ଘୁଞ୍ଚିବନି ନିଟ୍‌, ଜେଇଇ ମେନ୍ ପରୀକ୍ଷା: ସୁପ୍ରିମ୍ କୋର୍ଟ

ନୂଆଦିଲ୍ଲୀ: କରୋନା ମହାମାରୀ ସତ୍ତ୍ବେ ଚଳିତବର୍ଷ ଧାର୍ଯ୍ୟ ସମୟରେ ମେଡିକାଲ ଓ ଇଞ୍ଜିନିୟରିଂ ପାଠପଢ଼ାରେ ନାମଲେଖାଇବା ପାଇଁ ହେଉଥିବା ନିଟ୍ ଓ ଜେଇଇ ମେନ୍ ପ୍ରବେଶିକା ପରୀକ୍ଷା ହେବ। ପରୀକ୍ଷା ପରିଚାଳନା ବେଳେ କରୋନା ମହାମାରୀ ପାଇଁ ସମସ୍ତ ପ୍ରକାର ସତର୍କତାମୂଳକ ପଦକ୍ଷେପ ନିଆଯିବ ବୋଲି ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି (ଏନଟିଏ) ପ୍ରତିଶ୍ରୁତି ଦେବା ପରେ ସୁପ୍ରିମ କୋର୍ଟ ଏହି ରାୟ ଦେଇଛନ୍ତି। ପରୀକ୍ଷାକୁ ଘୁଞ୍ଚାଇ ଦିଆଗଲେ ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ବିପଦରେ ପଡ଼ିବ। ଛାତ୍ରଛାତ୍ରୀଙ୍କ କ୍ୟାରିୟରକୁ ଦୀର୍ଘଦିନ ପାଇଁ ବିପଦ ମଧ୍ୟକୁ ଠେଲି ଦିଆଯାଇ ପାରିବ ନାହିଁ ବୋଲି ସୁପ୍ରିମ କୋର୍ଟର ବିଚାରପତି ଅରୁଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଟିପ୍ପଣୀ ଦେବା ସହିତ ଏହି ରାୟ ଦେଇଛନ୍ତି।

ପୂର୍ବରୁ ଏନଟିଏ ପକ୍ଷରୁ ଇଞ୍ଜିନିୟରିଂ ଓ ମେଡିକାଲ ପ୍ରବେଶିକା ପରୀକ୍ଷା ସେପ୍ଟେମ୍ବରରେ କରାଯିବ ବୋଲି ଘୋଷଣା କରାଯାଇ ସାରିଛି। ଜୁଲାଇ ୩ ତାରିଖରେ ଏନଟିଏ ପ୍ରକାଶ କରିଥିବା ବିଜ୍ଞପ୍ତି ଅନୁଯାୟୀ, ନିଟ୍ ୟୁଜି ପରୀକ୍ଷା ସେପ୍ଟେମ୍ବର ୧୩ ତାରିଖରେ ଏବଂ ଜେଇଇ ମୁଖ୍ୟ ପରୀକ୍ଷା ସେପ୍ଟେମ୍ବର ୧ ତାରିଖରୁ ଆରମ୍ଭ ହୋଇ ୬ ତାରିଖ ମଧ୍ୟରେ ସରିବ। ତେବେ କରୋନାଜନିତ ସ୍ବାଭାବିକ ସ୍ଥିତି ନଫେରିବା ପର୍ଯ୍ୟନ୍ତ ଏହି ପ୍ରବେଶିକା ପରୀକ୍ଷା ନକରିବା ପାଇଁ ୧୧ଟି ରାଜ୍ୟର ୧୧ ଜଣ ଛାତ୍ର ସୁପ୍ରିମ କୋର୍ଟରେ ଆବେଦନ କରିଥିଲେ। ଏହି ଛାତ୍ରଙ୍କ ପକ୍ଷରୁ ଆଇନଜୀବୀ ଏ ଏ ଶ୍ରୀବାସ୍ତବ ମାମଲା ପରିଚାଳନା କରୁଥିଲେ। ସୁପ୍ରିମ କୋର୍ଟଙ୍କ ରାୟ ଆସିବା ପରେ ଏନଟିଏ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଆଡମିଟ୍ କାର୍ଡ ପ୍ରଦାନ ବ୍ୟବସ୍ଥା ଆରମ୍ଭ ହେବ ବୋଲି ଆଶା କରାଯାଉଛି।

ସମ୍ବନ୍ଧିତ ଖବର