ଚୀନ ସହ ୯ଥର ଆଲୋଚନା ସତ୍ତ୍ବେ ଲଦାଖ ସ୍ଥିତିରେ କୌଣସି ଅଗ୍ରଗତି ହୋଇନି : ଜୟଶଙ୍କର

ନୂଆଦିଲ୍ଲୀ : ଲଦାଖରେ ଭାରତ ଓ ଚୀନ ମଧ୍ୟରେ ଦେଖାଦେଇଥିବା ଉତ୍ତେଜନାକୁ ହ୍ରାସ କରିବାକୁ ଦୁଇପକ୍ଷ ମଧ୍ୟରେ ଇତିମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା  ହୋଇଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ଆଖିଦୃଷ୍ଟିଆ ଅଗ୍ରଗତି ହୋଇନଥିବା କେନ୍ଦ୍ର ବୈଦେଶିକ ମନ୍ତ୍ରୀ ଏସ.ଜୟଶଙ୍କର କହିଛନ୍ତି ।

ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡ଼ାଠାରେ ସାମ୍ବାଦିକମାନଙ୍କୁ ସେ କହିଛନ୍ତି ଯେ ଦୁଇ ଦେଶର ସେନା କମାଣ୍ଡରଙ୍କ ମଧ୍ୟରେ ୯ଟି ପର୍ଯ୍ୟାୟରେ କଥାବାର୍ତ୍ତା ହୋଇସାରିଛି । ଏପର୍ଯ୍ୟନ୍ତ ସ୍ଥିତିରେ କିଛିଟା ଉନ୍ନତି ହୋଇଥିବା ଆମେ ବିଶ୍ବାସ କରୁଥିଲୁ, କିନ୍ତୁ ଆଖିଦୃଷ୍ଟିଆ କୌଣସି ଅଗ୍ରଗତ ହୋଇନାହିଁ ।

ତେବେ ସେ କହିଛନ୍ତି ଯେ ଦୁଇ ପକ୍ଷ ମଧ୍ୟରେ ଆଲୋଚନା ଜାରି ରହିବ । ଏହି ପ୍ରସଙ୍ଗ ବେଶ ଜଟିଳ ଓ ଉକ୍ତ ଅଞ୍ଚଳର ଭୌଗୋଳିକ ସ୍ଥିତି ବେଶ ଦୁର୍ଗମ । ଏହା ସତ୍ତ୍ବେ ସ୍ଥିତିରେ ଉନ୍ନତି ଲାଗି ଉଦ୍ୟମ ଜାରି ରହିଛି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଗତ ବର୍ଷର ଗଲଓ୍ବାନ ଘଟଣା ପରେ ଭାରତୀୟ ସେନା ପକ୍ଷରୁ ବିପୁଳ ସଂଖ୍ୟାରେ ସୈନ୍ୟ ମୁତୟନ କରାଯାଇଛି । ଚୀନ ପଟୁ ଯେକୌଣସି ଚ୍ୟାଲେଞ୍ଜର ମୁକାବିଲା କରିବା ଲାଗି ଭାରତୀୟ ସେନା ପ୍ରସ୍ତୁତ ରହିଛି ।

କରୋନା ମହାମାରୀ ପରେ ଭାରତ ବଦଳି ଯାଇଛି । ଏବେ ସରକାର ସ୍ବାସ୍ଥ୍ୟ ସେବା ଉପରେ ଅଧିକ ଗୁରୁତ୍ବ ଦେଉଛନ୍ତି ବୋଲି ସେ କହିଛନ୍ତି ।

ସମ୍ବନ୍ଧିତ ଖବର