‘ନିଚ୍ଚ ଆଦ୍‌ମୀ’ ବିବୃତିକୁ ଯଥାର୍ଥ କହିଲେ ମଣିଶଙ୍କର

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ମଣିଶଙ୍କର ଆୟାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଅତୀତରେ ‘ନିଚ୍ଚ ଆଦ୍‌ମୀ’ କହି ଦଳରୁ ନିଲମ୍ବିତ ହୋଇଥିଲେ। ୨୦୧୭ ଡିସେମ୍ବରରେ ସେ ମୋଦୀଙ୍କୁ ଏହି ଆଖ୍ୟା ଦେଇଥିଲେ। ତେବେ ସେ ତାଙ୍କର ସେହି ମନ୍ତବ୍ୟରୁ ଏବେ ବି ଓହରିନାହାନ୍ତି। ବରଂ ଏହି ମନ୍ତବ୍ୟ ଯଥାର୍ଥ ବୋଲି ଆୟାର ଏକ ଲେଖାରେ ଦର୍ଶାଇଛନ୍ତି। ଏଥିସହିତ ମୋଦୀଙ୍କୁ ସେ ଭାରତର ସବୁଠୁ ଖରାପ ଭାଷା କହୁଥିବା ଜଣେ ପ୍ରଧାନମନ୍ତ୍ରୀ ବୋଲି କହିଛନ୍ତି। ମେ ‌୨୩ରେ ମୋଦୀ ଲୋକଙ୍କ ଦ୍ବାରା ବିଦାହେବା ନିଶ୍ଚିତ ବୋଲି ମଧ୍ୟ ସେ କହିଛନ୍ତି।
ମଣିଶଙ୍କରଙ୍କର ଏହି ‌ଲେଖାକୁ ନେଇ ବିଜେପିରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଛି। ବିଜେପି ପ୍ରବକ୍ତା ଜିଭିଏଲ ନରସିଂହ ରାଓ ମଣିଶଙ୍କରଙ୍କୁ ଦୁର୍ବ୍ୟବହାରକାରୀଙ୍କ ମୁଖ୍ୟ ବୋଲି କହିବା ସହିତ କଂଗ୍ରେସ ଦଳକୁ ଏକ ଉଦ୍ଧତ ଦଳ ବୋଲି କହିଛନ୍ତି। ଆୟାର ସେତେବେଳେ ତାଙ୍କ ମନ୍ତବ୍ୟ ପାଇଁ କ୍ଷମା ମାଗିଥିଲେ ଏବଂ ହିନ୍ଦୀରେ ଦୁର୍ବଳ ଥିବାର ବାହାନା କରିଥିଲେ। ଏବେ ସେ କହୁଛନ୍ତି ସେ ଜଣେ ଭବିଷ୍ୟତବାଣୀ କରୁଥିବା ବ୍ୟକ୍ତି।

ମନ୍ତବ୍ୟରୁ ନିଜକୁ ଦୂରେଇ ନେଲା କଂଗ୍ରେସ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଏକ ଲେଖାରେ ମୋଦୀଙ୍କ ବିରୋଧରେ ଯେଉଁ ମନ୍ତବ୍ୟ ଦେଇଛନ୍ତି ସେଥିରୁ ଦଳ ନିଜକୁ ଦୂରେଇ ନେଇଛି। ଏହା ଆୟାରଙ୍କ ବ୍ୟକ୍ତିଗତ ମତ ବୋଲି ଆୟାର କହିଛନ୍ତି। କଂଗ୍ରେସ ପ୍ରବକ୍ତା ଜୟବୀର ସେରଗିଲ୍ କହିଛନ୍ତି, କଂଗ୍ରେସ ବ୍ୟାକ୍‌ଫୁଟ୍‌ରେ ନାହିଁ କିମ୍ବା ଲଜ୍ଜିତ ନୁହେଁ। ବରଂ ମ‌ୋଦୀ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀ ଏବଂ ପୂର୍ବତନ କଂଗ୍ରେସ ସଭାପତି ସୋନିଆ ଗାନ୍ଧୀଙ୍କ ବିରୋଧରେ ମନ୍ତବ୍ୟ ଦେଇ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ମର୍ଯ୍ୟାଦାକୁ କ୍ଷୁଣ୍ଣ କରିଛନ୍ତି।
ମୋତେ ଗାଳିଦେବାକୁ ପ୍ରତିଯୋଗିତା କରୁଛନ୍ତି: ମୋଦୀ
ନିର୍ବାଚନରେ ବିରୋଧୀ ଦଳ ଜିତିପାରିବେ ନାହିଁ। ତେଣୁ ସେମାନେ ମୋତେ ଗାଳି ଦେବା ପାଇଁ ପ୍ରତିଯୋଗିତା କରୁଛନ୍ତି। ମଣିଶଙ୍କର ଆୟାରଙ୍କ ବିବୃତି ପଦାକୁ ଆସିବାର କିଛି ସମୟ‌ ପରେ ମୋଦୀ ଏକ ନିର୍ବାଚନୀ ସଭାରେ ଏଭଳି ମନ୍ତବ୍ୟ ଦେଇଛନ୍ତି। ବିହାରର ବକ୍ସରଠାରେ ଏକ ନିର୍ବାଚନୀ ରାଲିରେ ଯୋଗଦେବାବେଳେ ମୋଦୀ ଏହା କହିଛନ୍ତି।

ସମ୍ବନ୍ଧିତ ଖବର