ସୋନିଆଙ୍କୁ ଭେଟିଲେ ନିରଞ୍ଜନ, ‘ପ୍ରଦୀପ ବାବୁଙ୍କ ମନ ଅସ୍ଥିର’

ନୂଆଦିଲ୍ଲୀ : ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ଶୁକ୍ରବାର ଦିନ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀଙ୍କୁ ତାଙ୍କ ୧୦, ଜନପଥସ୍ଥିତ ସରକାରୀ ବାସଭବନରେ ସାକ୍ଷାତ କରିଛନ୍ତି। ଦଳୀୟ ସାଂଗଠନିକ ବ୍ୟାପାର, ରାଜ୍ୟ କଂଗ୍ରେସ କାର୍ଯ୍ୟକାରୀ ସଭାପତି ପ୍ରଦୀପ ମାଝୀଙ୍କ ଇସ୍ତଫା ଏବଂ ଓଡ଼ିଶାର ସାମ୍ପ୍ରତିକ ରାଜନୈତିକ ସ୍ଥିତି ସମ୍ପର୍କରେ ସେ ଶ୍ରୀମତୀ ଗାନ୍ଧୀଙ୍କ ସହିତ ଆଲୋଚନା କରିଛନ୍ତି। ଓଡ଼ିଶାର ବହୁଚର୍ଚ୍ଚିତ ସନ୍‌ସାଇନ୍‌ ସ୍କୁଲ ଅଧ୍ୟକ୍ଷା ମମିତା ମେହେରଙ୍କ ହତ୍ୟାକାଣ୍ଡ ସମ୍ପର୍କରେ ଶ୍ରୀ ପଟ୍ଟନାୟକ କଂଗ୍ରେସ ଅଧ୍ୟକ୍ଷାଙ୍କୁ ଅବଗତ କରିବା ସହିତ ଏହି ପ୍ରସଙ୍ଗରେ କଂଗ୍ରେସର ଆନ୍ଦୋଳନ ଓ ବିକ୍ଷୋଭ ସମ୍ପର୍କରେ ବିବରଣୀ ପ୍ରଦାନ କରିଥିଲେ। ରାଜ୍ୟ କଂଗ୍ରେସ ଦ୍ବାରା ପାର୍ଟିକୁ ମଜବୁତ କରିବା ପାଇଁ ନିଆଯାଉଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କରେ ମଧ୍ୟ ସେ ଜଣାଇଥିଲେ। ରାଜ୍ୟକୁ ନିୟମିତ ବ୍ୟବଧାନରେ କଂଗ୍ରେସର କେନ୍ଦ୍ରୀୟ ନେତାଙ୍କୁ ପଠାଇବା ପାଇଁ ପିସିସି ସଭାପତି ବିଶେଷ ଭାବେ ସୋନିଆଙ୍କୁ ଅନୁରୋଧ କରିଥିଲେ।

ପ୍ରଦୀପ ମାଝିଙ୍କ ଇସ୍ତଫାକୁ ନେଇ ପିସିସି ସଭାପତି ଶ୍ରୀ ପଟ୍ଟନାୟକ ନେଇ ଗଣମାଧ୍ୟମ‌ରେ କଡ଼ା ପ୍ରତିକ୍ରିୟା ପ୍ରକାଶ କରିଥିଲୋ‌ ସେ କହିଥିଲେ ଯେ ଦୁଇ ଦିନ ପୂର୍ବରୁ ସେ ଦଳରୁ ଇସ୍ତଫା ଦେଉନାହାନ୍ତି ବୋଲି ତାଙ୍କୁ କହିଥିଲେ। ଯାହା ବି ତାଙ୍କର ଇସ୍ତଫା ସମ୍ପର୍କରେ ଶୁଣାଯାଉଛି ସେଗୁଡ଼ିକ ଗୁଜବ ବୋଲି ସେ କହିଥିଲେ। ହେଲେ ଆଜି ସେ ଇସ୍ତଫା ଦେଇଦେଲେ। ପ୍ରଦୀପଙ୍କ ଦଳ ଛାଡିବା କଂଗ୍ରେସ ପାଇଁ କୌଣସି କ୍ଷତି କରିବ ନାହିଁ। ‌ତାଙ୍କର ଇସ୍ତଫାରୁ ତାଙ୍କର ଅସ୍ଥିର ମନ ସଂପର୍କରେ ସ୍ପଷ୍ଟ ବାରି ହେଉଛି, ତାଙ୍କର କଥାରେ କୌଣସି ସତ୍ୟତା ନାହିଁ। ଜଣେ ଯୁବକ ହୋଇ ପ୍ରଦୀପ ବାବୁଙ୍କର ଏମିତି ଅସ୍ଥିର ମନ କାହିଁକି ହେଉଛି ସେ ଆଦୌ ବୁଝି ପାରୁନାହାନ୍ତି। ଯୁବକ ଅବସ୍ଥାରେ ଏତେ ଅସ୍ଥିର ମନ ହେବା ରାଜ‌ନୈତିକ ଲୋକ ପାଇଁ ସୁନ୍ଦର ନୁହେଁ। ଅସ୍ଥିର ମନରେ ସେ ଲୋକଙ୍କ ପାଇଁ କି ସେବା କରିବେ? କଂଗ୍ରେସରେ କିଛି ଆଶା ନାହିଁ ବୋଲି ସେ ଦଳ ଛାଡି ଚାଲିଯାଇଛନ୍ତି, କିନ୍ତୁ ସେଥିରେ ସେ ହତାଶ ହେବେ। କଂଗ୍ରେସ ଦଳ ତାଙ୍କୁ ସମ୍ମାନ ସହିତ ପଦପଦବି ଦେଇ ରଖିଥିଲା। କଂଗ୍ରେସରେ ଯେଉଁ ସମ୍ମାନ ପାଉଥିଲେ ଆଗକୁ ସେ ପାଉଛନ୍ତି ନା ନାହିଁ ତାହା ଦେଖିବା କଥା। କଂଗ୍ରେସର ଦ୍ବାର ତାଙ୍କ ପାଇଁ ଖୋଲା ରହିଛି, ତାଙ୍କୁ ହତାଶ ହୋଇ ଫେରି ଆସିବା ପାଇଁ ଶ୍ରୀ ପଟ୍ଟନାୟକ କହିଥିଲେ। କଂଗ୍ରେସ ଦଳରେ ପ୍ରଦୀପ ବାବୁଙ୍କୁ ଯେଉଁ ସମ୍ମାନ ଓ ମର୍ଯ୍ୟଦା ମିଳୁଥଲା ସେ ଯେଉଁ ଦଳକୁ ଯାଉଛନ୍ତି ସେଠାରେ ସେମିତି ତାଙ୍କୁ ସମ୍ମାନ ଓ ମର୍ଯ୍ୟାଦା ମିଳୁ ବୋଲି ନିରଞ୍ଜନ ଆଶା ପ୍ରକାଶ କରିବା ସହିତ ତାଙ୍କର ଉଜ୍ବଳ ଭବିଷ୍ୟତ କାମନା କରିଥିଲ।

ପିସିସିର ନୂଆ ଟିମ ଗଠନ ହେବା ପରେ ଓଡ଼ିଶାକୁ କଂଗ୍ରେସ ଅଧ୍ୟକ୍ଷା ଓ ରାହୁଳ ଗାନ୍ଧୀଙ୍କ ଗସ୍ତ କରିବା କରିବା ନେଇ ଯେଉଁ ଯୋଜନା ଥିଲା ସେ ନେଇ କ’ଣ ଅଗ୍ରଗତି ହୋଇଛି ବୋଲି ପ୍ରଶ୍ନ କରାଯିବାରୁ ନିରଞ୍ଜନ କହିଥିଲେ, ଆଗକୁ ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ଥିବାରୁ କାର୍ଯ୍ୟକ୍ରମ ସ୍ଥିର କରାଯାଇପାରି ନାହିଁ। ଶ୍ରୀ ପଟ୍ଟନାୟକ ଆଜି ଏଆଇସିସିରେ କିଛି ବରି‌ଷ୍ଠ ନେତାଙ୍କୁ ମଧ୍ୟ ସାକ୍ଷାତ କରିଥିଲେ। ଏଆଇସିସିର ସାଧାରଣ ସମ୍ପାଦକ (ସଂଗଠନ) କେ. ସି. ଭେନୁଗୋପାଳଙ୍କ ସହିତ ରାଜ୍ୟରେ ଦଳର ବିଭିନ୍ନ କାର୍ଯ୍ୟକ୍ରମ ତଥା ସାଂଗଠନିକ ଗତିବିଧିକୁ ନେଇ ଆଲୋଚନା କରିଥିଲେ। ସେହିଭଳି ସର୍ବଭାରତୀୟ ମହିଳା କଂଗ୍ରେସର କାର୍ଯ୍ୟକାରୀ ଅଧ୍ୟକ୍ଷ ନିତା ଡି ସୌଜାଙ୍କୁ ମଧ୍ୟ ସେ ଭେଟିଥିଲେ।

ସମ୍ବନ୍ଧିତ ଖବର