ଏହି ଆକ୍ରମଣରେ ୫ ଜଣ ପୁଲିସ କର୍ମୀ ଓ ସ୍ଥାନୀୟ ମଣ୍ଡି ବୋର୍ଡର ଜଣେ ଅଧିକାରୀ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ଏଏସ୍ଆଇଙ୍କୁ ଚଣ୍ଡିଗଡ଼ ପିଜିଆଇରେ ଏବେ ଚିକିତ୍ସା କରାଯାଉଛି। ଆକ୍ରମଣ କରିବା ପରେ ନିହଙ୍ଗମାନେ ଏକ ଗୁରୁଦ୍ବାର ଭିତରେ ଲୁଚି ଯାଇଥିଲେ। ତେବେ ପୁଲିସ ବଡ଼ ଧରଣର ଅପରେସନ ଆରମ୍ଭ କରି ୮ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ଏବଂ ଅନ୍ୟ ଅଭିଯୁକ୍ତଙ୍କୁ ଧରିବା ପାଇଁ ଚଢ଼ଉ ଜାରି ରହିଛି। ପୁଲିସ ସ୍ଥାନୀୟ ଧର୍ମଗୁରୁଙ୍କ ସହାୟତାରେ ଅଭିଯୁକ୍ତମାନଙ୍କୁ ଗିରଫ କରିବାରେ ସକ୍ଷମ ହୋଇଥିବା କହିଛି। ସେମାନଙ୍କଠାରୁ ବିପୁଳ ଅସ୍ତ୍ରଶସ୍ତ୍ର, ଗୁଳି ଏବଂ ନିଶାଦ୍ରବ୍ୟ ଭର୍ତ୍ତି ହୋଇଥିବା ଏକ ପିକ୍ଅପ୍ ଭ୍ୟାନ୍ ମଧ୍ୟ ଜବତ ହୋଇଛି।
ପଞ୍ଜାବ ଡିଜିପି ଦିନକର ଗୁପ୍ତା କହିଛନ୍ତି ଯେ ଏକ ନିହଙ୍ଗ ଶିଖ୍ ଗୋଷ୍ଠୀ ଲକ୍ଡାଉନ୍ ଉଲ୍ଲଂଘନ କରି ବିତ୍ପାତ ଆରମ୍ଭ କରିବା ପରେ ସେଠାରେ ପୁଲିସ ବାହିନୀ ପହଞ୍ଚି ସେମାନଙ୍କୁ ନିୟନ୍ତ୍ରଣ କରିବାକୁ ଚେଷ୍ଟା କରିଥିଲେ। ଏହି ସମୟରେ ନିହଙ୍ଗମାନେ ଅଚାନକ ଖଣ୍ଡାରେ ଆକ୍ରମଣ କରିଥିଲେ। ଏଏସ୍ଆଇଙ୍କର କଟା ହାତକୁ ଯୋଡ଼ିବା ପାଇଁ ଏବେ ପ୍ଲାଷ୍ଟିକ୍ ସର୍ଜରି ଚାଲିଛି। ଏଥିପାଇଁ ବରିଷ୍ଠ ସର୍ଜନଙ୍କୁ ନେଇ ଏକ ଟିମ୍ ଗଠନ ହୋଇଛି।
କଟା ହାତ ଧରି ସ୍କୁଟିରେ ହସ୍ପିଟାଲ ପହଞ୍ଚିଥିଲେ ଏଏସ୍ଆଇ, ପଞ୍ଜାବ ପୁଲିସ ପାଇଁ ଗର୍ବିତ: ଅମରିନ୍ଦର
ଚଣ୍ଡିଗଡ଼ : ପଞ୍ଜାବର ପଟିୟାଲାରେ ନିହଙ୍ଗ ଶିଖ୍ଙ୍କ ପ୍ରାଣାନ୍ତକ ଆକ୍ରମଣର ଶିକାର ହୋଇଥିବା ଏଏସ୍ଆଇ ହରଜିତ ସିଂହ ତାଙ୍କ କର୍ତ୍ତବ୍ୟ ପାଳନ କରବା ପାଇଁ ଜୀବନକୁ ବାଜି ଲଗାଇ ଦେଇଛନ୍ତି। କର୍ଫ୍ୟୁ ସମୟରେ ଡ୍ୟୁଟି କରୁଥିବା ହରଜିତଙ୍କୁ ନିହଙ୍ଗମାନେ ଆକ୍ରମଣ କରି ତାଙ୍କର ଗୋଟିଏ ହାତ କଚଟିରୁ ସଂପୂର୍ଣ୍ଣ କାଟି ଦେଇଥିଲେ। ହରଜିତ ନିଜ ଜୀବନ ବଞ୍ଚାଇବା ପାଇଁ ତୁରନ୍ତ କଟା ହାତକୁ ନେଇ ଏକ ସ୍କୁଟିରେ ହସ୍ପଟାଲ ଅଭିମୁଖେ ବାହାରି ଯାଇଥିଲେ। ଲହୁଲୁହାଣ ହରଜିତଙ୍କୁ ସ୍ଥାନୀୟ ଲୋକେ ସହାୟତା କରିଥିଲେ ଏବଂ ଆମ୍ବୁଲାନ୍ସକୁ ଅପେକ୍ଷା ନ କରି ସ୍କୁଟିରେ ହସ୍ପିଟାଲ ପହଞ୍ଚାଇଥିଲେ। ହରଜିତ କଟା ହାତ ଧରି ଡାକ୍ତରଙ୍କୁ ଘଟଣା ସଂପର୍କରେ କହିବା ପରେ ସମସ୍ତ ହତ୍ବାକ୍ ହୋଇ ଯାଇଥିଲେ ଏବଂ ତୁରନ୍ତ ସର୍ଜରି ଆରମ୍ଭ ହୋଇଥିଲା। ପୁଲିସ ଉପରେ ଏଭଳି ଆକ୍ରମଣ ଘଟଣାକୁ ମୁଖ୍ୟମନ୍ତ୍ରୀ ଅମରିନ୍ଦର୍ ସିଂହ କଡ଼ା ନିନ୍ଦା କରିବା ସହ ଅପରାଧୀଙ୍କୁ ଚେତାବନୀ ଦେଇଛନ୍ତି ଏବଂ ପଞ୍ଜାବ ପୁଲିସ ପାଇଁ ଆମେ ଗର୍ବିତ ବୋଲି କହିଛନ୍ତି।