ଖଲିସ୍ତାନୀ ପନ୍ନୁ ହତ୍ୟା ଉଦ୍ୟମ ମାମଲା : ଆମେରିକାକୁ ଅଭିଯୁକ୍ତ ନିଖିଲ ଗୁପ୍ତାର ପ୍ରତ୍ୟାର୍ପଣ

ନୂଆଦିଲ୍ଲୀ: ଖଲିସ୍ତାନୀ ଗୁରପତୱନ୍ତ ସିଂହ ପନ୍ନୁ ହତ୍ୟା ମାମଲାରେ ଏକ ବଡ଼ ତଥ୍ୟ ସାମ୍ନାକୁ ଆସିଛି। ପନ୍ନୁକୁ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୁକ୍ତ ନିଖିଲ ଗୁପ୍ତାଙ୍କୁ ଆମେରିକା ପ୍ରତ୍ୟର୍ପଣ କରାଯାଇଛି। ଭାରତୀୟ ନାଗରିକ ନିଖିଲ ଗୁପ୍ତାଙ୍କୁ ଏବେ ଚେକ୍ ରିପବ୍ଲିକରୁ ଆମେରିକାକୁ ହସ୍ତାନ୍ତର କରାଯାଇଛି ବୋଲି ଗଣମାଧ୍ୟମ ରିପୋର୍ଟରେ ଏହି ଦାବି କରାଯାଇଛି। ଶିଖ ବିଚ୍ଛିନ୍ନତାବାଦୀ ଏବଂ ଖଲିସ୍ତାନୀ ପନ୍ନୁଙ୍କ ବିରୋଧରେ ହତ୍ୟା ଷଡ଼ଯନ୍ତ୍ର କରିଥିବା ଅଭିଯୋଗ ହୋଇଛି ନିଖିଲ।

ଗୁରପତୱନ୍ତ ସିଂ ପନ୍ନୁଙ୍କୁ ହତ୍ୟା ଷଡ଼ଯନ୍ତ୍ରରେ ସମ୍ପୃକ୍ତି ଅଭିଯୋଗରେ ଆମେରିକା ସରକାରଙ୍କ ଅନୁରୋଧକ୍ରମେ ୫୨ ବର୍ଷୀୟ ଗୁପ୍ତାଙ୍କୁ ଗତ ବର୍ଷ ଚେକ୍ ରିପବ୍ଲିକରେ ଗିରଫ କରାଯାଇଥିଲା। ନିଖିଲ ଗୁପ୍ତା ସୋମବାର ନ୍ୟୁୟର୍କର ଏକ ଫେଡେରାଲ କୋର୍ଟରେ ହାଜର ହେବେ ବୋଲି ଜଣାପଡିଛି । ଗୁପ୍ତା ବର୍ତ୍ତମାନ ବ୍ରୁକଲିନର ଫେଡେରାଲ ମେଟ୍ରୋପଲିଟାନ ଡିଟେନସନ ସେଣ୍ଟରରେ ବନ୍ଦୀ ଅଛନ୍ତି, ଯେଉଁଠାରେ ସେ କଏଦୀ ଭାବରେ ତାଲିକାଭୁକ୍ତ ଅଛନ୍ତି । ୱାଶିଂଟନ ପୋଷ୍ଟ ପ୍ରଥମେ ନିଖିଲଙ୍କ ପ୍ରତ୍ୟର୍ପଣ ବିଷୟରେ ଖବର ପ୍ରକାଶ କରିଥିଲା ।

ଏହି ମାମଲା ସହ ଜଡ଼ିତ ଲୋକମାନେ କହିଛନ୍ତି ଯେ ନିଖିଲ ଗୁପ୍ତାଙ୍କୁ ଚେକ୍ ରିପବ୍ଲିକରେ ଅଟକ ରଖାଯାଇଥିଲା। ଚଳିତ ସପ୍ତାହରେ ସେ ନ୍ୟୁୟର୍କରେ ପହଞ୍ଚିଥିଲେ। ସାଧାରଣତଃ ଅଭିଯୁକ୍ତମାନେ ଦେଶରେ ପହଞ୍ଚିବାର ଗୋଟିଏ ଦିନ ମଧ୍ୟରେ କୋର୍ଟରେ ହାଜର ହେବାକୁ ପଡ଼ିଥାଏ। ଫେଡେରାଲ ପ୍ରସିକ୍ୟୁଟରମାନେ ଅଭିଯୋଗ କରିଛନ୍ତି ଯେ ଗୁପ୍ତା ପନ୍ନୁଙ୍କୁ ହତ୍ୟା କରିବା ପାଇଁ ଜଣେ ହତ୍ୟାକାରୀଙ୍କୁ ନିୟୋଜିତ କରିଥିଲେ ଏବଂ ଅଗ୍ରୀମ ଭାବରେ ୧୫,୦୦୦ ଆମେରିକୀୟ ଡଲାର ମଧ୍ୟ ଦେଇଥିଲେ। ଏଥିରେ ଜଣେ ଅଜ୍ଞାତ ଭାରତୀୟ ସରକାରୀ ଅଧିକାରୀ ଙ୍କ ସମ୍ପୃକ୍ତି ଥିବା ସେମାନେ ଅଭିଯୋଗ କରିଛନ୍ତି।

 

ସମ୍ବନ୍ଧିତ ଖବର