ନୂଆଦିଲ୍ଲୀ: ଭାରତ ସମେତ ପୂରା ବିଶ୍ବରେ ଆଜି ନବମ ଅନ୍ତର୍ଜାତୀୟ ଯୋଗଦିବସ ପାଳିତ ହୋଇଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜାତିସଂଘରେ ଯୋଗ ଦିବସର ନେତୃତ୍ବ ନେଇଥିବା ବେଳେ ଭାରତରେ କ୍ୟାବିନେଟ୍ ମନ୍ତ୍ରୀଗଣ ଓ ଅନ୍ୟ ବିଶିଷ୍ଟ ବ୍ୟକ୍ତିମାନେ ଦେଶବ୍ୟାପୀ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଛନ୍ତି। ବିଶ୍ବବ୍ୟାପୀ ୨୫୦ ନିୟୁତ ଲୋକ ଅନ୍ତର୍ଜାତୀୟ ଯୋଗ ଦିବସରେ ଭାଗ ନେଇଥିବା ଏକ ଆକଳନରୁ ଜଣାପଡ଼ିଛି। ଏଥର ଯୋଗ ଦିବସର ବିଷୟବସ୍ତୁ ‘ବସୁଧୈବ କୁଟୁମ୍ବକମ୍’ ରହିଥିଲା। ଅର୍ଥାତ ବିଶ୍ବ ପରିବାର ପାଇଁ ଯୋଗ ଏବଂ‘ଗୋଟିଏ ବିଶ୍ବ-ଗୋଟିଏ ପରିବାର-ଗୋଟିଏ ଭବିଷ୍ୟତ’। ୧୪୦ରୁ ଅଧିକ ରାଷ୍ଟ୍ରରେ ଯୋଗ ଦିବସ କାର୍ଯ୍ୟକ୍ରମ ଆୟୋଜନ ହୋଇଥିବା ଜାତିସଂଘ ସୂତ୍ରରୁ ଜଣାପଡ଼ିଛି।
ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ଭବନ ପରିସରରେ ଆୟୋଜିତ ଯୋଗ କାର୍ଯ୍ୟକ୍ରମରେ ସାମିଲ ହୋଇଥିଲେ। ଏହି ଅବସରରେ ରାଷ୍ଟ୍ରପତି କହିଛନ୍ତି, ଯୋଗ ଆମ ସଭ୍ୟତାର ମହାନ ଉପଲବ୍ଧି ମଧ୍ୟରୁ ଅନ୍ୟତମ ଏବଂ ବିଶ୍ବ ପାଇଁ ଏହା ଭାରତର ମହାନ ଉପହାର। ଭାରତୀୟ ସେନା ସୀମାରେ ଶତାଧିକ ସ୍ଥାନରେ ଯୋଗ କାର୍ଯ୍ୟକ୍ରମ ଆୟୋଜନ କରିଥିବା ବେଳେ ସେନା ମୁଖ୍ୟ ଜେନେରାଲ ମନୋଜ ପାଣ୍ଡେ ଦିଲ୍ଲୀ କରିୟପ୍ପା ପରେଡ ଗ୍ରାଉଣ୍ଡରେ ଅନୁଷ୍ଠିତ ଯୋଗ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରହିଥିଲେ। ତେଲେଙ୍ଗାନାର ରାଜଧାନୀ ହାଇଦ୍ରାବାଦରେ ଅନ୍ତର୍ଜାତୀୟ ଯୋଗ ଦିବସ କାର୍ଯ୍ୟକ୍ରମରେ ୩ ହଜାର ଦିବ୍ୟାଙ୍ଗ ଅଂଶ ଗ୍ରହଣ କରି ରେକର୍ଡ କରିଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2023/06/g4j5gdj654gj56gjgjddgj.jpg)