ନ୍ୟୁୟର୍କରେ ବୁଲୁଛି ନିରବ ମୋଦି, ପାସପୋର୍ଟ ରଦ୍ଦ କଲେ ସରକାର

ନୂଆଦିଲ୍ଲୀ: ଦେଶର ପ୍ରମୁଖ ରାଷ୍ଟ୍ରାୟତ ବ୍ୟାଙ୍କ ପଂଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି)କୁ ୧୧,୪୦୦ କୋଟିର ଚୂନ ଲଗାଇ ଫେରାର ହୋଇଯାଇଥିବା ହୀରା ବ୍ୟବସାୟୀ ନିରବ ମୋଦି ଆମେରିକାର ନ୍ୟୁୟର୍କରେ ବୁଲୁଥିବା ଦେଖାଯାଇଛି । ନ୍ୟୁୟର୍କରେ ଏକ ଆପାର୍ଟମେଣ୍ଟରେ ସେ ରହୁଥିବା ଖବର ମିଳିଛି । ଅନ୍ୟପକ୍ଷରେ ଭାରତ ସରକାର ଆଜି ନିରବ ମୋଦି ଓ ମେହୁଲ ଚୋକସୀଙ୍କ ପାସ୍‌ପୋର୍ଟକୁ ୪ ସପ୍ତାହ ପାଇଁ ରଦ୍ଦ କରିଦେଇଛନ୍ତି । ଇଡିର ସୁପାରିଶ କ୍ରମେ ବିଦେଶ ମନ୍ତ୍ରାଳୟ ପକ୍ଷରୁ ଏହି ପଦକ୍ଷେପ ନିଆଯାଇଛି । ତେବେ ତାଙ୍କ ପାସପୋର୍ଟକୁ କାହିଁକି ସବୁଦିନ ପାଇଁ ରଦ୍ଦ କରାନଯିବ ସେ ନେଇ ନିରବ ଓ ଚୋକସୀଙ୍କୁ ନୋଟିସ କରାଯାଇଛି । ଗୋଟିଏ ସପ୍ତାହ ମଧ୍ୟରେ ନୋଟିସର ଜବାବ ନଦେଲେ ତାଙ୍କର ପାସପୋର୍ଟକୁ ରଦ୍ଦ କରାଯିବ ।

ଅନ୍ୟପକ୍ଷରେ ଭାରତୀୟ ତଦନ୍ତ ସଂସ୍ଥା ସିବିଆଇର ଅନୁରୋଧ କ୍ରମେ ଅନ୍ତର୍ଜାତୀୟ ଅପରାଧିକ ପୁଲିସ୍‌ ସଂଗଠନ (ଇଣ୍ଟରପୋଲ) ନିରବ ମୋଦି, ତାଙ୍କ ଭାଇ ନିଶଲ ମୋଦି, ପତ୍ନୀ ଅମି ମୋଦି ଓ ମାମୁଁ ମେହୁଲ ଚୋକସୀଙ୍କ ବିରୋଧର ଲୁକ୍‌ ଆଉଟ୍‌ ନୋଟିସ୍‌ ଜାରି କରିଛି । ଲୁକ ଆଉଟ ସର୍କିୁଲାରର ଅର୍ଥ ହେଉଛି ବିଶ୍ୱର ସବୁ ପ୍ରମୁଖ ଏୟାରପୋର୍ଟ, ରେଳଜଙ୍କସନ ବା ପୋର୍ଟରେ ଯେଉଁଠାରେ ଇମିଗ୍ରେସନ ଯାଞ୍ଚ ହୁଏ, ସେଗୁଡ଼ିକୁ ନୀରବ ମୋଦି ଓ ତାଙ୍କ ସାଥୀମାନଙ୍କ ବାବଦରେ ସତର୍କ କରିଦିଆଯାଇଛି । ଏହାଫଳରେ ଅପରାଧୀ ପାଇଁ ଗୋଟିଏ ଦେଶରୁ ଆଉ ଏକ ଦେଶକୁ ପଳାୟନ କରିବା କଷ୍ଟକର ହେବ । ଅନ୍ୟପକ୍ଷରେ ଏହି ଠକେଇ ମାମଲାରେ ଅଭିଯୁକ୍ତ ଆଇନ ହାତରୁ ଖସିଯାଇପାରିବେ ନାହିଁ ବୋଲି ସରକାର କହିଛନ୍ତି ।

ସମ୍ବନ୍ଧିତ ଖବର