ଓଡ଼ିଆ ସଫ୍ଟୱେୟାର ଇଂଜିନିୟରଙ୍କ ଭିନ୍ନ ଚିନ୍ତାଧାରା

କାଲିଫର୍ଣ୍ଣିଆ: କରୋନା ମହାମାରୀ ପାଇଁ ବଦଳିଛି ଲୋକଙ୍କ ଜୀବନଶୈଳୀ | ମାସ୍କ, ସାମାଜିକ ଦୂରତା ଓ ସାନିଟାଇଜର ଆଜିକାଲି ଲୋକଙ୍କ ପାଇଁ ପ୍ରମୁଖ ମନ୍ତ୍ର ପାଲଟିଥିବା ବେଳେ ସ୍ୱାସ୍ଥ୍ୟକୁ ନେଇ ସଚେତନତା ମଧ୍ୟ ବଢିଛି | ଲକଡାଉନରେ ଘରେ ସମୟ କାଟିବାବେଳେ ସ୍ୱାସ୍ଥ୍ୟ ସେବା ସହ ଜଡିତ ବିଭିନ୍ନ ଉପଦେଶ ଓ ପରିବର୍ତ୍ତନକୁ ମଧ୍ୟ ଆପଣେଇବାକୁ ସମସ୍ତେ ଚେଷ୍ଟା କରୁଛନ୍ତି | ଏହାରି ଭିତରେ ଓଡ଼ିଶାର ଯୁବପିଢିଙ୍କ ପାଇଁ ଏକ ଭିନ୍ନ ଢଙ୍ଗର ପ୍ରତିଯୋଗିତା ଆୟୋଜନ କରାଯାଇଛି | ଆଉ ଏହାର ନେତୃତ୍ୱ ନେଉଛନ୍ତି ମାଇକ୍ରୋସଫ୍ଟରେ କାର୍ଯ୍ୟରତ ପ୍ରାକ୍ତନ ଓଡ଼ିଆ ସଫ୍ଟୱେୟାର ଇଂଜିନିୟର ତଥା ମାକ୍ରୋସଫଟ କ୍ଲାଉଡ଼ ସଲ୍ୟୁସନ ଏକ୍ସପର୍ଟ ବିକ୍ରମ ରାୟ | ନୂତନ ଜ୍ଞାନକୌଶଳରେ ରୁଚି ରଖୁଥିବା ଯୁବପିଢିଙ୍କ ପାଇଁ ଏକ ହାକାଥନର ଆୟୋଜନ କରାଯାଉଛି |

‘ନିମାଇ-୨୦୨୦’ ନାମରେ ଡିସେମ୍ବର ୧୧ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ହାକାଥନର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଯେ ମୋବାଇଲ ଆପ୍ସ ଦ୍ୱାରା ଲୋକଙ୍କ ମଧ୍ୟରେ ସ୍ୱାସ୍ଥ୍ୟ ସମ୍ବଦ୍ଧିତ ସଚେତନତା ସୃଷ୍ଟି କରିବା | ଆଉ ଏଥିପାଇଁ ଯୁବପିଢ଼ି ମୋବାଇଲ ଆପ୍ସ ପ୍ରସ୍ତୁତ କରିପାରିବେ | ମାଇକ୍ରୋସଫ୍ଟ ପ୍ଲାଟଫର୍ମ ବ୍ୟବହାର କରି ଆପ୍ସ ପ୍ରସ୍ତୁତିର କୌଶଳ ଶିଖିବା ସହ ଭବିଷ୍ୟତରେ ନିଜକୁ କିଭଳି ଶିଳ୍ପ ଉପଯୋଗୀ ଭାବେ ବିକଶିତ କରିପାରିବେ ତାହା ଏହି ହାକାଥନର ଉଦ୍ଦେଶ୍ୟ ରହିଛି | ଏଥିରେ ତିନିଟି ଉନ୍ନତ ଆପ୍ସକୁ ପୁରସ୍କୃତ କରାଯିବ | ପ୍ରଥମ ପୁରସ୍କାର ଭାବେ ୧ ଲକ୍ଷ ଟଙ୍କା, ଦ୍ଵିତୀୟ ପୁରସ୍କାର ଭାବେ ୫୦ ହଜାର ଟଙ୍କା ଓ ତୃତୀୟ ପୁରସ୍କାର ଭାବେ ୨୫ ହଜାର ଟଙ୍କା ମିଳିବ |

ପ୍ରଶିକ୍ଷଣ ପରେ ମୋବାଇଲ ଆପ୍ସ ପ୍ରସ୍ତୁତ କରିବା ପରେ ବିଶେଷଜ୍ଞ ଶ୍ରେଷ୍ଠ ତିନୋଟିକୁ ମନୋନୀତ କରିବେ | ସୂଚନା ଥାଉ କି ‘ନିମାଇ-୨୦୨୦’ ହାକାଥନ ବରିଷ୍ଠ ଚିକିତ୍ସକ ସ୍ବର୍ଗତଃ ଡାକ୍ତର ନିମାନନ୍ଦ ରାୟଙ୍କ ନାମ ଅନୁସାରେ ରଖାଯାଇଥିବାବେଳେ ଛାତ୍ରଛାତ୍ରୀଙ୍କୁ ଆପ୍ସ ପ୍ରସ୍ତୁତି ସହ ବୈଷୟିକ ଜ୍ଞାନକୌଶଳ ପ୍ରଦାନ କରାଯିବା ଏହାର ଲକ୍ଷ୍ୟ ରହିଛି | ଏହି ହାକାଥନକୁ ମାଇକ୍ରୋସଫ୍ଟ, ମ୍ୟାପଲ ଇଣ୍ଡିଆ ପ୍ରମୁଖ ପ୍ରସ୍ତୁତ କରୁଛନ୍ତି |

ସମ୍ବନ୍ଧିତ ଖବର