ବିଜୟୱାଡ଼ା: ଆଜି ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଗୋଟାଏ ଆମ୍ବୁଲାନସ୍‌ ଦୁର୍ଘଟଣାଗ୍ରସ୍ତ ହେବାରୁ ଓଡ଼ିଶାର ୪ଜଣ ଲୋକ ପ୍ରାଣ ହରାଇଥିବା କଥା ‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟରୁ ଜଣାପଡ଼ିଛି।

Advertisment

ଏହି ଆମ୍ବୁଲାନ୍‌ସ୍ ଦୁର୍ଘଟଣା ତାୱାନାମପାଲ୍ଲୀ ମଣ୍ଡଳ ଅନ୍ତର୍ଗତ ବାଙ୍ଗାଲୋର୍‌-ତିରୁପତି ଜାତୀୟ ରାଜପଥର ତେଲ୍ଲା ଗୁଣ୍ଡଲାପାଲ୍ଲୀ ଅଞ୍ଚଳରେ ଘଟିଛି। ଡ୍ରାଇଭର୍‌ ‌ଢୁଳାଇ ପଡ଼ିବାରୁ ଆମ୍ବୁଲାନ୍‌ସ୍‌ ରାସ୍ତାରେ ଠିଆ ହୋଇଥିବା ଗୋଟିଏ ତୈଳବାହୀ ଟ୍ୟାଙ୍କର୍‌-ଟ୍ରକ୍‌କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣା ଯୋଗୁଁ ଘଟଣାସ୍ଥଳରେ ୪ଜଣଙ୍କର ମୃତ୍ୟୁ ଘଟିଛି ଓ ଜଣେ ଆହତ ହୋଇଛନ୍ତି। ମୃତ ବ୍ୟକ୍ତିମାନେ ହେଲେ ଓଡ଼ିଶା ରାଜ୍ୟର କେନ୍ଦ୍ରାପଡ଼ା ଜିଲ୍ଲା ଅନ୍ତର୍ଗତ ପଟ୍ଟାମୁଣ୍ଡାଇ ଅଞ୍ଚଳର ଗୋବିନ୍ଦପୁର ଗ୍ରାମର। ବାଙ୍ଗାଲୋର୍‌ ଭିକ୍ଟୋରିଆ ହସ୍ପିଟାଲ୍‌ରେ ଜଣେ ଆତ୍ମୀୟଙ୍କୁ ଚିକିତ୍ସା କରାଇ ସେମାନେ ଗାଁକୁ ଫେରୁଥିଲେ।

publive-image Image Courtesy of Times of India

‘ଦି ହିନ୍ଦୁ’ ରିପୋର୍ଟ ଅନୁସାରେ, ମୃତବ୍ୟକ୍ତିମାନେ ହେଉଛନ୍ତି ମଞ୍ଜୁଲତା, ତ୍ରିଲୋଚନ, ଉମେଶଚନ୍ଦ୍ର ଓ ବିଜୟ। ୟାଦାମାରି ଓ କାନିପକ୍କମ ପୁଲିସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାର କାର୍ଯ୍ୟ ଆରମ୍ଭ କରିଥିଲା। ଆହତଙ୍କୁ ଚିତ୍ତୂର ସରକାରୀ ଡାକ୍ତରଖାନାକୁ ନିଆଯାଇଛି। ପୁଲିସ ଏହି ଘଟଣାରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।

ସେହିପରି, ଆଜି  ଆନ୍ଧ୍ରପ୍ରଦେଶରେ ଆଉ ଏକ ସଡ଼କ ଦୁର୍ଘଟଣା ବି ଘଟିଛି। ଏହି ଦୁର୍ଘଟଣାରେ ତିରୁମାଳା ଦର୍ଶନ କରି କର୍ଣ୍ଣାଟକର ବେଲଗାବି ଫେରୁଥିବା ଲୋକମାନେ ମୃତ୍ୟୁ ବରଣ କରିଛନ୍ତି। ସେମାନେ ଯାତ୍ରା କରୁଥିବା ଗାଡ଼ିଟି ମାତାମପଲି ଛକରେ ଗୋଟାଏ ଲରି ସହିତ ମୁହାଁମୁହିଁ ଧକ୍କା ଖାଇଥିଲା। ଦୁର୍ଘଟଣାସ୍ଥଳରେ ୫ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଆଉ ୯ଜଣ ଆହତ ହୋଇଛନ୍ତି।

‘ଦି ଟାଇମ୍‌ସ୍‌ ଅଫ୍‌ ଇଣ୍ଡିଆ’ ରିପୋର୍ଟ ଅନୁସାରେ, ଆଜି ପ୍ରତ୍ୟୁଷରେ ଆନ୍ଧ୍ରପ୍ରଦେଶର ଚିତ୍ତୂର ଜିଲ୍ଲାରେ ଘଟିଥିବା ୨ଟି ପୃଥକ୍‌ ସଡ଼କ ଦୁର୍ଘଟଣାରେ ଅନ୍ୟୂନ ୯ଜଣ ଲୋକଙ୍କର ମୃତ୍ୟୁ ଘଟିଛି ଏବଂ ଆଉ ୧୦ଜଣ ଆହତ ହୋଇଛନ୍ତି।