ୱାସିଂଟନ: ନିର୍ଣ୍ଣାୟକ ପ୍ରାଥମିକ ମତଦାନରେ ଡୋନାଲ୍ଡ ଟ୍ରମ୍ପଙ୍କଠାରୁ ପରାଜିତ ହେବା ପରେ ଭାରତୀୟ-ଆମେରିକୀୟ ପ୍ରାର୍ଥୀ ନିକି ହାଲି ବୁଧବାର ତାଙ୍କ ପ୍ରଚାର ଅଭିଯାନର ସମାପ୍ତି ଘୋଷଣା କରିଛନ୍ତି। ସେ ଏହି ଦୌଡ଼ରୁ ଓହରିଯିବା ପରେ ଡୋନାଲ୍ଡ ଟ୍ରମ୍ପ ପୁଣି ଥରେ ନଭେମ୍ବର ନିର୍ବାଚନରେ ଡେମୋକ୍ରାଟିକ୍ ରାଷ୍ଟ୍ରପତି ଜୋ ବାଇଡେନଙ୍କୁ ଭେଟିବେ। ଦୌଡ଼ରୁ ଓହରିବା ପରେ ନିକି କହିଛନ୍ତି, ଏବେ ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ନିର୍ଭର କରୁଛି ଯେ ସେ ଆମ ଦଳର ଏବଂ ଏହା ବାହାରେ ଥିବା ଲୋକଙ୍କ ଭୋଟ୍ ହାସଲ କରିବେ। ଆମେରିକାର ୧୫ଟି ରାଜ୍ୟରେ ଅନୁଷ୍ଠିତ ରାଷ୍ଟ୍ରପତି ପ୍ରାର୍ଥୀ ନିର୍ବାଚନରେ ଡେମୋକ୍ରାଟିକ୍ ପାର୍ଟିର ଜୋ ବାଇଡେନ୍ ଏବଂ ତାଙ୍କ ରିପବ୍ଲିକାନ୍ ପୂର୍ବସୂରି ଡୋନାଲ୍ଡ ଟ୍ରମ୍ପ ବିଜୟୀ ହୋଇଛନ୍ତି। ସୁପର୍ ମଙ୍ଗଳବାରର ଫଳାଫଳ ପରେ ୭୭ ବର୍ଷୀୟ ଟ୍ରମ୍ପ ତାଙ୍କର ଏକମାତ୍ର ରିପବ୍ଲିକାନ୍ ପ୍ରତିଦ୍ୱନ୍ଦ୍ୱୀ ୫୨ ବର୍ଷୀୟ ହାଲିଙ୍କଠାରୁ ଉଲ୍ଲେଖନୀୟ ଭାବେ ଅଗ୍ରଣୀ ରହିଥିଲେ।