ନିପା ଆତଙ୍କ: କେରଳକୁ ଯାତ୍ରା କଟକଣା ଲଗାଇଲା ୟୁଏଇ

ମୁମ୍ବାଇ: ନିପା ଭୂତାଣୁ କେବଳ କେରଳରେ ଆତଙ୍କ ଖେଳାଇ ନାହିଁ, ବରଂ ସାରା ବିଶ୍ୱରେ ଏହି ଭୂତାଣୁକୁ ନେଇ ଆତଙ୍କ ଖେଳିଯାଇଛି। ଆଜି ନିପା ଭୟ ହେତୁ ୟୁଏଇ (ସଂଯୁକ୍ତ ଆରବ ଏମିରେଟ୍ସ) ଏହାର ନାଗରିକମାନଙ୍କୁ କେରଳ ଗସ୍ତ ଉପରେ କଟକଣା ଲଗାଇଛି। ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ନିପା ଭୂତାଣୁ ନେଇ ଏକ ସତର୍କ ସୂଚନା ଜାରି କରାଯାଇଛି। ଏହାର ନାଗରିକମାନଙ୍କୁ ଅନାବଶ୍ୟକ କେରଳ ଗସ୍ତ କରିବାକୁ ମନା କରିଦେଇଛି ୟୁଏଇ। ଏନେଇ ୟୁଏଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ପକ୍ଷରୁ ଜାରି ହୋଇଥିବା ବିବୃତିରେ ସମସ୍ତ ତଥ୍ୟ ରହିଛି। ୟୁଏଇ ସ୍ୱାସ୍ଥ୍ୟ ମନ୍ତ୍ରାଳୟ ମଧ୍ୟ ଭୂତାଣୁ ସଂପର୍କରେ ସବିଶେଷ ଯାଞ୍ଚ୍‌ କରୁଛନ୍ତି ବୋଲି ଜଣାଯାଇଛି। ଏହି ଭୂତାଣୁ ପ୍ରଥମେ ପଶୁପକ୍ଷୀ ତଥା ବାଦୁଡ଼ି, ଘୁଷୁରି, କୁକୁର, ଘୋଡ଼ାଙ୍କଠାରେ ସଂକ୍ରମିତ ହୋଇ ପରେ ମଣିଷଙ୍କୁ ବ୍ୟାପିଥାଏ। ନିପା ହେତୁ କେରଳରେ ଏଯାବତ୍‌ ୧୧ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ରାଜ୍ୟ ସରକାର ଏହା ଅଧିକ ନ ବ୍ୟାପିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିଛନ୍ତି। ଦୁବାଇର ସମସ୍ତ ବିମାନ ଚଳାଚଳ ସଂସ୍ଥା ମଧ୍ୟ ଏ ବାବଦ କଟକଣା ପାଳନ କରିବାକୁ କୁହାଯାଇଛି ।

ସମ୍ବନ୍ଧିତ ଖବର