ଇତୀଶଙ୍କ ମନ୍ତବ୍ୟକୁ ହାଲୁକା ଭାବେ ନେଲେ ନିରଞ୍ଜନ

ନୂଆଦିଲ୍ଲୀ : ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଗତକାଲି ତ‌‌ାଙ୍କୁ ସମାଲୋଚନା କରି ଦେଇଥିବା ମନ୍ତବ୍ୟକୁ ଅତ୍ୟନ୍ତ ହାଲୁକା ଭାବେ ନେଇଛନ୍ତି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ। ବିଦେଶରୁ ଫେରିବା ପରେ ଇତୀଶଙ୍କ ଏଭଳି ବୟାନବାଜି ଉପରେ ପ୍ରତିକ୍ରିୟା ପ୍ରକାଶ କରି ନିରଞ୍ଜନ କହିଛନ୍ତି, ରାଜ୍ୟ କଂଗ୍ରେସରେ କେହି ତାଙ୍କର ଶତ୍ରୁ ନୁହନ୍ତି। ହତୋତ୍ସାହିତ ହୋଇ ପଡ଼ିଥିବା ଇତୀଶ ପିଲାଳିଆମି ବୁଦ୍ଧି ଯୋଗୁଁ ଏପରି କହିଛନ୍ତି। ତେବେ ସେ ଏହାକୁ ଆଦୌ ଗୁରୁତ୍ବ ଦେଉନାହାନ୍ତି। ଶ୍ରୀ ପଟ୍ଟନାୟକ ଆହୁରି କହିଛନ୍ତି, ଇତୀଶ ନିଜେ ଗୋଟିଏ ଜାଗାରୁ ନିର୍ବାଚନ ଲଢ଼ିଥିଲେ। ତେବେ ଯେଭଳି ଭାବେ ତାଙ୍କୁ ଭୋଟ ମିଳିଛି ସେଥିପାଇଁ କାହା ଉପରେ ତ ସେ ଦୋଷ ଲଦିବେ। ସାଧାରଣ ନିର୍ବାଚନରେ କେବଳ ରାଜ୍ୟ‌େର ନୁହେଁ, ଅନ୍ୟ ସବୁଠି ଭଲ ଫଳାଫଳ ହୋଇନାହିଁ।

ଉଲ୍ଲେଖଯୋଗ୍ୟ ଗତକାଲି ଛାତ୍ର କଂଗ୍ରେସ ନେତା ଇତୀଶ ପ୍ରଧାନ ଏକ ସାମ୍ବାଦିକ ସମ୍ମିଳନୀ କରି ପିସିସି ସଭାପତିଙ୍କ ବି‌େରାଧରେ ମନ୍ତବ୍ୟ ଦେଇଥିଲେ। ଇତୀଶଙ୍କ ଏଭଳି ବୟାନବାଜିକୁ ନେଇ ଏଆଇସିସିର ରାଜ୍ୟ ପ୍ରଭାରୀ ଜିତେନ୍ଦ୍ର ସିଂହ ସ୍ପଷ୍ଟ ରୂପେ କହିଥିଲେ ଯେ ଛାତ୍ରନେତାଙ୍କ ବିଶୃଙ୍ଖଳା ପ୍ରମାଣ ହେଲେ କାର୍ଯ୍ୟାନୁଷ୍ଠାନ ହେବ। ଆଜି ଅପରାହ୍ନରେ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଏଆଇସିସି କାର୍ଯ୍ୟାଳୟରେ କିଛି ବରିଷ୍ଠ ନେତାମାନଙ୍କୁ ସୌଜନ୍ୟମୂଳକ ସାକ୍ଷାତ କରିଥିବାର ଜଣାପଡ଼ିଛି। ଆସନ୍ତାକାଲି ସେ ଜିତେନ୍ଦ୍ର ସିଂହଙ୍କ ସହ ସାକ୍ଷାତ କରି ଗତକାଲିର ବୈଠକରେ କ’ଣ ସବୁ ଆଲୋଚନା ଓ ନିଷ୍ପତ୍ତି ହୋଇଛି ସେସବୁ ବିଷୟରେ ଅବଗତ ହେବେ ଏବଂ ଦିନେ ଦୁଇଦିନ ପରେ ଓଡ଼ିଶା ଫେରିବେ ବୋଲି କହିଛନ୍ତି।

ଅପରପକ୍ଷେ ଆଜି କଂଗ୍ରେସର ସାଧାରଣ ସମ୍ପାଦକ କେ ସି ବେଣୁଗୋପାଳଙ୍କ ଅଧ୍ୟକ୍ଷତାରେ ଏଆଇସିସି କାର୍ଯ୍ୟାଳୟରେ ଏଆଇସିସି ସଚିବମାନଙ୍କ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଓଡ଼ିଶା ଦାୟିତ୍ବରେ ଥିବା ତିନି ଜଣ ସମ୍ପାଦକ- ରୁଦ୍ର ରାଜୁ, ମସ୍ତାନ ଵାଲି ଓ ଅନୀଲ କୁମାର ଚୌଧୁରୀ ତଥା ଯୁଗ୍ମ ସଚିବ ଆଦିତ୍ୟ ଶର୍ମା ଯୋଗ ଦେଇଥିଲେ। ଏତଦ୍‌ବ୍ୟତୀତ ଏଆଇସିସି ସମ୍ପାଦକ ଶରତ ରାଉତ ଓ ବିଶ୍ବ ରଞ୍ଜନ ମହାନ୍ତି ମଧ୍ୟ ଏହି ବୈଠକରେ ଯୋଗ ଦେଇଥିଲେ। ବୈଠକରେ ମହାତ୍ମା ଗାନ୍ଧୀଙ୍କ ୧୫୦ତମ ଜୟନ୍ତୀ ପାଳନ, ସଦସ୍ୟତା ଅଭିଯାନ, ପ୍ରଶିକ୍ଷଣ କାର୍ଯ୍ୟକ୍ରମ ତଥା ଦେଶର ମାନ୍ଦାବସ୍ଥାକୁ ନେଇ ଆଲୋଚନା ହେବା ସହିତ ଆଗାମୀ ଦିନରେ କେନ୍ଦ୍ର ସରକାରଙ୍କର ବିଫଳତାକୁ ନେଇ ଆନ୍ଦୋଳନ ପନ୍ଥା ସମ୍ପର୍କରେ ବିଚାରବିମର୍ଶ କରାଯାଇଥିଲା।

ସମ୍ବନ୍ଧିତ ଖବର