ନୀଳାଚଳ ଇସ୍ପାତ ୩ ମାସ‌ରେ ଚାଲୁ ହେବ

ନୂଆଦିଲ୍ଲୀ : ଓଡ଼ିଶାର ଯାଜପୁର ଜିଲ୍ଲାର କଳିଙ୍ଗନଗରରେ ଥିବା ବାର୍ଷିକ ଏକ ନିୟୁତ ଟନ୍ କ୍ଷମତା ବିଶିଷ୍ଟ ନୀଳାଚଳ ଇସ୍ପାତ ନିଗମ ଲିମିଟେଡ୍ (ଏନ୍‌ଆଇଏନ୍‌ଏଲ୍‌)କୁ ତିନି ମାସ ମଧ୍ୟରେ ପୁଣିଥରେ ଚାଲୁ କରିବାକୁ ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ୍‌ ଯୋଜନା ରଖିଛି। ଟାଟା ଷ୍ଟିଲ୍‌ର ସିଇଓ ଓ ଏମ୍‌ଡି ଟି ଭି ନରେନ୍ଦ୍ରନ ଏହି ସୂଚନା ଦେଇଛନ୍ତି। ନୀଳାଚଳ ଇସ୍ପାତକୁ ୧୨,୧୦୦ କୋଟି ଟଙ୍କାରେ ଟାଟା ଷ୍ଟିଲ୍‌ ଲଙ୍ଗ୍‌ ପ୍ରଡକ୍ଟସ୍‌ କିଣିଛି। କିଛିଦିନ ପୂର୍ବେ ଏହି ଅଧିଗ୍ରହଣ ପ୍ରକ୍ରିୟା ଶେଷ ହୋଇଛି। କେନ୍ଦ୍ର ସରକାରଙ୍କ ଦିପମ୍ ବିଭାଗର ସଚିବ ତୁହିନ୍‌ କାନ୍ତ ପାଣ୍ଡେ ଭୁବନେଶ୍ବର ଆସି କଂପାନି ସମ୍ପର୍କିତ କାଗଜପତ୍ର ଟାଟାକୁ ହସ୍ତାନ୍ତର କରିଥିଲେ।

୨୦୧୮ ପରଠାରୁ ନୀଳାଚଳ ଇସ୍ପାତର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା। ବିପୁଳ କ୍ଷତିରେ ଚାଲୁଥିବା ଏହି ସଂସ୍ଥା ଉତ୍ପାଦନକୁ ନିୟମିତ ବଜାୟ ରଖିବାରେ ବିଫଳ ହୋଇଥିଲା। ୨୦୨୦ ମାର୍ଚ୍ଚ ପରଠାରୁ କାରଖାନା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଥିଲା। ଭାରତ ସରକାରଙ୍କ ଚାରିଟି ସଂସ୍ଥା ଏନ୍‌ଏମ୍‌ଡିସି, ଏମ୍‌ଏମ୍‌ଟିସି, ଭେଲ୍ ଓ ମେକନ୍ ଏବଂ ଓଡ଼ିଶା ସରକାରଙ୍କ ଦୁଇଟି ସଂସ୍ଥା ଓଏମ୍‌ସି ଓ ଇପିକଲ୍‌କୁ ନେଇ ଗଠନ କରାଯାଇଥିବା ଯୌଥ ଉଦ୍ୟୋଗ ଏହି ସଂସ୍ଥାକୁ ସ୍ଥାପନ କରିଥିଲେ। ଏହି ସଂସ୍ଥାଗୁଡ଼ିକ ପାଖରେ ଥିବା ନୀଳାଚଳ ଇସ୍ପାତର ୯୩.୭% ଅଂଶଧନକୁ ଟାଟା ଷ୍ଟିଲ୍ ଲଙ୍ଗ୍‌ ପ୍ରଡକ୍ଟସ୍‌ କିଣିଛି।

ଶ୍ରୀ ନରେନ୍ଦ୍ରନ କହିଛନ୍ତି ଯେ ଏନ୍‌ଆଇଏନ୍‌ଏଲ୍‌ର ପୂର୍ଣ୍ଣ ମାଲିକାନା ହାସଲ କରିବା ଲାଗି ଟାଟା ଷ୍ଟିଲ୍ ଉଦ୍ୟମ କରିବ। ଏହାବ୍ୟତୀତ କଂପାନିର ପୂର୍ଣ୍ଣ କ୍ଷମତା ଉପଯୋଗ କରିବା ଲାଗି କର୍ମଚାରୀ ଓ ସମସ୍ତ ଅଂଶୀଦାରଙ୍କ ସହ ମିଶି କଠିନ ପରିଶ୍ରମ କରି କାମ କରିବ। ଆମେ କଂପାନିର ପୁରୁଣା କର୍ମଚାରୀଙ୍କ ସହ ମିଶି କାମ ଆରମ୍ଭ କରିବାକୁ ପ୍ରସ୍ତୁତ ରହିଛୁ। ଦୁଇବର୍ଷ ଧରି କାରଖାନା ବନ୍ଦ ଥିଲା। ଆମେ ଆଶା କରୁଛୁ ଆସନ୍ତା ୩ ମାସରେ କାରଖାନା କାର୍ଯ୍ୟକ୍ଷମ ହୋଇଯିବ ଏବଂ ଆସନ୍ତା ୧୨ ମାସ ମଧ୍ୟରେ ଆମେ ସେହି କାରଖାନାର ଉତ୍ପାଦନ କ୍ଷମତାକୁ ବୃଦ୍ଧି କରିବୁ। ଏନ୍‌ଆଇଏନ୍‌ଏଲ୍‌ର ଉତ୍ପାଦନ କ୍ଷମତାକୁ ବାର୍ଷିକ ୫ ନିୟୁତ ଟନ୍ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଟାଟା ଷ୍ଟିଲ୍ ଲକ୍ଷ୍ୟ ରଖିଛି। ସେଥିପାଇଁ ଦରକାର ମଞ୍ଜୁରି ହାସଲ କରିବା ଲାଗି କଂପାନି ଉଦ୍ୟମ କରିବ।

ସମ୍ବନ୍ଧିତ ଖବର